ନୂଆଦିଲ୍ଲୀ: ଭାରତର ନୂଆ ଇଭି ପଲିସିରେ ଥିବା ନାନା ସୁବିଧା ସୁଯୋଗ ଯୋଗୁ ବିଦେଶୀ କମ୍ପାନୀଗୁଡ଼ିକୁ ଭାରତରେ ନିବେଶ କରିବାକୁ ବେଶ୍ ଆଗ୍ରହ ଦେଖାଉଛନ୍ତି। ମର୍ସିଡିଜ୍-ବେଞ୍ଜ, ସ୍କୋଡା-ଭୋକ୍ସୱାଗେନ୍, ହୁଣ୍ଡାଇ ଏବଂ କିଆ ଭଳି କମ୍ପାନି ଭାରତରେ ଇଭି କାରଖାନା ଖୋଲିବାକୁ ଆଗ୍ରହୀ ଥିବା ନିକଟରେ କେନ୍ଦ୍ରମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଥିଲେ। ଭାରତ ଅଟୋ ରପ୍ତାନୀରେ ଚୀନ ଓ ଜାପାନକୁ ବି ଟପିଯିବ ବୋଲି କୁହାଯାଉଥିଲା। ହେଲେ ଏବେ ଏହି ଆଶା ମଉଳିଲା ପରି ମନେ ହେଉଛି। ଏଥିରେ ମୁଖ୍ୟ ଖଳନାୟକ ସାଜିଛି ପଡ଼ୋଶୀ ଚୀନ। କାରଣ ଇଲେକ୍ଟ୍ରିକ୍ କାରି ତିଆରି ପାଇଁ ଆବଶ୍ୟକ ଦୁର୍ଲଭ ଖଣିଜ ପଦାର୍ଥ ରପ୍ତାନୀରେ କଟକଣା ଲଗାଇ ଦେଇଛି ଚୀନ। ସ୍ଥିତି ଏମିତି ହେଲାଣି ଆଉ କିଛି ସପ୍ତାହ ପରେ ଇଭି ପ୍ରଡକ୍ସନ ବନ୍ଦ ହୋଇଯାଇ ପାରେ।
ଇଲେକ୍ଟ୍ରିକ୍ ଜାନ ତିଆରି କରିବାକୁ ଆବଶ୍ୟକ ଥିବା ଦୁର୍ଲଭ ଖଣିଜ ପଦାର୍ଥ ଆର୍ଥ ମ୍ୟାଗ୍ନେଟ୍ର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଚୀନ। ଯାହା ପରେ ସାରା ବିଶ୍ୱରେ ଇଭି ସେକ୍ଟର ହଇଚଇ ସୃଷ୍ଟି ହୋଇଛି। ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଭାରତୀୟ ଅଟୋ କମ୍ପାନୀ। ଯଦି ଏଭଳି ସ୍ଥିତି ଲାଗି ରହିଲା ତେବେ ସପ୍ତାହ ମଧ୍ୟରେ ଭାରତରେ ଇଭି ପ୍ରଡକ୍ସନ ବାଧା ପ୍ରାପ୍ତ ହେବାର ଆଶଙ୍କା ରହିଛି। ଘଟଣା ସମ୍ପର୍କରେ ଅବଗତ ଥିବା ଇଣ୍ଡଷ୍ଟ୍ରୀ ଓ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ନେଇ ବ୍ଲୁମବର୍ଗ ଏହି ରିପୋର୍ଟ ପ୍ରକାଶ କରିଛି।
ନା ଗୋପନ ରଖିବା ସର୍ତ୍ତରେ ଅଧିକାରୀମାନେ କହିଛନ୍ତି ଯେ ଭାରତ ଆସୁଥିବା ଶିପ୍ମେଣ୍ଟର ଦୁଇଟି ଆବେଦନକୁ ଚୀନ ଖାରଜ କରିଦେଇଛି। ଏକ ବିଶ୍ୱସ୍ତରୀୟ କମ୍ପାନୀ ଭାରତରେ ଥିବା ନିଜର ୟୁନିଟ୍ ପାଇଁ ଚୁମ୍ବକ ଆମଦାନୀ କରିବାକୁ ଚୀନକୁ ଅନୁରୋଧ କରିଥିଲା, ହେଲେ ଚୀନ୍ ସରକାର ତୁରନ୍ତ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ହେଲେ ସେହି କମ୍ପାନୀର ଜର୍ମାନ ଏବଂ ଆମେରିକୀୟ ୟୁନିଟ୍କୁ ଚୁମ୍ବକ ଆମଦାନୀ କରିବାକୁ ଅନୁମତି ଦିଆଯାଇଥିଲା।
