Indigo ସଂକଟକୁ ନେଇ ଆକ୍ସନରେ ସରକାର, ଜାରି କଲେ ହେଲପଲାଇନ ନମ୍ବର

NEWS7
attack-case-in-bhubaneswar-badagarh-police-station-area

ନୂଆଦିଲ୍ଲୀ ୫।୧୨: ଇଣ୍ଡିଗୋର ଶହଶହ ଫ୍ଲାଇଟ୍ ରଦ୍ଦ ହେବା ଯୋଗୁ ବିଭିନ୍ନ ଏୟାରପୋର୍ଟରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ବୟାନ ଜାରି କରିଛନ୍ତି। କେନ୍ଦ୍ର ସରକାର ଇଣ୍ଡିଗୋର ସ୍ଥିତି କୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯାଞ୍ଚରେ ତ୍ରୁଟି କେଉଁଠି ରହିଛି ଓ ଉପୁଜିଥିବା ପରିସ୍ଥିତି ପାଇଁ କିଏ ଦାୟି ଓ ଭବିଷ୍ୟତରେ ଏପରି ପରିସ୍ଥିତି ଉପୁଜିଲେ କିପରି ନିୟନ୍ତ୍ରିତ ହେବ ତାହା ଜାଣିବାକୁ ଚେଷ୍ଟା କରାଯିବ। ସରକାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ନିଜର ସବୁଠୁ ବଡ଼ ପ୍ରାଥମିକତା ବୋଲି କହିଛନ୍ତି, ଏଣୁ ହେଲପଲାଇନ ନମ୍ବର ଜାରି କରିଛନ୍ତି।

ଯାତ୍ରୀଙ୍କ ସମସ୍ୟାକୁ ନଜରରେ ରଖି ସରକାର ଏୟାରଲାଇନ୍ସ ଙ୍କୁ ଫ୍ଲାଇଟ ରିୟଲଟାଇମ ଅପଡେଟ ଉନ୍ନତ ଉପାୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ମନ୍ତ୍ରାଳୟ ପରିସ୍ଥିତି ଉପରେ ୨୪x୭ ନଜର ରଖିବା ପାଇଁ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଛନ୍ତି। ଏହା ଛଡା ଯେଉଁ ହେଲପଲାଇନ ନମ୍ବର ଜାରି ହୋଇଛି ତାହା ହେଲା ୦୧୧-୨୪୬୧୦୮୪୩, ୦୧୧-୨୪୬୯୩୯୬୩ ଓ ୦୯୬୫୦୩-୯୧୮୫୯। ଏହା ଛଡା ସରକାର ଏୟାର ଲାଇନ୍ସଙ୍କୁ ଅପରେସନ ଯଥାଶୀଘ୍ର ସ୍ୱଭାବିକ କରିବାକୁ କହିଛନ୍ତି। ଆଶା କରାଯାଉଛି ସରକାର ମାମଲାରେ ହସ୍ତକ୍ଷେପ କରିବା ପରେ ଉଡାଣ ସିଡ୍ୟୁଲ ଶନିବାରଠାରୁ ସ୍ୱଭାବିକ ହୋଇପାରେ ଓ ପରବର୍ତ୍ତି ୩ ଦିନରେ ସମ୍ପୂର୍ଣ୍ଣ ସ୍ୱଭାବିକ ହୋଇ ପାରିବ।

ସରକାର ଏହା ମଧ୍ୟ କହିଛନ୍ତି ଯେ କୌଣସି ଫ୍ଲାଇଟ୍ ରଦ୍ଦ ହେଲେ ଯାତ୍ରୀଙ୍କୁ ଅଟୋମ୍ୟାଟିକ ଫୁଲ ରିଫଣ୍ଡ ମିଳିବ। ଏଥି ପାଇଁ କୌଣସି ରିକ୍ୱେଷ୍ଟର ଆବଶ୍ୟକତା ନାହିଁ। ଏହା ଛଡା ଦୀର୍ଘ ସମୟ ଧରି ଅପେକ୍ଷାରେ ଥିବା ଯାତ୍ରୀଙ୍କ ରହଣୀ ନିମନ୍ତେ ଏୟାର ଲାଇନ୍ସ ହୋଟେଲମାନଙ୍କରେ ରହଣୀ ବ୍ୟବସ୍ଥା କରିବେ। ସେହିପରି ବୟଷ୍କ ଓ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ବିଶେଷ ପ୍ରାଥମିକତା ଦିଆଯିବ, ସେମାନଙ୍କୁ ଲାଉଞ୍ଜ ଆକ୍ସେସ ଓ ସବୁ ଜରୁରି ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ସେହିପରି ବିଳମ୍ବ ହେଉଥିବା ଉଡାଣ ନିମନ୍ତେ ଯାତ୍ରୀଙ୍କ ରିଫ୍ରେସମେଣ୍ଟ ଓ ଅନ୍ୟ ମୌଳିକ ସୁବିଧା ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ ପାଇଲଟଙ୍କ ଲାଗି ନୂଆ ସାପ୍ତାହିକ ରେଷ୍ଟ ଆଦେଶ କାରଣରୁ ଇଣ୍ଡିଗୋ ଏବେ ପାଇଲଟ ଅଭାବର ସମ୍ମୁଖୀନ ହୋଇଛି। ଏଣୁ ଗତ ୪ ଦିନରେ ଇଣ୍ଡିଗୋର ୧୩୦୦ରୁ ଅଧିକ ଉଡାଣ ରଦ୍ଦ ହେଲାଣି। ଫଳରେ ସାରା ଦେଶରେ ବିମାନ ଯାତ୍ରୀ ହଇରାଣ ହେଉଛନ୍ତି। ମୁମ୍ବାଇ, ଦିଲ୍ଲୀ, କୋଲକାତା ଓ ବେଙ୍ଗାଲୁରୁ ଏୟାରପୋର୍ଟରେ ପରିସ୍ଥିତି ଏବେ ସଙ୍ଗିନ। ଅନେକ ସ୍ଥାନରେ ଯାତ୍ରୀ ଏୟାରପୋର୍ଟରେ ହଙ୍ଗାମା କରୁଥିବାର ମଧ୍ୟ ଖବର ଆସୁଛି। ଇଣ୍ଡିଗୋର ସଂକଟ ବିକରାଳ ରୂପ ଧାରଣ କରିଥିବା ବେଳେ ଡିଜିସିଏ ତାଙ୍କର ୱିକ୍ଲି ରେଷ୍ଟ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି। ଏହି ଆଦେଶ ତତ୍କାଳପ୍ରଭାବ ଲାଗୁ କରାଯାଇଛି। ଏଥିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଶୁକ୍ରବାର ରାତିରୁ ପୁଣି ବିମାନଚଳାଚଳ ସ୍ୱଭାବିକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।