ଅହମ୍ମଦାବାଦରେ ବଡ଼ ଦୁର୍ଘଟଣା, ଡାକ୍ତରଙ୍କ ହଷ୍ଟେଲ କ୍ୟାଣ୍ଟିନ ଭିତରେ ପଶି ଗଲା ବିମାନ ; ହେଲା ବଡ଼ ବିସ୍ଫୋରଣ

Published By : Prameya-News7 Bureau | June 12, 2025 IST

ଅହମ୍ମଦାବାଦ : ଅହମ୍ମଦାବାଦରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏୟାରପୋର୍ଟ ନିକଟରେ ଏୟାର ଇଣ୍ଡିଆର ବିମାନ କ୍ରାସ୍‌ ହୋଇଛି। ଲଣ୍ଡନ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍‌ ଭିତରେ ବିମାନ ଏକ ୫ ମହଲା କୋଠାରେ ଖସି ପଡ଼ିଛି। ଜଣାପଡ଼ିଛି ଯେ, ଏହା ଇଣ୍ଟର୍ଣ୍ଣ ଡାକ୍ତରଙ୍କ ହଷ୍ଟେଲ ଥିଲା। ଏଥିରେ ୫୦-୬୦ ଇଣ୍ଟର୍ଣ୍ଣ ଡାକ୍ତର ରହୁଥିଲେ। ଦୁର୍ଘଟଣା ସମୟରେ ସେମାନେ ସେଠାରେ ଥିଲେ ନା ନାହିଁ ଏହା ସ୍ପଷ୍ଟ ହୋଇ ପାରି ନାହିଁ। 

MAYDAY... MAYDAY... MAYDAY, କ୍ରାସ୍ ପୂର୍ବରୁ ପାଇଲଟ ଦେଇଥିଲେ ସିଗନାଲ , କିନ୍ତୁ ...

ଦ୍ୱିପ୍ରହର ୧.୩୯ ମିନିଟ୍‌ରେ ଏହି ବିମାନ ଅହମ୍ମଦାବାଦ ଏୟାପୋର୍ଟରୁ ଉଡ଼ାଣ ଭରି ଥିଲା। ଉଡ଼ାଣ ଭରିବା କ୍ଷଣି ବିମାନରେ ପାଇଲଟ୍‌ଙ୍କୁ ଗଡ଼ବଡ଼ି ଥିବାର ଅନୁଭବ ହେଲା। ଏଟିଏସ୍‌କୁ ଏମର୍ଜେନ୍ସିର ସୂଚନା ଦିଆଯାଇ ଥିଲା, କିନ୍ତୁ ଏହା ପୂର୍ବରୁ କୌଣସି ପଦକ୍ଷେପ ନେବା ପୂର୍ବରୁ ବିମାନଟି ଖୁବ୍‌ ଜୋରରେ ତଳେ ଖସି ପଡ଼ିଥିଲା। ବିମାନ ମେଘନୀ ନଗରର ମେଡିକାଲ କଲେଜ୍‌ ପରିସରରେ କ୍ରାଶ୍‌ ହୋଇଥିଲା। ସୌଭାଗ୍ୟ ଯେ, ବିମାନଟି ହଷ୍ଟେଲ ଉପରେ ବିସ୍ଫୋରଣ ହୋଇ ନାହିଁ। ଏହାର ଗୋଟିଏ ଭାଗ ହଷ୍ଟେଲ ପରିସରରେ ଫସି ରହିଥିଲା, ଅନ୍ୟ ଭାଗଟି ପାଖରେ ଖସି ପଡ଼ି ଥିଲା , ଯେଉଁଥିରେ ବିସ୍ଫୋରଣ ହୋଇ ଥିଲା। ବିସ୍ଫୋରଣ ପରେ କୋଠାରେ ନିଆଁ ଲାଗି ଯାଇଥିଲା।

ବୋଇଂ ୭୮୭ ଡ୍ରିମଲାଇନର ବିମାନ (ଏଆଇ ୧୭୧)ରେ ଉଡ଼ାଣ ଭରିବା କ୍ଷଣି ଖୁବ୍‌ ଜୋରରେ ତଳକୁ ଆସିବାର ଦେଖାଯାଇ ଥିଲା ଏବଂ ବଲ୍ଲଭଭାଇ ପଟେଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନିକଟ ମେଘନୀ ନଗର ଅଞ୍ଚଳରେ ଦୁର୍ଘଟଣା ହୋଇଛି। ଏୟାର ଇଣ୍ଡିଆ ଅନୁସାରେ , ଅହମ୍ମଦାବାଦରୁ ଲଣ୍ଡନର ଗ୍ୟାଟଭିକ୍‌ ଯାଉଥିବା ଉଡ଼ାଣରେ ୧୬୯ ଭାରତୀୟ , ୫୩ ବ୍ରିଟିଶ ,ଜଣେ କାନାଡୀୟ ଓ ୭ଜଣ ପର୍ତ୍ତୃଗାଲୀ ନାଗରିକ ବସି ଥିଲେ।

ବିମାନଟି ଏକ ହଷ୍ଟେଲ ୱିଙ୍ଗ୍‌ ସହ ଧକ୍କା ହୋଇଥିଲା। ବିମାନର ଏକ ଭାଗ ହଷ୍ଟେଲର କ୍ୟାଣ୍ଟିନ ଭିତରେ ପଶି ଯାଇଥିଲା। ଭିତର ଦୃଶ୍ୟରେ ଖାଇବା ପ୍ଲେଟ୍‌ ଥିବା ଜଣାପଡ଼ୁଛି ଯେ, ସେଠାରେ କିଛି ଲୋକ ଏହି ସମୟରେ ଖାଦ୍ୟ ଖାଉ ଥିଲେ। ବିମାନର ଏକ ଭାଗ ଏବେ ମଧ୍ୟ ବିଲ୍ଡିଂରେ ଝୁଲିଥିବାର ଦେଖା ଯାଉଛି। ବିମାନଟି ଖସିବା ବେଳେ ବହୁତ ବଡ଼ ଧମାକା ହୋଇଛି। ଧମାକା କାରଣରୁ ଏକ ବଡ଼ ନିଆଁର ଆସ୍ତରଣ ଓ ଆକାଶ ଯାଏ କଳା ଧୂଆଁର ପିଣ୍ଡୁଳା ଦେଖା ଯାଉ ଥିଲା।

ବିମାନରେ କ୍ରିଉ ମେମ୍ୱରଙ୍କ ସମେତ ୨୪୨ଜଣ ଲୋକ ଥିଲେ। ସ୍ଥାନୀୟ ମିଡ଼ିଆ ମୁତାବିକ , ୨୪୧ ମୃତଦେହ ଉଦ୍ଧାର କରାଯାଇ ସାରିଛି। ଅନେକ ଲୋକଙ୍କୁ ଜଳି ଯାଇ ଥିବା ଅବସ୍ଥାରେ ହସ୍ପିଟାଲରେ ପହଞ୍ଚା ଯାଇଛି। ଦୁର୍ଘଟଣାର ତୁରନ୍ତ ପୁଲିସ , ଫାୟର ବ୍ରିଗେଡ୍‌, ଏନଡିଆରଏଫ୍ , ଏସଡିଆରଏଫ୍‌ ,ବିଏସଏଫ୍‌ , ଏୟାର ଫୋର୍ସର ଟିମ୍‌ରୁ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ଲଗା ଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.