୨୧ ବର୍ଷ ପରେ ଘରକୁ ଫେରିଲେ ହଜି ଯାଇଥିବା ପୁଅ, ମାଆ-ବାପାଙ୍କୁ ଭେଟି କହିଲେ-ଏହା ମୋର ପୁନର୍ଜନ୍ମ

NEWS7
awas-survey-to-continue-till-march-31

ନୂଆଦିଲ୍ଲୀ ୨୯।୧୨; ଚୀନ୍‌ରୁ ଏକ ମର୍ମସ୍ପର୍ଶୀ କାହାଣୀ ଏବେ ସାମ୍ନାକୁ ଆସିଛି । ସେଠାରେ ମାତ୍ର ୪ ବର୍ଷ ବୟସରେ ଅପହୃତ ହୋଇଥିବା ଜଣେ ଯୁବକ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ପରେ ନିଜ ପ୍ରକୃତ ବାପା-ମା’ଙ୍କ ନିକଟକୁ ଫେରିଛନ୍ତି । ଏହି ସାକ୍ଷାତକୁ ସେ ତାଙ୍କର ପୁନର୍ଜନ୍ମ ଭାବେ ଦର୍ଶାଇଛନ୍ତି । ସେହି ଯୁବକ ହେଲେ ପେଙ୍ଗ୍ କୋଙ୍ଗକୋଙ୍ଗ । ତାଙ୍କୁ ଏବେ ୨୬ ବର୍ଷ । ସେ ମୂଳତଃ ଦକ୍ଷିଣ ପୂର୍ବ ଚୀନ୍ର ଜିଆଙ୍ଗସୀ ପ୍ରଦେଶର ବାସିନ୍ଦା । ଡିସେମ୍ବର ୧୨ ତାରିଖରେ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ପେଙ୍ଗ୍ ତାଙ୍କର ଜୀବନ କାହାଣୀ ସଂପର୍କରେ ବର୍ଣ୍ଣନା କରିଥିଲେ । ତାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପେଙ୍ଗ୍ଙ୍କ ଅନୁସାରେ, ସେ ମାତ୍ର ୪ ବର୍ଷର ହୋଇଥିବାବେଳେ ତାଙ୍କ ପରିବାର ବେଜିଂକୁ ସ୍ଥାନାନ୍ତର ହୋଇଥିଲା । ଦିନେ ସେ ବଜାର ନିକଟରେ ଖେଳୁଥିବାବେଳେ କେହି ତାଙ୍କୁ ସେଠାରୁ ଫୁସୁଲାଇ ଅପହରଣ କରିନେଲା । ଏହାପରେ ତାଙ୍କ ବାପା-ମା’ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଇଥିଲେ । ଆଶା ନ ହରାଇ ଦୀର୍ଘ ୨୧ ବର୍ଷ ଧରି ଲଗାତର ତାଙ୍କର ସନ୍ଧାନ ଜାରି ରଖିଥିଲେ ।

ପେଙ୍ଗ୍ଙ୍କୁ ପୂର୍ବ ଚୀନ୍ର ଜିୟାଙ୍ଗସୁ ପ୍ରଦେଶରେ ଅନ୍ୟ ଏକ ପରିବାର ପାଳନ କରିଥିଲା । ସେଠାରେ ତାଙ୍କର ନାମ ବଦଳାଇ ଝାଙ୍ଗ୍ କୁନ୍ ରଖାଯାଇଥିଲା । ତେବେ ଗତବର୍ଷ ଡିସେମ୍ବର ମାସରେ ପୁଲିସ ଡିଏନ୍ଏ ପରୀକ୍ଷା ଜରିଆରେ ପେଙ୍ଗ୍ଙ୍କର ଅସଲି ବାପା-ମା’ଙ୍କର ସନ୍ଧାନ କରିଥିଲା । ପରେ ପେଙ୍ଗ୍ ପ୍ରକୃତ ବାପା-ମା’ ଏବଂ ଦୁଇ ଭଉଣୀଙ୍କୁ ଭେଟିବାକୁ ବେଜିଂ ଆସିଥିଲେ । ପରିବାର ଲୋକେ ତାଙ୍କୁ ତାଙ୍କର ଗାଁ ଜିୟାଙ୍ଗ୍ସୀକୁ ମଧ୍ୟ ବୁଲାଇ ନେଇଥିଲେ । ସେଠାରେ ଗାଁ ଲୋକେ ପେଙ୍ଗ୍ଙ୍କୁ ବାଣ-ବାଜା ସହ ସ୍ୱାଗତ କରିଥିଲେ । ଏହା ତାଙ୍କୁ ଘର ଭଳି ଅନୁଭବ ଦେଇଥିଲା । ପୂର୍ବରୁ ପେଙ୍ଗ୍ ଜିଆଙ୍ଗ୍ସୁରେ ଭଲ ଚାକିରି କରୁଥିଲେ ।

ତେବେ ପ୍ରକୃତ ପରିବାରକୁ ଭେଟିବା ପରେ ସେ ତାଙ୍କର ପାଳିତ ପରିବାର, ଚାକିରି ଆଦିକୁ ଛାଡ଼ି ଦେଲେ । ଜିଆଙ୍ଗ୍ସୁ ସହ ସବୁ ପ୍ରକାର ସଂପର୍କ ଛିନ୍ନ କରିଦେଲେ । ଏବେ ସେ ନିଖୋଜ ଥିବା ପିଲାଙ୍କ ସନ୍ଧାନରେ ସହାୟତା ଲାଗି ସ୍ୱୟଂସେବକ ପାଲଟିଛନ୍ତି । ନିଜ ରୋଜଗାରର ଅଧିକାଂଶ ଅଂଶକୁ ନିଖୋଜ ପିଲାଙ୍କ ସନ୍ଧାନ ପାଇଁ ଉଦ୍ୟମ କରୁଥିବା ସଂସ୍ଥାକୁ ଦାନ କରୁଛନ୍ତି । ୨୦୨୫କୁ ନିଜର ପୁନର୍ଜନ୍ମ ବୋଲି ଦର୍ଶାଇ ସେ ନିଜ ବାପା-ମା’ଙ୍କ ସେବା କରି ଅବଶିଷ୍ଟ ଜୀବନ ବିତାଇବେ ବୋଲି କହିଛନ୍ତି ।