ଅଧିକାରୀ ଜଣଙ୍କ କହିଛନ୍ତି ଯେ ଚୀନ ୭ଟି ଦୁର୍ଲଭ ଖଣିଜ ପଦାର୍ଥର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିବା ପରେ ଏପ୍ରିଲ ୪ ତାରିଖରୁ ଭାରତୀୟ ଅଟୋ ନିର୍ମାତାଙ୍କ ସପ୍ଲାଏ ଚୀନ ବନ୍ଦରରେ ଅଟକି ରହିଛି। ଦୁର୍ଲଭ ଖଣିଜର ଭାଗ ଥିବା ଚୁମ୍ବକ ଉପରେ ବି ଚୀନ ପ୍ରତିବନ୍ଧକ ଲଗାଇଛି। ଏହିସବୁ ଖଣିଜ ପଦାର୍ଥ ଫାଇଟର ଜେଟ୍ ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ ଭେଇକଲ ଓ ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ନିର୍ମାଣରେ ଆବଶ୍ୟକ ହେଉଛି। ତେଣୁ ଚୀନର କଟକଣା ଭାରତକୁ ଏ ଦିଗରେ ଅଗ୍ରଗତି କରିବାକୁ ଦେଉ ନାହିଁ।
ସେପଟେ ଭାରତର, ଚୀନ୍ ସହ ଜଟିଳ ସମ୍ପର୍କକୁ ଦୃଷ୍ଟିରେ ରଖି ଅଟୋ ସେକ୍ଟର ଅନିଶ୍ଚିତତାରେ ରହିଛି। ସୀମା ବିବାଦ ନେଇ ଯଦିଓ ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଥମିଛି, ତେବେ ଭାରତ କିନ୍ତୁ ଚୀନ ନିବେଶ ଉପରେ କଟକଣା ଏବେ ବି ଜାରି ରଖିଛି।
ଏପ୍ରିଲରେ ଆମେରିକାର କଡ଼ା ଶୁଳ୍କ ବିରୁଦ୍ଧରେ ଚୀନ ନୂଆ କଠୋର ଉପଭୋକ୍ତା ପ୍ରମାଣପତ୍ର ପ୍ରକ୍ରିୟା ଲାଗୁ କରିଥିଲା। ଏଥିରେ ଆମଦାନୀ ହେଉଥିବା ଚୁମ୍ବକଗୁଡ଼ିକୁ ପ୍ରତିରକ୍ଷା ପାଇଁ ବ୍ୟବହାର କରାଯିବ ନାହିଁ କିମ୍ବା ଆମେରିକାକୁ ପୁନଃ ରପ୍ତାନି କରାଯିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା। ଏହି ପ୍ରକ୍ରିୟା ଅତି କମରେ ୪୫ ଦିନ ସମୟ ଲାଗୁଥିବାରୁ ବିଶ୍ୱରେ ଆମଦାନୀର ଏକାଧିକ ଆବେଦନ ଲମ୍ବିତ ରହିଛି।
ଭାରତ ପକ୍ଷରୁ ଅତି କମ୍ରେ ୩୦ ଟି ଆମଦାନୀ ଆବେଦନ କରାଯାଇଥିବା ବେଳେ ଚୀନ ପକ୍ଷରୁ କୌଣସି ଗୋଟିଏ ବି ଆବେଦନକୁ ଅନୁମୋଦନ ଦିଆଯାଇ ନାହିଁ। ତେଣୁ ଏହି ଦୁର୍ଲଭ ଖଣିଜର ଏପର୍ଯ୍ୟନ୍ତ କୌଣସି ଶିପ୍ମେଣ୍ଟ ଭାରତ ଆସି ନାହିଁ ବୋଲି ଅଧିକାରୀ ଜଣଙ୍କ ବ୍ଲୁମବର୍ଗକୁ କହିଛନ୍ତି। ତେବେ ଅନ୍ୟ ଦେଶରେ ଥିବା ଏହି ଗ୍ଲୋବାଲ କମ୍ପାନୀଗୁଡ଼ିକର ଆବେଦନ ମଧ୍ୟରୁ ୧୧ଟିକୁ ଚୀନ ଅନୁମତି ମିଳିଥିବା ସେ କହିଛନ୍ତି।
