LIVE TV

ସାଉଦୀରେ ଫଶିଥିବା ଏଲହାବାଦ ଯୁବକଙ୍କ Video ଭାଇରାଲ, ଆକ୍ସନରେ ବୈଦେଶିକ ମନ୍ତ୍ରାଳୟ

NEWS7
asia-cup-news-today-13

ପ୍ରୟାଗରାଜ ୨୫।୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏବେ ଟ୍ୱିଷ୍ଟ ଆସିଛି। ଭିଡିଓରେ ଜଣେ ଯୁବକ ଭୋଜପୁରୀ ଭାଷାରେ କହୁଛି ଯେ ସେ ଚାକିରୀ କରିବାକୁ ପ୍ରୟାଗରାଜରୁ ସାଉଦୀ ଆରବ ଆସିଥିଲା, ହେଲେ ସେଠାରେ ସେ ଫଶି ଯାଇଛି। କମ୍ପାନୀ ତା ପାସପୋର୍ଟ ରଖିଛି, ସେ ତା ମା ପାଖକୁ ଫେରିବାକୁ ଚାହୁଁଛି। ଯୁବକ ଏହି ଭିଡିଓକୁ ଖୁବ୍ ସେୟାର କରିବାକୁ ନିବେଦନ କରିଛି ଯାହାଦ୍ୱାରା ସେ ସାଉଦୀ ଆରବରୁ ଭାରତ ଫେରି ପାରିବ। ଗତ ୨୪ ଘଣ୍ଟା ମଧ୍ୟରେ ଭିଡିଓକୁ ୧,୪୦,୦୦୦ବାରରୁ ଅଧିକ ଦେଖାଗଲାଣି।

ସାଉଦୀ ଆରବସ୍ଥିତ ଭାରତୀୟ ଦୂତାବାସ ଏହି ଭିଡିଓର ସଂଜ୍ଞାନ ନେଇଛି। ତେବେ ସାଉଦୀ ଆରବ ସରକାର ଯୁବକର ଦାବିକୁ ନିରାଧାର ବୋଲି କହିଛନ୍ତି। ସାଉଦୀ ପବ୍ଲିକ୍ ସିକ୍ୟୁରିଟି ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ‘ପୂର୍ବାଞ୍ଚଳ ପୋଲିସ ପୁଷ୍ଟି କରିଛି ଭିଡିଓ ରେ ଜଣେ ପ୍ରବାସୀ ନିଜ ଦେଶକୁ ଫେରିବାର ଦାବି ନିରାଧାର। ଯୁବକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାର ଦର୍ଶକଙ୍କ ସଂଖ୍ୟା ବଢାଇବାକୁ ଏପରି ଭିଡିଓ ସେୟାର କରିଥିଲା’।

ଏଥିରେ ଭାରତୀୟ ଦୂତାବାସ ଯୁବକର ସନ୍ଧାନ ନେବାକୁ ଉଦ୍ୟମ କରୁଥିବା କହିଛନ୍ତି। ଭାଇରାଲ ଭିଡିଓରେ ଯୁବକ କେଉଁସ୍ଥାନରେ ଭିଡିଓ କରିଛନ୍ତି, କେଉଁ ପ୍ରାନ୍ତରେ ରହୁଛନ୍ତି, ସମ୍ପର୍କ କରିବା ପାଇଁ ନମ୍ବର ଅଥବା ନିଯୁକ୍ତିଦାତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଏଣୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କଷ୍ଟକର ହେଉଛି। ଦୂତାବାସ ଦିଲ୍ଲୀରେ ରହୁଥିବା ଓକିଲ କଳ୍ପାନା ଶ୍ରୀବାସ୍ତବଙ୍କୁ ଭିଡିଓର ସ୍ରୋତ ଓ ଅତିରିକ୍ତ ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ଏହି ଭିଡିଓକୁ କଳ୍ପାନା ଶ୍ରୀବାସ୍ତବ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଟ୍ୟାଗ୍ କରି ସେୟାର କରିଥିଲେ।

ଭାରତୀୟ ଦୂତାବାସ ଉତ୍ତରପ୍ରଦେଶ ଅଧିକାରୀଙ୍କ ସହିତ ମଧ୍ୟ ସମ୍ପର୍କ କରିଛନ୍ତି। କାରଣ ଯୁବକ ନିଜକୁ ପ୍ରୟାଗରାଜର ବାସିନ୍ଦା ବୋଲି କହିଛନ୍ତି। ଏଣୁ ଦୂତାବାସ ସ୍ଥାନୀୟ ଅଧିକାରୀଙ୍କୁ ଯୁବକଙ୍କ ପରିବାର ସହ ସମ୍ପର୍କ କରିବାକୁ କହିଛନ୍ତି। ଏହି ଭିଡିଓରେ ଯୁବକ ଜଣକ କହୁଛନ୍ତି ‘ଭାଇ ମୋ ଘର ଏଲହାବାଦରେ, ମୋ ଗାଁ ନାଁ ଶେଖପୁରା, ତହସିଲ ହଣ୍ଡିଆ ଓ ଥାନା ସରାୟ ମମରେଜ। ମୁଁ କାମ କରିବାକୁ ସାଉଦୀ ଆସି ଫଶି ଯାଇଛି। କଫିଲ (କମ୍ପାନୀ) ପାସପୋର୍ଟ ରଖି ନେଇଛି, ଘରକୁ ଯିବାକୁ କହିଲେ ମାରିବାକୁ ଧମକ ଦେଉଛି। ଭାଇ ଏହି ଭିଡିଓକୁ ଏତେ ସେୟାର କରନ୍ତୁ ଯେପରି ମୁଁ ଆପଣମାନଙ୍କ ସପୋର୍ଟରେ ଇଣ୍ଡିଆ ଫେରି ପାରିବି। ଆପଣ ହିନ୍ଦୁ ହୁଅନ୍ତୁ କି ମୁସଲମାନ ଏହି ଭିଡିଓକୁ ସେୟାର କର’।