LIVE TV

ଟ୍ରମ୍ପଙ୍କୁ ଇସ୍ରାଏଲର ସବୁଠୁ ବଡ଼ ବନ୍ଧୁ କହିଲେ ନେତନ୍ୟାହୁ, ଗାଜା ଯୁଦ୍ଧବିରତି ପରେ ନୂଆ ସୂର୍ଯ୍ୟୋଦୟ ହୋଇଛି କହିଲେ ୟୁଏସ୍ ରାଷ୍ଟ୍ରପତି

NEWS7
aryan-khans-bail-denied-by-court

ନୂଆଦିଲ୍ଲୀ: ଗାଜାରେ ୨୦ ଜଣ ପଣବନ୍ଦୀଙ୍କୁ ଦୁଇ ବର୍ଷ ପରେ ହମାସ ମୁକ୍ତ କରିଛି । ୨୮ ଜଣ ମୃତ ବନ୍ଦୀଙ୍କ ଶବ ଏବେବି ଗାଜାରେ ଅଛି, କନ୍ତୁ ଆମେରିକାର ମଧ୍ୟସ୍ଥତାରେ ହେଉଥିବା ଯୁଦ୍ଧବିରତି ସର୍ତ୍ତ ଅନୁଯାୟୀ ହମାସ ଦ୍ୱାରା ତାଙ୍କୁ ଇସ୍ରାଏଲକୁ ପଠାଯିବ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଣବନ୍ଦୀ ଥିବା ଲୋକଙ୍କ ପରିଜନଙ୍କୁ ଭେଟିଛନ୍ତି । ଏହା ବ୍ୟତୀତ ଟ୍ରମ୍ପ ଇସ୍ରାଏଲ୍ ସଂସଦ କେନସେଟକୁ ସମ୍ୱୋଧିତ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଶେଷରେ ଦୁଇ ବର୍ଷ ପରେ ବନ୍ଧୁକଗୁଡ଼ିକ ଶାନ୍ତ ହେବାକୁ ଯାଉଛି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାଷଣ ଆରମ୍ଭ କରି କହିଥିଲେ, "ଦୁଇ ବର୍ଷ ଅନ୍ଧାର ଓ ବନ୍ଦୀ ଜୀବନ ବତାଇବା ପରେ, ୨୦ ଜଣ ସାହସୀ ବନ୍ଧକ ସେମାନଙ୍କ ପରିବାରକୁ ଫେରି ଆସୁଛନ୍ତି ଏବଂ ଏହା ଗୌରବମୟ । ଆଜି ବନ୍ଧୁକ ନୀରବ ହୋଇଯାଇଛି, ନୂଆ ସୂର୍ଯ୍ୟ ଉଦୟ ହୋଇଛି । ଏହା ଯୁଦ୍ଧର ଶେଷ ନୁହେଁ, ବରଂ ଏକ ନୂତନ ଯୁଗର ଆରମ୍ଭ।" କେନସେଟକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପରିହାସ ମଧ୍ୟ କରିଥିଲେ ।

ଟ୍ରମ୍ପ କହିଥିଲେ, "ମୁଁ ଜଣେ ଅସାଧାରଣ ସାହସ ଏବଂ ଦେଶପ୍ରେମୀ ବ୍ୟକ୍ତିଙ୍କୁ ମୋର କୃତଜ୍ଞତା ଜଣାଇବାକୁ ଚାହୁଁଛି । ଏହି ଗୁରୁତ୍ୱପୂର୍ଣ୍ଣ ଦିନକୁ ସମ୍ଭବ କରିବାରେ ତାଙ୍କର ବହୁତ ଯୋଗଦାନ ରହିଛି । ଏବଂ ଆପଣ ଜାଣନ୍ତି, ମୁଁ କେବଳ ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛି: ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।" ଟ୍ରମ୍ପ ଏହି ବୟାନ ପରେ ସଂସଦ ପରିସର କରତାଳିରେ ଫାଟି ପଡ଼ିଥିଲା । ନେତାନ୍ୟାହୁଙ୍କୁ ନେଇ ଟ୍ରମ୍ପ କହିଥିଲେ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ତାଙ୍କ ସହିତ ଡିଲ୍ କରିବା ସହଜ ନୁହେଁ । କିନ୍ତୁ ଏହି କଥା ହିଁ ତାଙ୍କୁ ମହାନ କରିଥାଏ।" ଏହାପରେ ଟ୍ରମ୍ପ କହିଥିଲେ, "ବିବି, ଆପଣଙ୍କୁ ବହୁତ ଧନ୍ୟବାଦ।"

ଏହା ପୂର୍ବରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂରା କ୍ରେଡିଟ୍ ଦେଇଥିଲେ । ସେ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସରେ ଇସ୍ରାଏଲର ସବୁଠୁ ଭଲ ବନ୍ଧୁ ବୋଲି କହିଛନ୍ତି । ସେ ଆହୁରି କହିଥିଲେ ଯେ କୌଣସି ବି ଆମେରିକୀୟ ରାଷ୍ଟ୍ରପତି ଇସ୍ରାଏଲ୍ ପାଇଁ ଏତେ ସହଯୋଗ କରିନାହାନ୍ତି । ଇସ୍ରାଏଲୀ ସୈନିକଙ୍କୁ ପ୍ରଶଂସା କରି ତାଙ୍କ ଦେଶ ହମାସ ଉପରେ ଅଦ୍ଭୂତ ବିଜୟ ହାସଲ କରିଛି ବୋଲି କହିଥିଲେ ।