ନୂଆଦିଲ୍ଲୀ: ପୁଣେରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୫ ରନରେ ହରାଇ ସିରିଜ୍ରେ ୩-୧ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ରେ ହର୍ଷିତ ରାଣା କନକ୍ସନ ସବଷ୍ଟିଚ୍ୟୁଟ୍ ଭାବେ ମଇଦାନକୁ ଓହ୍ଲାଇଥିଲେ। ଆଉ ଏହାକୁ ନେଇ ବିବାଦ ଜୋର ଧରିଛି। ହର୍ଷିତ ରାଣା ବ୍ୟାଟିଂ ଅଲରାଉଣ୍ଡରଶିବମ ଦୁବେଙ୍କ ସ୍ଥାନରେ ମଇଦାନକୁ ଓହ୍ଲାଇଥିଲେ ଓ କମାଲ୍ ବୋଲିଂ କରି ୩ଟି ଓ୍ଵିକେଟ୍ ନେଇଥିଲେ।
ଦ୍ରୁତ ବୋଲର ହର୍ଷିତ ରାଣା ଲିୟାମ ଲିଭିଙ୍ଗଷ୍ଟୋନ, ଜ୍ୟାକବ ବେଥେଲ ଓ ଜେମି ଓଭରଟନଙ୍କୁ ଆଉଟ୍ କରି ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲେ। ଉଲ୍ଲେଖନୀୟ ଶିବମ ଦୁବେଙ୍କୁ ବ୍ୟାଟିଂ ସମୟରେ ମୁଣ୍ଡରେ ବଲ୍ ବାଜିଥିଲା। ଏହି କାରଣରୁ ହର୍ଷିତଙ୍କୁ ସବଷ୍ଟିଚ୍ୟୁଟ୍ ଖେଳାଳି ଭାବେ ସୁଯୋଗ ମିଳିଥିଲା। ଏବେ ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖେଳ ଦେଖି ଲାଗିଲା ଯେମିତି ଆଇପିଏଲ୍ ମ୍ୟାଚ୍ ଚାଲିଛି। ଅଶ୍ଵିନ ମ୍ୟାଚ୍ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଆର ଅଶ୍ଵିନ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଖେଳ ସମାପ୍ତ ହୋଇଗଲା। ଭାରତ ଘରୋଇ ମାଟିରେ ଆଉ ଏକ ସିରିଜ୍ ଜିତିଲା। ଏହି ମୁକାବିଲା କେମିତି ଥିଲା ? ଏହା ମୋତେ ଆଇପିଏଲ୍ ମ୍ୟାଚ୍ ପରି ସୁପରସବ ବି ଥିଲା ଏବଂ ମ୍ୟାଚ୍ ଇମ୍ପାକ୍ଟ ପ୍ଲେୟାର ସହିତ ଖେଳାଗଲା। ପ୍ରଶ୍ନ ଏହା ଯେ, ହର୍ଷିତ ରାଣା ଶିବମ ଦୁବେଙ୍କ ସ୍ଥାନରେ କନକ୍ସନ ସବଷ୍ଟିଚ୍ୟୁଟ୍ ଭାବେ କେମିତି ଆସିଲେ।
Also read: ମ୍ୟାଚ୍ ଅଧାରୁ ଏଣ୍ଟ୍ରି ମାରିଲେ ହର୍ଷିତ ରାଣା, ଡେବ୍ୟୁରେ ଦେଖାଇଲେ କରିସ୍ମା
ଅଶ୍ଵିନ କହିଛନ୍ତି, କଣ ଆମେ ଭୁଲି ଗଲେ କି ଏହା ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। କଣ ଆମେ ଆଇପିଏଲ୍ ମ୍ୟାଚ୍ ଖେଳୁଥିଲୁ। କାନବେରାରେ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ କନକ୍ସନ ସବଷ୍ଟଚ୍ୟୁଟ୍ ଭାବେ ଆସିଥିଲେ। ଅତି କମରେ ଏଠାରେ ଜାଡ଼େଜାଙ୍କ ସ୍ଥାନରେ ଚହଲ ଆସିଥିଲେ, ଯାହା ଜଣେ ସ୍ପିନରଙ୍କ ବଦଳରେ ସ୍ପିନର ଥିଲେ।
ଅଶ୍ଵିନ କହିଛନ୍ତି, ଏଠାରେ ହର୍ଷିତ ରାଣାଙ୍କୁ ଶିବମ ଦୁବେଙ୍କ ସ୍ଥାନରେ ଖେଳାଗଲା। ଏଥିରେ ଭାରତୀୟ ଦଳ କିମ୍ବା ଇଂଲଣ୍ଡ ଦଳର କୌଣସି ଭୂମିକା ନ ଥିଲା। ବେଞ୍ଚରେ ରମଣଦୀପ ସିଂଙ୍କ ପରି ଖେଳାଳି ଥିଲେ। ଏହା ପରେ ବି ହର୍ଷିତ ରାଣାଙ୍କୁ କିଭଳି ସବଷ୍ଟିଚ୍ୟୁଟ୍ ଭାବେ ଖେଳାଗଲା ତାହା ମୁଁ ବୁଝି ପାରୁନି। ଏହା ସଂପୂର୍ଣ୍ଣ ଭାବେ କ୍ରିକେଟ୍ର ଖେଳୁଆଡ଼ ମନୋଭାବ ବିରୋଧୀ ଅଟେ। ସେ ଅମ୍ପାୟର୍ସ ପକ୍ଷରୁ ହେଉ କି ମ୍ୟାଚ୍ ରେଫରୀ। ଏହା ଉପରେ ଦାୟିତ୍ଵସଂପନ୍ନ ବ୍ୟକ୍ତି ନଜର ରଖିବା ଉଚିତ୍।