ଚୀନ ଦୁର୍ଲଭ ଖଣିଜ ପଦାର୍ଥର ରପ୍ତାନୀ ବନ୍ଦ କରିବା ଦ୍ୱାରା ଭାରତରୀୟ ଅଟୋ ସେକ୍ଟର ଗଭୀର ଭାବେ ପ୍ରଭାବିତ ହେବାକୁ ଯାଉଛି। ଭାରତୀୟ କମ୍ପାନୀଗୁଡ଼ିକ ପାଖରେ ଏହିସବୁ ସାମଗ୍ରୀର ଆଉ କିଛି ସପ୍ତାହ ପାଇଁ ଷ୍ଟକ୍ ରହିଛି। ଯଦି ଏହାର ସମାଧାନ ନ ହୁଏ ତେବେ ଇଭି ପ୍ରଡକ୍ସନ ବନ୍ଦ ହୋଇପାରେ ବୋଲି ଅଟୋମୋବାଇଲ ନିର୍ମାତା ସୋସାଇଟି ବା SIAM ଆଶଙ୍କା ପ୍ରକାଶ କରିଛି। ଏବଂ ଚୀନ ସହ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ସିଆମ ଦାବି କରିଛି।
ସ୍ଥିତି ଜଟିଳ ହେବା ପୂର୍ବରୁ ଚୀନ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନ କରିବାକୁ ସିଆମ ମେ ୨୮ ତାରିଖରେ ଭାରତ ସରକାରକୁ ପ୍ରସ୍ତାବ ଦେଇଥିଲେ। ଲମ୍ବିତ ଥିବା ଆବେଦନର ଅନୁମୋଦନର ବ୍ୟବସ୍ଥା କରିବା ଓ ଚୀନ ଲଗାଇଥିବା କଡ଼ା ନିୟମର ପ୍ରକ୍ରିୟାକୁ ସରଳ କରିବାକୁ ଏଥିରେ ଦାବି କରାଯାଇଥିଲା।
ଦୁର୍ଲଭ ସାମଗ୍ରୀଗୁଡ଼ିକର ଆବଶ୍ୟକତା ଦର୍ଶାଇ ସିଆମ କହିଛି ବିରଳ ଚୁମ୍ବକ ଜୀବାଶ୍ମ-ଇନ୍ଧନ ଚାଳିତ କାର ପାଇଁ ଗୁରୁତ୍ୱପୂର୍ଣ୍ଣ ସତ କିନ୍ତୁ ଇଲେକ୍ଟ୍ରିକ୍ ଯାନବାହନ ପାଇଁ ନିହାତି ଦରକାର। ଯଦି ଗୋଟିଏ ବି ମ୍ୟାଗ୍ନାଟାଇଜ୍ ପାର୍ଟ ନ ରହେ ତେବେ କାର ତିଆରି କରାଯାଇପାରିବ ନାହିଁ। ଯଦି ଆମଦାନୀ ଉପରେ ଏଭଳି ପ୍ରତିବନ୍ଧକ ଲଗାଯାଏ, ତେବେ ଅଟୋମେକରମାନଙ୍କ ଚୁମ୍ବକ ଯୋଗାଣ ଏହି ମାସର ଆରମ୍ଭରେ ଶେଷ ହୋଇଯିବ। ଫଳରେ କିଛି ଭାରତୀୟ କମ୍ପାନୀ ଚୀନରେ ପ୍ରଡକ୍ସନ ପ୍ଲାଣ୍ଟ ସ୍ଥାପନ କରିବାକୁ ବାଧ୍ୟ ହେବେ ବୋଲି ସିଆମ୍ କହିଛି।
