ସ୍ୱାଧୀନତା ସଂଗ୍ରାମ ଏନ୍ତୁଡ଼ିଶାଳରେ ପୁଣି ଚାଲିବ ବାପୁଙ୍କ ‘ଚରଖା’, ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ

NEWS7
attack-on-woman-cost-dearly-two-convicts-go-to-jail

କଟକ ୩୧/୦୧:ଦିନେ ଇଂରେଜମାନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା ‘ଚରଖା’ । ଚରଖା ବୁଣିଥିଲା ସ୍ୱଦେଶୀର ବୀଜ । ‘କୁଟି ଖାଅ, କାଟି ପିନ୍ଧ’ ଥିଲା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ । ଏଥିପାଇଁ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରିୟ ଅସ୍ତ୍ର ଥିଲା ଏହି ଚରଖା । ଏହି ଆଧାରରେ କଟକରେ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ କୁହାଯାଉଥିବା ସ୍ୱରାଜ ଆଶ୍ରମରେ ଦିନେ ଚରଖା ଚାଲୁଥିଲା । ତେବେ ସମୟକ୍ରମେ ସ୍ୱରାଜ ଆଶ୍ରମରେ ଚରଖା ବନ୍ଦ ହୋଇଯାଇଥିଲା । ଦୀର୍ଘ ଦିନ ପରେ ଏବେ ପୁଣି ସ୍ୱରାଜ ଆଶ୍ରମରୁ ଶୁଭିବ ଚରଖାର ଶବ୍ଦ ।

ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ସ୍ୱରାଜ ଆଶ୍ରମରେ ଖୋଲିଛି ଚରଖା କେନ୍ଦ୍ର । ସ୍ୱରାଜ ଆଶ୍ରମରେ ଚରଖାର ଶବ୍ଦକୁ ଫେରାଇ ଆଣିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ବାପୁଙ୍କ ରାଜ୍ୟ ଗୁଜରାଟର ଅହମ୍ମଦାବାଦ୍ରୁ ୧୨ଟି ସ୍ୱତନ୍ତ୍ର ଚରଖା ଅଣାଯାଇଛି । ଏଥିସହ ମଧ୍ୟପ୍ରଦେଶର ସିହୋର୍ ସ୍ଥିତ ଖଦି ଗ୍ରାମ୍ୟ ଏବଂ ଶିଳ୍ପ କମିସନରୁ ୧୦ କୁଇଣ୍ଟାଲ ରୋଭରିଂ ସୂତା ବା ତୁଳା ଅଣାଯାଇଛି । ଏଥିରୁ ସୂତା ଉତ୍ପାଦନ କରାଯିବା ସହ ଖଦି ମଧ୍ୟ ଉତ୍ପାଦନ କରାଯିବ ।

ଏଥିପାଇଁ ବର୍ତ୍ତମାନ କେନ୍ଦୁପାଟଣାର ଚିତ୍ରୋତ୍ପଳା ଖଦି ଗ୍ରାମୋଦ୍ୟୋଗକୁ ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥା ଜରିଆରେ ସୂତା ସାଙ୍ଗକୁ ଖଦି ମଧ୍ୟ ପ୍ରସ୍ତୁତ କରାଯିବ । ଅପରପକ୍ଷରେ ଯେଉଁମାନେ ଚରଖା ଚଲାଇବାକୁ ଆଗ୍ରହୀ ବା ଖଦି ଉତ୍ପାଦନ କାର୍ଯ୍ୟ ଶିଖିବା ପାଇଁ ଆଗ୍ରହୀ ସେମାନଙ୍କୁ ମଧ୍ୟ ତାଲିମ ଦେବାର ବ୍ୟବସ୍ଥା ରହିଛି । ଏହି ତାଲିମ କାର୍ଯ୍ୟକ୍ରମ ଖଦି ଗ୍ରାମ ଏବଂ ଶିଳ୍ପ କମିସନଙ୍କ ପକ୍ଷରୁ ଦିଆଯିବ ବୋଲି କଟକ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ସୂଚନା ଦେଇଛନ୍ତି ।

ଶ୍ରୀ ସାହୁ କହିଛନ୍ତି, ସ୍ୱରାଜ ଆଶ୍ରମ ପୁଣିଥରେ ଚଳଞ୍ଚଚଳ ହୋଇଉଠିବ । ଏହା ମଧ୍ୟରୁ ପୁଣିଥରେ ଚରଖାର ଘରଘର ଶବ୍ଦ ଶୁଭିବ । ଏଠାରେ ଚରଖାରୁ କଟା ଯାଉଥିବା ସୂତା କେବଳ ବସ୍ତ୍ର ତିଆରି କରିବାରେ ସାହାଯ୍ୟ କରିବନି, ବରଂ ବାପୁଙ୍କ ଅହିଂସା ମନ୍ତ୍ରରେ ସଭିଙ୍କୁ ଏକତାର ସୂତ୍ରରେ ବାନ୍ଧିଦେବ । ଉଲ୍ଲେଖନୀୟ, ସ୍ୱରାଜ ଆଶ୍ରମରେ ପ୍ରଥମେ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ବାପୁ ପାଦ ଦେଇଥିଲେ ।

୨୩ ଏବଂ ୨୪ ଦୁଇଦିନ ସେ ପତ୍ନୀ କସ୍ତୁରବା ଏବଂ ସାନ ପୁତ୍ର ଦେବଦାସଙ୍କ ସହ ଏହିଠାରେ ରହିଥିଲେ । ପୁଣି ୧୯୨୫ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶା ଆସିଥିବା ବେଳେ ଏହି ଆଶ୍ରମରେ ପୁଣି ଗୋଟିଏ ରାତି କଟାଇଥିଲେ । ସେହି ସମୟରେ ଏହି ଆଶ୍ରମରେ ବାପୁଙ୍କ ହାତରେ ଖଦି ପ୍ରଦର୍ଶନୀର ଉଦ୍ଘାଟନ ହୋଇଥିଲା । ଏହି ଆଶ୍ରମ ଉତ୍କଳ ପ୍ରଦେଶ କଂଗ୍ରେସ୍ କମିଟିର କାର୍ଯ୍ୟାଳୟ ଥିଲା ।

ଏହି ଆଶ୍ରମରେ କେବଳ ବାପୁ ନୁହଁନ୍ତି ମୋତିଲାଲ ନେହରୁ, ଜବାହରଲାଲ ନେହରୁ, ଡ. ରାଜେନ୍ଦ୍ର ପ୍ରସାଦ ଏବଂ ଆହୁରି ଅନେକ ରାଷ୍ଟ୍ରନେତା ଅନେକ ସମୟ କଟାଇଛନ୍ତି । ଏହି ଆଶ୍ରମ ଥିଲା ଓଡ଼ିଶାର ଦୁଇ ଅଦ୍ୱିତୀୟ ବରପୁତ୍ର ଗୋପବନ୍ଧୁ ଚୌଧୁରୀ ଏବଂ ନବକୃଷ୍ଣ ଚୌଧୁରୀଙ୍କ କର୍ମସ୍ଥଳୀ । ଏହି ଆଶ୍ରମରେ ଚରଖା ସ୍ଥାନ ପାଇବା ପରେ ଲୋକେ ଚରଖାକୁ ଏଠାରେ ଦେଖିବାର ସୁଯୋଗ ପାଇବେ ।