କେନ୍ଦ୍ରାପଡ଼ା ୧୦।୮: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ଏତଲା ଦେଲେ ଗିରଫ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ବାପା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ସେ ଏତଲା ଦେଇଛନ୍ତି । ତେବେ ତାଙ୍କ ପୁଅଙ୍କ ସହ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିବା ମଧ୍ୟ ଉଲ୍ଲେଖ ରହିଛି । ଛାତ୍ରୀଙ୍କ ଘର ଲୋକ ତାଙ୍କୁ ମାରପିଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ପ୍ରେମୋଦଙ୍କ ବାପା । ସେପଟେ ନିଜ ପୁଅକୁ ନିର୍ଦ୍ଦୋଷ ବୋଲି ଦାବିକରି ପଟ୍ଟାମୁଣ୍ଡାଇ ଥାନା ଆଗରେ ଧାରଣାରେ ବସିଥିଲେ ପ୍ରମୋଦଙ୍କ ପରିବାର l ଏମିତିକି ଅଭିଯୁକ୍ତ ପ୍ରମୋଦଙ୍କ ପରିବାର ପକ୍ଷରୁ ପୋଲିସ ଓ ଛାତ୍ରୀଙ୍କ ପରିବାର ବିରୁଦ୍ଧରେ ଏତଲା ଦିଆଯାଇଛି l
ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ତଥା ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଏବେ ବାରିମୂଳ ଜେଲରେ l କାଠିଆପଡାର ମୃତ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରମୋଦ l ଏ ନେଇ ପୋଲିସକୁ ମିଳିଛି ଯଥେଷ୍ଟ ପ୍ରମାଣ l ପ୍ରମୋଦଙ୍କ ମୋବାଇଲ ଫୋନ୍ ହିଁ ତାଙ୍କୁ ଧରାପକାଇ ଦେଇଛି l ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ୍ କରିଥିଲେ ପ୍ରମୋଦ l ପରେ ସେହି ଭିଡିଓକୁ ଭାଇରାଲ୍ ମଧ୍ୟ କରିଥିଲେ l ପରିବାର ସହମତି ବିନା ଛାତ୍ରୀଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବିଫଳ ହେବା ପରେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଥିଲେ ପ୍ରମୋଦ l ଏମିତିକି ଜୁଲାଇ ୧୭ ତାରିଖରେ ଛାତ୍ରୀଙ୍କ ବାପାଙ୍କ ମୋବାଇଲକୁ ମଧ୍ୟ ସେ ଏକ ଅଶ୍ଳୀଳ ଭିଡିଓ ପଠାଇଥିଲେ l
ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୬ ତାରିଖ ଦିନ ଛାତ୍ରୀ ଆତ୍ମାହୁତି ଘଟଣାର ମାତ୍ର କିଛି ସମୟ ପୂର୍ବରୁ ପ୍ରମୋଦ ଛାତ୍ରୀଙ୍କ ସହ ଫୋନ୍ରେ କଥା ହୋଇଥିଲେ l ସେହିପରି ଘଟଣାର ପୂର୍ବଦିନ ଅର୍ଥାତ ଅଗଷ୍ଟ ୫ ତାରିଖ ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ଫୋନ୍ ଯୋଗେ ଯୋଗାଯୋଗ ହୋଇଥିବାର ପ୍ରମାଣ ମିଳିଛି l ଅଭିଯୁକ୍ତ ମୋବାଇଲରେ ଛାତ୍ରୀଙ୍କର ୫୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପୋଲିସକୁ ମିଳିଛି l ଛାତ୍ରୀଙ୍କ ଭିଡିଓ ସୁଟ୍ କରିବା ଓ ପରେ ସେ ସବୁକୁ ଭାଇରାଲ୍ କରିବା ଯୋଗୁଁ ଛାତ୍ରୀ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।
ସେପଟେ ଗିରଫ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ସପକ୍ଷରେ ବାହାରିଛି ତାଙ୍କ ପରିବାର l ପ୍ରମୋଦଙ୍କ ବାପା, ମା’ ଓ ଭଉଣୀ ତାଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହିତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ l ପୁଅକୁ ନଛାଡିଲେ ପରିବାର ସମୂହ ଆତ୍ମାହୁତି ଦେବା ପାଇଁ ଧମକ ଦେଇଥିଲେ l ତେବେ ପ୍ରମୋଦଙ୍କ ବାପା ଗଣେଶ୍ଵର ବେହେରା କେନ୍ଦ୍ରାପଡା ପୋଲିସ ଓ ଛାତ୍ରୀଙ୍କ ପରିବାର ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି l ତାଙ୍କ ପୁଅକୁ କେନ୍ଦ୍ରାପଡ଼ା ପୋଲିସ ଚେନ୍ନାଇରୁ ଉଠାଇ ଆଣିଥିବା ଅଭିଯୋଗ କରିଛନ୍ତି ପ୍ରମୋଦଙ୍କ ବାପା l ସେହିପରି ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ମାରି ଦେଇଥିବା ଗଣେଶ୍ଵର ଅଭିଯୋଗ କରିଛନ୍ତି l ମୃତ ଛାତ୍ରୀ ଓ ତାଙ୍କ ପୁଅ ପ୍ରମୋଦଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ପ୍ରମୋଦଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି l
You Can Read:
ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ : ଦୁଇ ଜଣଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