କଟକ ୧୫।୦୪: ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହେବା ପରେ ନୂତନ କାର୍ଡ ବିତରଣ ଜାରି ରହିଛି । ଏହି କ୍ରମରେ କଟକ ବିଭିନ୍ନ ବ୍ଲକରେ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ବାଙ୍କୀର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।ଡ଼ମପଡ଼ା ବ୍ଲକର ତାଳବସ୍ତ ଓ ତୁଳସୀପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଣ୍ଟନ କରାଯାଇଥିବା ବେଳେ ବାଙ୍କୀ ବ୍ଲକର ବ୍ରହ୍ମପୁରା, ବୈଦେଶ୍ୱର, କଳାପଥର ଓ ବରପୁରରେ ଏହି କାର୍ଡ ବଣ୍ଟନ କରାଯାଇଛି । ତାଳବସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସହ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ବନବାସୀ ବେହେରା, ଡ଼ମପଡ଼ା ବିଡ଼ିଓ ଅଂଶୁମାନ ଦାସ, ୩୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଆଶିଷ ସାହୁ, ଡ଼ମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ ପଟେ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଛନ୍ତି ।
ସେହିପରି କଟକ ସହର କିଛି ଓ୍ୱାର୍ଡରେ ଆଜିଠାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ହୋଇଛି । ସାଂସଦ ଭର୍ତ୍ତୃହରି ମହତାବ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କଟକ ସଦରର ବମ୍ଫକୁଦ ପ୍ରାଥମିକ ଚିକିତ୍ସାଳୟରେ ଆୟୋଜି ଏହି କାର୍ଯ୍ୟକ୍ରମରେ ପ୍ରଥମେ ୧୦ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି । ପରେ ପର୍ଯ୍ୟାୟ କ୍ରମେ ସମସ୍ତ ହିତାଧିକାରୀଙ୍କୁ ବଣ୍ଟନ ହେବ କାର୍ଡ । କଟକ ଜିଲ୍ଲାରେ ମୋଟ ୧୮ ଲକ୍ଷ କାର୍ଡ ବଣ୍ଟାଯିବ । ଏଥିମଧ୍ୟରୁ ୧୧ ଲକ୍ଷ କାର୍ଡ କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।
ସେହିପରି ମାହାଙ୍ଗା ବ୍ଲକର ୫ଟି ମେଡିକାଲରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ହଜାରରୁ ଅଧିକ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଘର ଘର ବୁଲି କାର୍ଡ ବାଣ୍ଟିବେ । ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ସମେତ ବିଭିନ୍ନ ମେଡିକାଲ ଅଫିସର ଉପସ୍ଥିତ ରହିଥିଲେ ।