ତେବେ ଚୀନ ଭାରତୀୟ କମ୍ପାନୀ ପାଇଁ ପ୍ରାମାଣିକତା ପ୍ରକ୍ରିୟାରେ ଅତି ଜଟିଳ କରିଛି। ଯାହାକୁ ପୂରଣ କରିବାକୁ ଦୀର୍ଘଦିନ ସମୟ ଲାଗୁଛି। ଗତ ସପ୍ତାହରେ ଏନେଇ ବାଜାଜ ଅଟୋ ଲିମିଟେଡ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଶର୍ମା ଚିନ୍ତା ବ୍ୟକ୍ତ କରିଥିଲେ। ଦୁର୍ଲଭ ଖଣିଜ ଆମଦାନୀ ସ୍ଥିତି ଜଟିଳ ସ୍ଥିତିରେ ରହିଛି। ଯୋଗାଣ ଏବଂ ଷ୍ଟକ୍ ହ୍ରାସ ପାଉଛି, ଏବଂ ଯଦି ସପ୍ଲାଏରେ କୌଣସି ସମାଧାନ ନହୁଏ, ତେବେ ଜୁଲାଇରେ ଉତ୍ପାଦନ ଗୁରୁତର ଭାବରେ ପ୍ରଭାବିତ ହେବ ବୋଲି ସେ କହିଥିଲେ।
ଉଦ୍ୟୋଗ ବିଭାଗ ଚିନ୍ତା ବ୍ୟକ୍ତ କରିବାପରେ ଭାରତୀୟ ଦୂତାବାସ ପକ୍ଷରୁ ଚୀନ ବାଣିଜ୍ୟ ମନ୍ତ୍ରଣାଳୟ ସହିତ ଆଲୋଚନା କରିଛି। ଏବଂ ଆବେଦନଗୁଡ଼ିକର ତୁରନ୍ତ ଅନୁମୋଦନ ସହିତ ଆବେଦନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ଅନୁରୋଧ କରାଯାଇଛି। ତେବେ ଭାରତ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସିଧାସଳଖ କୌଣସି ହସ୍ତକ୍ଷେପ କରା ଯାଇନାହିଁ। ତେବେ ଏନେଇ ଆସନ୍ତା ସପ୍ତାହରେ ଭାରତ ସରକାରଙ୍କର ଏକ ପ୍ରତିନିଧ ଦଳ ଚୀନ ଗସ୍ତ କରି ଆଲୋଚନା କରିବେ।
ତେବେ ଦୁର୍ଲଭ ଖଣିଜ ପଦାର୍ଥ ରପ୍ତାନୀ କରିବାକୁ ଚୀନ ଭାରତ ସହିତ ସଉଦା କରିପାରେ ବୋଲି କୁହାଯାଉଛି। ଏହା ବଦଳରେ ଚୀନ କିଛି ଡିମାଣ୍ଡ କରିବାର ଆଶଙ୍କା ରହିଛି।
ସରକାରୀ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଏହି ଅଚଳାବସ୍ଥା ଦୂର କରିବା ପାଇଁ ବିକଳ୍ପଗୁଡ଼ିକ ଉପରେ ଆଲୋଚନା କରିବାକୁ ସପ୍ତାହ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ହୋଇଥିଲା। ଭାରତୀୟ ସରକାରୀ ଅଧିକାରୀମାନେ ଶିଳ୍ପ ପ୍ରତିନିଧିମାନଙ୍କୁ ଖଣିଜ ପଦାର୍ଥ ଆମଦାନୀ ପାଇଁ ବିକଳ୍ପ ଯୋଗାଣ ଶୃଙ୍ଖଳ ଉପରେ କାମ ଆରମ୍ଭ କରିବା ଓ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସ୍ୱଦେଶୀ ବିଶୋଧନ କ୍ଷମତା ବିକାଶ କରିବାକୁ କହିଥିଲେ। ତେବେ ଦେଶରେ ବିଶୋଧନ କ୍ଷମତା ବିକାଶ କରିବା ତୁରନ୍ତ ସମାଧାନ ନୁହେଁ, ଏହା ଦୀର୍ଘ ବର୍ଷର ପ୍ରକଳ୍ପ ହୋଇପାରେ। ତେଣୁ ଏହା ବର୍ତ୍ତମାନ ଭାରତର ଶିଳ୍ପ ପାଇଁ ଚିନ୍ତାର କାରଣ ପାଲଟିଛି।
