ପାକିସ୍ତାନରେ କ୍ଷମତା ଦଖଲ କରିବାକୁ ମୁନିରଙ୍କ ପ୍ଲାନ୍? ସେନା ମୁଖ୍ୟଙ୍କ ବିପଦପୂର୍ଣ୍ଣ ଯୋଜନା, ଆଲର୍ଟରେ ଭାରତ

Published By : Prameya-News7 Bureau | July 22, 2025 IST

ନୂଆଦିଲ୍ଲୀ: ପାକିସ୍ତାନ ଫିଲ୍ଡ ମାର୍ଶାଲଙ୍କ 'ପ୍ଲାନ୍ ମୁଶାରଫ'। ରାଷ୍ଟ୍ରପତି ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଜର୍ଦ୍ଦାରୀଙ୍କୁ ବିଦା କରି ଗାଦିରେ ବସିବାକୁ ଯୋଜନା। ପାକିସ୍ତାନରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ନେଇ ଜୋର ଧରିଛି କଳ୍ପନାଜଳ୍ପନା। ଦାବି କରାଯାଉଛି ଯେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ହଟାଇ କ୍ଷମତା ଦଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ଫିଲ୍ଡ ମାର୍ଶାଲ ଜେନେରାଲ ଅସୀମ ମୁନିର । "ପ୍ଲାନ୍ ମୁଶାରଫ" ଧାରାରେ ନିଆଯିବ ରଣନୈତିକ ପଦକ୍ଷେପ। ଯେପରି ଜେନେରାଲ ପରଭେଜ ମୁଶାରଫ ୧୯୯୯ ମସିହାରେ ନୱାଜ ସରିଫଙ୍କୁ ହଟାଇ ଦେଇଥିଲେ, ଠିକ୍‌ ସେହି ଢ଼ଙ୍ଗରେ ଜର୍ଦ୍ଦାରୀଙ୍କୁ ଗାଦିଚ୍ୟୁତ କରାଇବାକୁ ମୁନିରଙ୍କ ପ୍ଲାନ। ବିଲାୱାଲ ଭୁଟ୍ଟୋଙ୍କ ଜେନେରାଲ ମୁନିରଙ୍କ ସମାଲୋଚନା ଏବଂ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିବା କଥା କ୍ଷମତା ସଂଘର୍ଷକୁ ଆହୁରି ତୀବ୍ର କରିଛି।

ପାକିସ୍ତାନରେ ରାଜନୈତିକ ବିଦ୍ରୋହ ମୁଣ୍ଡ ଟେକିବ। ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି ପାକିସ୍ତାନର ନବନିଯୁକ୍ତ ଫିଲ୍ଡ ମାର୍ଶାଲ ସେନା ମୁଖ୍ୟ ଅସୀମ ମୁନିର । ପାକିସ୍ତାନରେ ସାମରିକ ଶାସନ ଏକ ନୂଆ କଥା ନୁହେଁ। ୧୯୪୭ ମସିହାରେ ଦେଶ ଗଠନ ହେବା ପରଠାରୁ ପ୍ରାୟ ଅଧା ସମୟ ଧରି ସାମରିକ ଶାସନ ଅଧୀନରେ ରହିଛି। କିନ୍ତୁ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଯେପରି ରାଜନୈତିକ ନେତୃତ୍ୱକୁ ପଛରେ ପକାଇ ଆଗ ଆସନ ଦଖଲ କରିଛନ୍ତି ତାହା ଏହି ଚର୍ଚ୍ଚାକୁ ଆହୁରି ଶକ୍ତି ପ୍ରଦାନ କରିଛି। ସବୁଠୁ ବଡ଼ କଥା ହେଲା ଗତ ମାସରେ ଜେନେରାଲ ମୁନିର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଥିଲେ କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଟ୍ରମ୍ପଙ୍କୁ ଭେଟିପାରି ନାହାଁନ୍ତି।

