WTC Final: ରାବଡାଙ୍କ ଘାତକ ବୋଲିଂ, ଅଷ୍ଟ୍ରେଲିଆ ୨୧୨ ରନରେ ଅଲଆଉଟ୍

Published By : Prameya-News7 Bureau | June 11, 2025 IST

ଲର୍ଡ୍ସ: ବୁଧବାରଠୁ ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲା। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଟାଇଟଲ୍ ମୁକାବିଲାର ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ୨୧୨ ରନରେ ଅଲଆଉଟ୍ ହୋଇଛି। କାଗିସୋ ରାବଡ଼ା ଓ ମାର୍କୋ ଜନସେନଙ୍କ ଘାତକ ବୋଲିଂ କରି କଙ୍ଗାରୁ ଦଳକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଓ୍ବେବଷ୍ଟର ସର୍ବାଧିକ ୭୨ ରନ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୬୬ ରନ କରିଛନ୍ତି। ବୋଲିଂରେ କାଗିସୋ ରାବଡା ୫୧ ରନ ଦେଇ ୫ ଓ୍ଵିକେଟ୍ ଓ ମାର୍କୋ ଜନସେନ ୪୯ ରନ ଦେଇ ୩ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଆରମ୍ଭରୁ ଡବଲ ଝଟକା ଲାଗିଥିଲା। ୧୨ ରନ ସ୍କୋରରେ ଉସ୍ମାନ ଖ୍ଵାଜା ଖାତା ଖୋଲି ପାରି ନ ଥିଲେ। ଏହାପରେ କ୍ୟାମେରୁନ ଗ୍ରୀନ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ। ଉଭୟ କାଗିସୋ ରାବଡ଼ାଙ୍କ ଶିକାର ହୋଇଥିଲେ। ମାର୍ନସ ଲାବୁସେନ କ୍ରିଜରେ ଜମିଥିଲେ ହେଁ ୧୭ ରନ କରି ପାଭିଲିୟନ ଫେରିଥିଲେ। ଟ୍ରେଭିସ ହେଡ(୧୧) ନିରାଶ କରିଥିଲେ। ୬୭ ରନରେ ୪ ଓ୍ଵିକେଟ୍ ହରାଇ  ଚାପଗ୍ରସ୍ତ ହୋଇଥିଲା ଅଷ୍ଟ୍ରେଲିଆ। ଏହା ପରେ ଷ୍ଟିଭ ସ୍ମିଥ ଓ ଓ୍ବେବଷ୍ଟର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୭୯ ରନ ଯୋଡ଼ି ଦଳର ସ୍କୋରକୁ ୧୪୬ ରନରେ ପହଞ୍ଚାଇଥିଲେ। ଚମତ୍କାର ବ୍ୟାଟିଂ କରି ସ୍ମିଥ ୬୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। 

ଏହି ଯୋଡ଼ି ଭାଙ୍ଗିବା ପରେ ପୁଣି ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ଅଷ୍ଟ୍ରେଲିଆ। ଆଲେକ୍ସ କେରି ୨୩ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ପାଟ୍ କମିନ୍ସ(୧) ଓ ମିଚେଲ୍ ଷ୍ଟାର୍କ(୧) ରାବଡ଼ାଙ୍କ ବଲରେ ଆଉଟ୍ ହୋଇଥିଲେ। ଅନ୍ୟପଟେ ଦ୍ରୁତ ବ୍ୟାଟିଂ କରି ଓ୍ଵେବଷ୍ଟର ୯୧ ବଲରୁ ୧୧ ଚୌକା ସହ ୭୨ ରନର ଇନିଂସ ଖେଳିଥିଲେ। ଓ୍ଵେବଷ୍ଟରଙ୍କୁ ଆଉଟ୍ କରି ରାବଡ଼ା ନିଜର ପଞ୍ଚମ ସଫଳତା ହାସଲ କରିଥିଲେ। ନାଥନ ଲିୟନ ଖାତା ଖୋଲି ପାରି ନ ଥିଲେ। ଶେଷରେ ଅଷ୍ଟ୍ରେଲିଆ ୫୬.୪ ଓଭରରେ ୨୧୨ ରନରେ ଅଲଆଉଟ୍ ହୋଇଛି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.