ଏହା ବାଦ୍ କମ୍ପାନୀମାନଙ୍କୁ ଫେରାଇଟ୍ ମ୍ୟାଗ୍ନେଟ୍ କିମ୍ବା ମ୍ୟାଗ୍ନେଟ ଫ୍ରି ଡିଜାଇନ୍ ଉପରେ ବିଚାର କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ସରକାର ପ୍ରସ୍ତାବ ତୁରନ୍ତ ସମାଧାନ ନୁହେଁ ବୋଲି ବିଚାର କରି ଭାରତୀୟ କମ୍ପାନୀମାନେ ବର୍ତ୍ତମାନ ମହଙ୍ଗା ସମାଧାନ ଉପାୟ ଉପରେ ବିଚାର କରୁଛନ୍ତି। ଯେପରିକି ମୋଟର କିମ୍ବା ସବ୍-ଆସେମ୍ବଲି ଆମଦାନି କରିବା, ପେଟ୍ରୋଲ ଓ ଡିଜେଲ୍ ଗାଡ଼ି ଉପରେ ଧ୍ୟାନ କେନ୍ଦ୍ରିତ କରିବା କିମ୍ବା ଘରୋଇ ଇଭି ଅପେକ୍ଷା ରପ୍ତାନିକୁ ଅଧିକ ପ୍ରାଥମିକତା ଦେବା ଆରମ୍ଭ କରିଦେଇଛନ୍ତି। ବିଶେଷଜ୍ଞମାନେ ଏଭଳି ସ୍ଥିତିକୁ ଏକ ସୁଯୋଗ ଭାବରେ ଦେଖିଛନ୍ତି।
ଦୁର୍ଲଭ ଖଣିଜ ପଦାର୍ଥ ଅଭାବ ଦୂର କରିବା ପାଇଁ ଭାରତ ସରକାର ଯେଉଁ ପରାମର୍ଶ ଦେଇଛନ୍ତି ତା’ ଉପରେ ହଠାତ୍ କାମ କରିବା କଷ୍ଟକର। ହେଲେ ଭାରତ କିନ୍ତୁ ଏହାର ଆବଶ୍ୟକତାକୁ ବହୁ ପୂର୍ବରୁ ଚିହ୍ନି ସାରିଥିଲା। ଏହି ଦୁର୍ଲଭ ଖଣିଜର ବିଶୋଧନ ଓ ଉତ୍ପଦାନ କରିବାକୁ ୧୯୫୦ ମସିହାରେ ଇଣ୍ଡିଆ ରେୟାର ଆର୍ଥସ୍ ଲିମିଟେଡର ପ୍ରତିଷ୍ଠା କରାଯାଇଥିଲା।
ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ, ଆର୍ଥିକ ବର୍ଷ ୨୪ରେ ଭାରତ ପ୍ରାୟ ୪୬୦ ଟନ୍ ବିରଳ ଆର୍ଥ ମ୍ୟାଗନେଟ୍ ଆମଦାନୀ କରିଥିଲା, ଏସବୁ ପ୍ରାୟ ସମସ୍ତ ଚୀନ୍ ନିର୍ମାତାଙ୍କଠାରୁ ଆସିଥିଲା। ଆର୍ଥିକ ବର୍ଷ ୨୫ରେ ଏହି ସଂଖ୍ୟା ୭୦୦ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶା କରାଯାଉଛି।
ବିଶ୍ୱର ପ୍ରାୟ ୬ ପ୍ରତିଶତ ବିରଳ ଖଣିଜ ପଦାର୍ଥର ସଂରକ୍ଷଣ କେବଳ ଭାରତରେ ରହିଛି। ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭାରତ ଖୁବ୍ଶୀଘ୍ର ଜାଣିପାରିଥିଲା। ଏସବୁ ସାମଗ୍ରୀର ଉତ୍ପାଦାନ କରିବା ଏବଂ ଏଥିରେ ଗବେଷଣା ଏବଂ ବିକାଶ କରିବା ପାଇଁ ୧୯୫୦ ମସିହାରେ ଇଣ୍ଡିଆ ରେୟାର ଆର୍ଥସ୍ ଲିମିଟେଡ୍ (IREL) ପ୍ରତିଷ୍ଠା ମଧ୍ୟ କରାଯାଇଥିଲା। ହେଲେ ସେବେଠାରୁ ଏହି ସଂସ୍ଥାରେ ସେତେଟା ଉନ୍ନତି ହୋଇ ନାହିଁ। ରିସର୍ଚ୍ଚ କ୍ଷେତ୍ର ସଂଘର୍ଷପୂର୍ଣ୍ଣ ରହିଛି।
