Pakistan: ଲାହୋରରେ ଜଜ୍‌ଙ୍କ ଟେବୁଲରୁ ଚୋରି ହୋଇଗଲା ୨ଟି ସେଓ, ମାମଲା ରୁଜୁ

NEWS7
balangir-collector-ordered-to-investigate-over-patnagarh-mla-asked-jee-for-sit-ups

ଇସଲାମାବାଦ: କାର, ସୁନା, ଲାପଟପ୍, ମୋବାଇଲ୍ ଇତ୍ୟାଦି ମୂଲ୍ୟବାନ ଜିନିଷ ଚୋରି ହେଲେ ମାମଲା ରୁଜୁ ହୁଏ, ଏକଥା ପ୍ରାୟତଃ ସମସ୍ତଙ୍କୁ ଜଣାଅଛି । କିନ୍ତୁ ପାକିସ୍ତାନରେ ଏପରି ଏକ ଜିନିଷ ଚୋରି ପାଇଁ ମାମଲା ରୁଜୁ ହୋଇଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ପାକିସ୍ତାନରେ ଦୁଇଟି ସେଓ ଏବଂ ଗୋଟିଏ ହ୍ୟାଣ୍ଡ ସାନିଟାଇଜର ଚୋରି ପାଇଁ ମାମଲା ରୁଜୁ ହୋଇଛି। ପଞ୍ଜାବର ଲାହୋର ସହରରେ ଜଣେ ସେସନ୍ କୋର୍ଟ ବିଚାରପତିଙ୍କ ଚାମ୍ବରରୁ ଦୁଇଟି ସେଓ ଏବଂ ଗୋଟିଏ ହ୍ୟାଣ୍ଡ ସାନିଟାଇଜର ଚୋରି ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁସାରେ, ଲାହୋରର ଇସଲାମପୁରା ଥାନାରେ ଏହି ମାମଲାର ରୁଜୁ ହୋଇଛି। ଇସଲାମପୁରା ଥାନା ଅଧିକାରୀ ଇମ୍ରାନ ଖାନ ବିବିସି ଉର୍ଦ୍ଦୁକୁ କହିଛନ୍ତି ଯେ, ସେମାନେ ଅପରେସନ ୱିଙ୍ଗର ଅତିରିକ୍ତ ସେସନ୍ସ ଜଜଙ୍କ ରିଡରଙ୍କଠାରୁ ଏକ ମାମଲା ପଞ୍ଜିକରଣ କରିବା ପାଇଁ ଅନୁରୋଧ ପାଇଥିଲେ । ଏହା ପରେ ସେମାନେ ଏକ ମାମଲା ରୁଜୁ କରିଥିଲେ। ସେ କହିଛନ୍ତି ଯେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆରର ଏକ କପି ତଦନ୍ତ ଏଜେନ୍ସିକୁ ପଠାଯାଇଛି।

ଏଫଆଇଆର ଅନୁସାରେ, ଡିସେମ୍ବର ୫ରେ ଲାହୋର ସେସନ୍ କୋର୍ଟର ଅତିରିକ୍ତ ଜଜ ମହମ୍ମଦ ବିସ୍ମିଲଙ୍କ ଟେବୁଲ୍ ଉପରୁ ଦୁଇଟି ସେଓ ଏବଂ ଗୋଟିଏ ହ୍ୟାଣ୍ଡ ଓ୍ବାଶ୍ ଚୋରି ହୋଇଛି । ଚୋରି ଜିନିଷର ମୋଟ ମୂଲ୍ୟ ଏକ ହଜାର ଟଙ୍କା । ଏନେଇ ଜଜ୍ ଖୋଦ ମାମଲା ରୁଜୁ କରିବାକୁ ନିର୍ଦେ୍ଦଶ ଦେଇଛନ୍ତି । ଏହା ପୋଲିସ ପାକିସ୍ତାନ ପେନାଲ କୋଡ୍ ୩୮୦ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପାକିସ୍ତାନର ଦଣ୍ଡ ସଂହିତାର ଧାରା ୩୮୦ ଚୋରି ପାଇଁ ଲାଗୁ ହୁଏ । ଏହି ଧାରାରେ ଅଭିଯୁକ୍ତକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ହୋଇପାରେ । ସେପଟେ ଏହି ମାମଲା ରୁଜୁ ହେବା ପରେ, ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଲୋକେ ଲାହୋର ପୋଲିସକୁ କଟାକ୍ଷ କରିଛନ୍ତି । ପୋଲିସର ତତ୍ପରତାରୁ ଲାଗୁଛି, ଖୁବଶୀଘ୍ର ଚୋରି ହୋଇଥିବା ସେଓ ମିଳିଯିବ । ମାମଲାର ତଦନ୍ତ ଲାଗି ପୋଲିସ ସମେତ ଏକାଧିକ ଏଜେନ୍ସି ତଦନ୍ତ କରିପାରନ୍ତି ବୋଲି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି । ସେପଟେ ପାକିସ୍ତାନର ବହୁ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ରୁମାଲ ଚୋରି ହେଲେ ବି ମାମଲା ହେବା ଦରକାର ।