ଗଲୱାନର ଚାରବାଗରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଯବାନ ଗୁରୁତର

Published By : Prameya-News7 Bureau | July 30, 2025 IST

ଲଦାଖ: ଗଲୱାନ୍ ଚାରବାଗ୍ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସେନାର ଗୋଟିଏ ଗାଡ଼ି ଉପରେ ବୋଲ୍ଡର (ବଡ଼ ପଥର) ଖସି ପଡ଼ିଛି । ଏହି ଅଘଟଣରେ ସେନା ଗାଡ଼ କ୍ଷତିଗ୍ରସ୍ତ ହୋଇଛି । ଗାଡ଼ିରେ ଯାତ୍ରା କରୁଥିବା ଦୁଇ ଅଧିକାରୀଙ୍କ ଏଥିରେ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଅଧିକାରୀଙ୍କୁ ଏୟାରଲିଫ୍ଟ କରାଯାଇଛି । ଆହତଙ୍କ ମଧ୍ୟରେ ସେନାର ୨ ଜଣ ମେଜର ଓ ଜଣେ କ୍ୟାପ୍ଟେନ ଅଛନ୍ତି । ସେନାର କାରକେଡ୍ ଦୁରବୁକ୍‌ରୁ ଚୋଙ୍ଗତାସ୍ ଟ୍ରେନିଂ ଯାତ୍ରାରେ ଯାଉଥିଲେ ।

ଏହି ଦୁର୍ଘଟଣା ବୁଧବାର ସକାଳ ପ୍ରାୟ ୧୧.୩୦ ମିନିଟରେ ଘଟିଥିଲା । ଦୁରବୁକରୁ ଚୋଙ୍ଗତାସ୍ ଯାଉଥିବା ସେନା ଗାଡ଼ି ଭୁସ୍ଖଳନର ଶିକାର ହୋଇଥିଲା । ଏଥିରେ ୧୪ ସିନ୍ଧ ହର୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମନକୋଟିଆ ଓ ଦଲଜିତ୍ ସିଂହ ସହିଦ ହୋଇଛନ୍ତି । ଅନ୍ୟପଟେ ମେଜର ମୟଙ୍କ ଶୁଭମ (୧୪ ସିନ୍ଧ ହର୍ସ), ମେଜର ଅମିତ୍ ଦୀକ୍ଷିତ ଓ କ୍ୟାପ୍ଟେନ ଗୌରବ (୬୦ ଆର୍ମଡ୍) ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ୧୫୩ ଜିଏଚ୍, ଲେହ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ବାବଦରେ ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ ସୂଚନା ଦେଇଛି । 

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ମାସ ମଧ୍ୟରେ ସେନା ଗାଡ଼ି ସହ ହୋଇଥିବା ସବୁଠୁ ବଡ଼ ଦୁର୍ଘଟଣା ଅଟେ । ଏହା ପୂର୍ବରୁ ଚଳିତ ବର୍ଷ ମେ’ରେ ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ସେନାର ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ସେନାର ଟ୍ରକ୍ ୨୦୦-୩୦୦ ମିଟର ଗଭୀର ଖାଇରେ ଖସି ପାଡ଼ିଥିଲା । ଏଥିରେ ୩ ଜଣ ଯବାନ ସହିଦ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.