ସେପଟେ, କେନ୍ଦ୍ର ସରକାର ନିକଟରେ ନୂଆ ଇଭି ପଲିସି ଆଣି ବିଦେଶୀ କମ୍ପାନୀକୁ ଭାରତରେ ନିବେଶ ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ଅଟୋମେକରମାନଙ୍କୁ ମାତ୍ର ୧୫% ଆମଦାନୀ ଶୁଳ୍କରେ ୩୫ ହଜାର ଡଲାରରୁ ଅଧିକ ମୂଲ୍ୟର ଇଭି ସିଧାସଳଖ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି। ଅବଶ୍ୟ ଏହି ସୁବିଧାର ଫାଇଦା ନେବା ପାଇଁ କମ୍ପାନୀଗୁଡ଼ିକୁ ପ୍ରଥମେ ଭାରତରେ ଫ୍ୟାକ୍ଟ୍ରି ଲଗାଇବାକୁ ପଡ଼ିବ।
ସେହିଭଳି ଘରୋଇ ଇଭି ନିର୍ମାତାଙ୍କ ସ୍ୱାର୍ଥକୁ ମଧ୍ୟ ଦୃଷ୍ଟିରେ ରଖି ସରକାର କିଛି ସର୍ତ୍ତ ରଖିଛନ୍ତି। ତାହା ହେଉଛି ବିଶ୍ୱସ୍ତରୀୟ ନିର୍ମାତାମାନେ ପ୍ରଥମ ତିନି ବର୍ଷ ମଧ୍ୟରେ ସେମାନଙ୍କର EV କମ୍ପୋନେଣ୍ଟ୍ସର ଅତି କମରେ ୨୫% ଏଠାରେ ହିଁ ତିଆରି କରିବେ। ଆଉ ପାଞ୍ଚ ବର୍ଷ ମଧ୍ୟରେ ଏହା ୫୦%କୁ ବୃଦ୍ଧି କରିବାକୁ ହେବ।
ଇଭି ପଲିସିରେ ଥିବା ସୁବିଧାର ଲାଭ ଉଠାଇବା ପାଇଁ ବିଭିନ୍ନ କମ୍ପାନୀ ଭାରତରେ ନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି। ଭାରତରେ EV ଉତ୍ପାଦନ କରିବାକୁ ମର୍ସିଡିଜ୍-ବେଞ୍ଜ, ସ୍କୋଡା-ଭୋକ୍ସୱାଗେନ୍, ହୁଣ୍ଡାଇ ଏବଂ କିଆ ଭଳି କମ୍ପାନି ବେଶ୍ ଆଗ୍ରହୀ ଥିବା ନିକଟରେ କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ସୂଚନା ଦେଇଥିଲେ। ହେଲେ ଚୀନର କଟକଣା ଏଥିରେ ବାଧକ ସାଜିପାରେ।
ଏପ୍ରିଲ ମାସରେ ଆମେରିକା ଚୀନ ସହ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରି ଟାରିଫ ବୃଦ୍ଧି କରିଥିଲା। ଯାହାର ଜବାବରେ ଚୀନ ଟାରିଫ ବୃଦ୍ଧି କରିବା ସହିତ ଦୁର୍ଲଭ ଖଣିଜ ରପ୍ତାନୀରେ କଟକଣା ଘୋଷଣା କରିଥିଲା। ଏହାପରେ ଠାରୁ ବିଶ୍ୱ ଇଭି ଅଟୋ ଇଣ୍ଡଷ୍ଟ୍ରୀରେ ଏହି ସମସ୍ୟା ଦେଖା ଦେଇଛି। ଏଥିରେ କେବଳ ଭାରତ ନୁହେଁ, ଆମେରିକା, ଜାପାନ ଓ ୟୁରୋପ ଅଟୋ ଇଣ୍ଡଷ୍ଟ୍ରୀ ମଧ୍ୟ ଗଭୀର ପ୍ରଭାବିତ ହୋଇଛନ୍ତି। ସ୍ଥିତି ଏମିତି ହୋଇଛି ଯେ ସୁଜକି ଓ ବିଏମ୍ଡବ୍ଲୁ ,ଫୋର୍ଡ ଭଳି କମ୍ପାନୀ ପ୍ରଡକ୍ସନ ବନ୍ଦ କରିଛନ୍ତି।
