ଜାତୀୟସ୍ତରରେ କଟକର ଦହିବରା ସାଉଁଟିଛି ପ୍ରଶଂସା, 'ବାବୁଲା ଦହିବରା’ ପାଇଛି ଶ୍ରେଷ୍ଠ ଷ୍ଟ୍ରିଟଫୁଡ୍ ପୁରସ୍କାର

Published By : Prameya-News7 Bureau | July 07, 2025 IST

କଟକ :  ଦହି ବରା... ଦହିପାଣିରେ ବତରୁଥିବା ମୁସମୁସିଆ ବରା ଉପରେ ନାନା ପ୍ରକାରର ମସଲା... ଅଳ୍ପ ଖଟା ସାଙ୍ଗକୁ ସ୍ଲାଇଟ୍ ରାଗ । ଗରମ୍ ଗରମ୍ ଘୁଘୁନି ସାଙ୍ଗକୁ ବହଳିଆ ଆଳୁଦମ୍ ର ଝୋଳ ....ଆଉ ତା ଉପରେ କଞ୍ଚଲଙ୍କା ପାଣିକୁ ଟିକେ ସେଓ ଓ ପିଆଜ, ଓଃ ସ୍ୱାଦ....ଭାବିଲେ ପାଟିରୁ ଲାଳ ଗଡ଼ୁଛି । ସେଥିପାଇଁ ତ ରାତି ପାହିଲେ କଟକିଆ ୟାକୁ ହିଁ ଖୋଜନ୍ତି। କିନ୍ତୁ ଏବେ ଏହାର ଚାହିଦା ନେସନ୍ ୱାଇଡ୍।  କଟକିଆଙ୍କ ଇମୋସନ୍ ସହ ଜଡ଼ିତ ଏହି ଦହିବରାର ଭାରି ଦବଦବା। କଟକରେ ପ୍ରତି ଗଳି ଓ ଛକରେ  ଦହିବରା ଦୋକାନ। କିନ୍ତୁ ଏତେ ସବୁ ଭିତରେ ଭାରି ଫେମସ୍ ବାବୁଲା ଦହିବରା। ନିଜ ସ୍ୱାଦରେ ସମସ୍ତଙ୍କ ଦୃଦୟ ଜିଣିଥିବା ବାବୁଲା ଦହିବରାକୁ ଏବେ କରାଯାଇଛି ସମ୍ମାନିତ।  