ଏବେ ପୁଣି ଥରେ ଜେନେରାଲ ମୁନିର ବିଦେଶ ଗସ୍ତରେ ଯାଉଛନ୍ତି, ତାହା ପୁଣି ସରିଫଙ୍କ ବିନା। ସେ ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି, ଯେଉଁଠାରେ ସେ ଏହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ଏତିକି ନୁହେଁ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସହିତ କିଛି ହୁଏ, ତେବେ ଜେନେରାଲ ମୁନିରଙ୍କୁ ଦାୟୀ କରାଯିବା ଉଚିତ। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ମୁନିର ପ୍ରକୃତରେ କ୍ଷମତା ଦଖଲ କରିବାକୁ ଚିନ୍ତା କରୁଛନ୍ତି କି? 

ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ହଟାଇ ସେ ଶୀଘ୍ର ରାଷ୍ଟ୍ରପତି ହେବେ ବୋଲି କଳ୍ପନାଜଳ୍ପନା ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି କଳ୍ପନାଜଳ୍ପନା ଉପରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ ଜେନେରାଲ ମୁନିରଙ୍କର 'ରାଷ୍ଟ୍ରପତି ହେବାର କୌଣସି ଯୋଜନା କିମ୍ବା ଇଚ୍ଛା ନାହିଁ'। କିନ୍ତୁ ସରିଫ ମଧ୍ୟ ପାକିସ୍ତାନର ବାସ୍ତବତା ଜାଣନ୍ତି। ମୁନିର ସମ୍ପ୍ରତି ଫିଲ୍ଡ ମାର୍ଶାଲ ହୋଇଛନ୍ତି। କୁହାଯାଏ ଯେ ଜେନେରାଲ ମୁନିର ଚାପ ପକାଇ ଫିଲ୍ଡ ମାର୍ଶାଲ ଏହି ପଦବୀ ହାସଲ କରିଥିଲେ।

ପାକିସ୍ତାନର ଇତିହାସରେ, ଆୟୁବ ଖାନଙ୍କ ପରେ ଏହି ପଦବୀ ପାଇବାରେ ମୁନୀର ହୋଇଛନ୍ତି ଦ୍ୱିତୀୟ ସାମରିକ ମୁଖ୍ୟ। ଫିଲ୍ଡ ମାର୍ଶାଲ ଆୟୁବ ଖାନ ମଧ୍ୟ ଦେଶର ପ୍ରଥମ ଏକଛତ୍ରବାଦୀ ହୋଇଥିଲେ। ବର୍ତ୍ତମାନ ପାକିସ୍ତାନରେ ଏକ ଗରମ ଆଲୋଚନା ଚାଲିଛି ଯେ ମୁନିର ପରବର୍ତ୍ତୀ ଆୟୁବ ଖାନ ହେବାକୁ ଯାଉଛନ୍ତି କି ନାହିଁ। ବିଶେଷ କଥା ହେଉଛି ଯେ ମୁନିର ନିଜେ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବିବୃତ୍ତି ଦେଇନାହାଁନ୍ତି।

ମୁନିରଙ୍କୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ବୋଲି ବିଶ୍ୱାସ କରାଯାଏ। ଆକ୍ରମଣର ମାତ୍ର କିଛି ଦିନ ପୂର୍ବରୁ, ଜେନେରାଲ ମୁନିର ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ ଯେ କାଶ୍ମୀର ହେଉଛି ପାକିସ୍ତାନର ଗଳାଶିରା। ହିନ୍ଦୁ ଏବଂ ମୁସଲମାନ ଭିନ୍ନ ସମ୍ପ୍ରଦାୟ। ଏପରି ପରିସ୍ଥିତିରେ ସେନାର ବୃଦ୍ଧି ପାଉଥିବା ପ୍ରଭାବ ଭାରତ ପାଇଁ ଭଲ ସଙ୍କେତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.