ରେୟାର ଅର୍ଥ୍ ମ୍ୟାଟେରିଆଲର ରପ୍ତାନୀ ଉପରେ ଚୀନ ପ୍ରତିବନ୍ଧକ ପରେ ଏହାର ସିଧା ପ୍ରଭାବ ପଡ଼ିଛି ଦୁନିଆର ଅଟୋ ଇଣ୍ଡଷ୍ଟ୍ରି ଉପରେ। ସ୍ଥିତି ଏଭଳି ହେଲାଣି ମାରୂତି ସୁଜୁକୀର ପ୍ୟାରେଣ୍ଟ କମ୍ପାନି ସୁଜୁକୀ ମୋଟର କର୍ପୋରେସନ, ଜାପାନରେ ଏହାର ଲୋକପ୍ରିୟ ମଡେଲ ସ୍ବିଫ୍ଟର ଉତ୍ପାଦନ ବନ୍ଦ କରିଛି। ୟୁରୋପର ମଧ୍ୟ ସମାନ ସ୍ଥିତି। କିଛି ଅଟୋ କମ୍ପାନି ଦୁର୍ଲଭ ଖଣିଜ ପଦାର୍ଥର ଅଭାବ କାରଣରୁ ପ୍ରଡକ୍ସନ ବନ୍ଦ କଲେଣି। ପ୍ରଡକ୍ସନ ବନ୍ଦ କରିଥିବା କମ୍ପାନିଙ୍କ ମଧ୍ୟ ମଧ୍ୟରେ ଅଛନ୍ତି ଫୋର୍ଡ, ନିସାନ, BMW ଏବଂ ମର୍ସିଡିଜ ଭଳି କମ୍ପାନି। ଏହି ସମସ୍ତ କମ୍ପାନୀ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଥିବା ରୟଟର୍ସରେ ରିପୋର୍ଟ ପ୍ରକାଶ ପାଇଛି।
ରେୟର ଅର୍ଥ ମ୍ୟାଟେରିଆଲର ବ୍ୟବହାର ମୁଖ୍ୟତଃ ଇଲେକ୍ଟ୍ରିକ ଗାଡ଼ିରେ କରାଯାଇଥାଏ। ଏହାର ବ୍ୟବହାର ପରମାନେଣ୍ଟ ମ୍ୟାଗ୍ନେଟ ଇଲେକ୍ଟ୍ରିକ ମୋଟର୍ସ ପାଇଁ କମ୍ପାକ୍ଟ ଏବଂ ହାଇ ପରଫରମାନ୍ସ ମ୍ୟାଗ୍ନେଟ ତିଆରି ପାଇଁ କରାଯାଇଥାଏ। ନିୟୋଡିମିୟମ, ଡିସ୍ପ୍ରୋସିୟମ ଏବଂ ଟେରବିୟମ ଭଳି ପଦାର୍ଥରେ ତିଆରି ଚୁମ୍ବକ, ମୋଟରକୁ ଛୋଟ, ହାଲୁକା ଏବଂ ଅନ୍ୟ ବିକଳ୍ପ ତୁଳନାରେ ଅଧିକ ଦକ୍ଷ କରିଥାଏ। ଯାହା ଇଭିର ରେଞ୍ଜ ଏବଂ ପରଫରମାନ୍ସକୁ ବଢାଇଥାଏ।
ଏହାର ବ୍ୟବହାର ICE ଗାଡ଼ିରେ ବ୍ୟବହାର ହେଉଥିବା କାଟାଲିକ୍ କନଭର୍ଟର ଭଳି ଅଟୋ କମ୍ପୋନେଣ୍ଟ୍ସରେ ମଧ୍ୟ କରାଯାଇଥାଏ। ଏହା ବ୍ୟତୀତ ଇଭି ଏବଂ ଆଇସିଇ ଉଭୟ ପ୍ରକାରର ଯାନରେ ଲାଗୁଥିବା ଅନେକ ସିଷ୍ଟମରେ ସେନ୍ସରରୁ ନେଇ ଡିସପ୍ଲେ ପର୍ଯ୍ୟନ୍ତ ଏହି ଧାତୁର ବ୍ୟବହାର କରାଯାଇଥାଏ।
ବଡ଼ କଥା ହେଲା ବିଶ୍ୱରେ, ଚୀନ୍ ହିଁ ପ୍ରାୟ ୭୦% ରେୟାର ଅର୍ଥ ମ୍ୟାଟେରିଆଲର ମାଇନିଂ କରୁଥିବାବେଳେ ପ୍ରାୟ ୯୦% ପ୍ରଡକ୍ସନ କରୁଛି। ନିକଟରେ ଆମେରିକା ସହ ଟ୍ରେଡ ୱାର ଯୋଗୁ ଚୀନ ୭ଟି ମୂଲ୍ୟବାନ ଧାତୁର ରପ୍ତାନୀ ଉପରେ ରୋକ ଲଗାଇଛି।