ଜାତୀୟସ୍ତରର ପ୍ରତିଯୋଗିତାରେ କଟକର ଦହିବରା ସାଉଁଟିଛି ପ୍ରଶଂସା । ନ୍ୟାସନାଲ ଆସୋସିଏସନ ଅଫ ଷ୍ଟ୍ରିଟ ଭେଣ୍ଡର ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ ପ୍ରତିଯୋଗିତାରେ 'ବାବୁଲା ଦହିବରା’ ପାଇଛି ଶ୍ରେଷ୍ଠ ଷ୍ଟ୍ରିଟଫୁଡ୍ ପୁରସ୍କାର। ନୂଆଦିଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦହିବରା ବ୍ୟବସାୟୀ ବାବୁଲା ଓରଫ ପ୍ରଦୀପ୍ତ କୁମାର ସାହୁ ସମ୍ମାନିତ ହୋଇଛନ୍ତି । ନ୍ୟାସନାଲ ଆସୋସିଏସନ ଅଫ ଷ୍ଟ୍ରିଟ ଭେଣ୍ଡର ଅଫ ଇଣ୍ଡିଆ ପକ୍ଷରୁ ପ୍ରତ୍ୟେକ ବର୍ଷ ଜାତୀୟ ଖାଦ୍ୟ ମେଳା ଆୟୋଜିତ ହୋଇଆସୁଛି। ମେଳାରେ ମୁଖ୍ୟ ଆକର୍ଷଣ ବିଭିନ୍ନ ରାଜ୍ୟର ଷ୍ଟ୍ରିଟଫୁଡ୍ ବା ରାସ୍ତା କଡ଼ରେ ବିକ୍ରି ହେଉଥ‌ିବା ଖାଦ୍ୟ । ଗତ ଡିସେମ୍ବରରେ ଆୟୋଜିତ ଜାତୀୟ ଖାଦ୍ୟ ମେଳାରେ ବାବୁଲା ‘ଦହିବରା ଆଳୁଦମ'ର ଷ୍ଟଲ ପକାଇଥିଲେ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବିଚାରକମାନଙ୍କ ଦ୍ଵାରା ତାଙ୍କ ଦହିବରା- ଆଳୁଦମକୁ ପ୍ରଶଂସା କରାଯାଇଥିଲା। ତେବେ ଗତ ୩ ଓ ୪ ତାରିଖ ଦିନ ଆୟୋଜକଙ୍କ ପକ୍ଷରୁ ନୂଆଦିଲୀରେ ସମ୍ମାନ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ସାରା ଦେଶରୁ ୩୦ ଜଣ ପ୍ରସିଦ୍ଧ ଷ୍ଟ୍ରିଟ୍ ଭେଣ୍ଡରମାନେ ସାମିଲ ହୋଇ  ସମ୍ମାନିତ ହୋଇଥିଲେ।  ଏଥିରେ ‘ବାବୁଲା ଦହିବରା’ ଶ୍ରେଷ୍ଠ ଷ୍ଟ୍ରିଟ୍ ଫୁଡ୍ ପୁରସ୍କାର ମିଳିଛି। ପ୍ରଦୀପ୍ତଙ୍କ କହିବା ମୁତାବକ, ଦୀର୍ଘବର୍ଷ ଧରି ଦହିବରା ବିକି ପରିବାର ପୋଷିବା ପରେ ଏହା ଏକ ନିଆରା ଉପଲବ୍ଧି। ଜାତୀୟ ମେଳାରେ କଟକର ଦହିବରାକୁ ଭୁରିଭୁରି ପ୍ରଶଂସା କରାଯିବା ସମୟ ସ୍ମରଣୀୟ ହୋଇ ରହିବ । ସମ୍ମାନ ହାସଲ କରିବା ସହ ମାଷ୍ଟର ସେଫ୍ କୁନାଲ କପୁର ହାତ ମିଳାଇ ଦହିବରାକୁ ପ୍ରଶଂସା କରିଥିଲେ ବୋଲି ସେ କହିଛନ୍ତି । 

ସେହିଭଳି ବାବୁଲାଙ୍କ ଏହି ପୁରସ୍କାର ରେ ବେଶ୍ ଖୁସି ଅଛନ୍ତି ବାବୁଲାଙ୍କ ପତ୍ନୀ। ପୂର୍ବରୁ ୨୦୧୯ ଓ ୨୦୨୪ ମସିହାରେ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ଭାଗ ନେଇଥିବା ବେଳେ ଆଜି ଯେତେବେଳ ପୁନର୍ବାର ପୁରସ୍କୃତ ହୋଇଛନ୍ତି ସେଥିପାଇଁ ଖୁସି ଅଛନ୍ତି ବାବୁଲାଙ୍କ ପତ୍ନୀ ମଲ୍ଲିକା ସାହୁ । 

 ଦହିବରାକୁ ଜି ଆଇ ଟ୍ୟାଗ୍ ମାନ୍ୟତା ମିଳିବା ପାଇଁ ନିହାତି ଏହିଭଳି ପୁରସ୍କାର ବେଶ୍ ଖୋରାକ୍ ଯୋଗାଇବ। କିନ୍ତୁ ଦୁଃଖର କଥା ଜାତୀୟ ସ୍ଥରରେ ବାବୁଲା ଦହିବରାକୁ ପୁରସ୍କାର ମିଳୁଥିବା ବେଳେ ରାଜ୍ୟ ଭିତରେ କୌଣସି ସମ୍ମାନ ଏପର୍ଯ୍ୟନ୍ତ ମିଳି ପାରି ନାହିଁ ।

କଟକ ରୁ କ୍ୟାମେରା ପର୍ସନ ଲଳିତ ଦାସ ଙ୍କ ସହ ଜଗନ୍ନାଥ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.