ମହିଳାଙ୍କୁ ଦୁଷ୍କର୍ମ ଓ ଧମକ ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ କାଉନସିଲରଙ୍କ ସ୍ୱାମୀ ଗିରଫ

NEWS7
archana-nag-case-2247-page-chargesheet-filed-by-ed

ନୂଆଦିଲ୍ଲୀମଧ୍ୟପ୍ରଦେଶର ଜଣେ ବିଜେପି କଉନସିଲରଙ୍କ ସ୍ୱାମୀ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ତାଙ୍କର ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଠାରେ ସେ ମହିଳାଙ୍କୁ ତାଙ୍କ ପତିଆରା ଦେଖାଇ ଧମକାଉଥିବା ଦେଖିବାକୁ ମିଳିଥିଲା। ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ପୁଲିସର ସୂଚନା ଅନୁସାରେ, ମହିଳା ଜଣକ ଡିସେମ୍ବର ୨୨ ତାରିଖରେ ସତନା ଜିଲ୍ଲାର ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଜଣେ ବିଜେପି କାଉନସିଲରଙ୍କ ସ୍ୱାମୀ ଅଶୋକ ସିଂହ ତାଙ୍କୁ ଗତ ଛଅ ମାସ ଧରି ମାନସିକ ଏବଂ ଶାରୀରିକ ଭାବରେ ନିର୍ଯାତନା ଦେଉଥିଲେ।

ମହିଳା ଜଣକ ତାଙ୍କ ଅଭିଯୋଗରେ ଏହା ବି ଦର୍ଶାଇଛନ୍ତି ଯେ ସିଂହ ତାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ। ଏବଂ ଘଟଣାର ଭିଡିଓ ରେକର୍ଡିଂ କରିବା ସହ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସିଂହ ତାଙ୍କୁ ବାରମ୍ବାର ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏବଂ ଯେତେବେଳେ ସେ ବିରୋଧ କରୁଥିଲେ ସେତେବେଳେ ତାଙ୍କୁ ହତ୍ୟା ଧମକ ଦେଉଥିଲେ।

୨୬ ଡିସେମ୍ବର ୨୦୨୫ ରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫୁଟେଜରେ ଅଭିଯୁକ୍ତ ଜଣକ ଏକ ଦୋକାନରେ ବସି ମହିଳାଙ୍କ ସହିତ ଖରାପ ବ୍ୟବହାର କରୁଥିବାର ଦେଖାଯାଇଛି। ଯେଉଁଥିରେ ସେ ଅତ୍ୟନ୍ତ ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି। ଯେତେବେଳେ ମହିଳା ଜଣକ ତାଙ୍କୁ ଚେତାବନୀ ଦେଉଛନ୍ତି ଯେ ସେ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିବେ, ସେତେବେଳେ ସିଂହ କହୁଛନ୍ତି, ମିଡିଆରେ ପ୍ରକାର କର। ମୋର କେହି କ୍ଷତି କରିପାରିବେ ନାହିଁ।

ଭିଡିଓରେ ମହିଳା ଜଣଙ୍କ କହୁଛନ୍ତି “ମୁଁ ଏହାକୁ ସୋସିଆଲ୍ ମିଡିଆରେ ଶେୟାର କରିଦେବି।” ଅଭିଯୁକ୍ତ କହୁଛନ୍ତି “ତୁମେ ମିଡିଆରେ ଦିଅ। କିଛି ହେବନି। ମୋର କେହି କିଛି କରିପାରିବେନି।” ଯୁକ୍ତି ବଢ଼ିବାରୁ ମହିଳା ଜଣଙ୍କ ଭିଡିଓରେ କହୁଛନ୍ତି “ ମୋ ଆଖିର ଯେତେ ଲୁହ ଗଡ଼ିବ, ଦିନେ ତୁମେ ବି ସେହିଭଳି କାନ୍ଦିବ।” ଏଥିରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ପରିହାସ କରୁଛନ୍ତି।

ଏଥିରେ ମହିଳା ଜଣଙ୍କ କହୁଛନ୍ତି “ ମୁଁ ବର୍ତ୍ତମାନ ଏସ୍ପି ଅଫିସ ଯିବି।” ଏହାପରେ ଅଭିଯୁକ୍ତ କହୁଛନ୍ତି ତୁମେ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଅ । ମୁଁ କିଛି ଭୁଲ କରି ନାହିଁ। ତେଣୁ ମୋର କିଛି ହେବନି। ଯୁକ୍ତି ବଢ଼ିବା ପରେ ମହିଳା ଜଣଙ୍କ ସିଧା ସଳଖ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଲଗାଇଛନ୍ତି। ଏବଂ କହୁଛନ୍ତି ଯେ ତୁମେ ମୋ ସହ ଦୁଷ୍କର୍ମ କରିଛ। ହେଲେ ଅଭିଯୁକ୍ତ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ବାରମ୍ବାର ଚ୍ୟାଲେଞ୍ଜ ଦେଉଛନ୍ତି। ଏବଂ କହୁଛନ୍ତି ମୁଁ ବି ଦେଖିବି ମୋର କିଏ କଣ କରିବ। ମୋର କିଛି ହେବନି।

ଏହି ଭିଡିଓଟି ବ୍ୟାପକ ଭାବେ ଭାଇରାଲ ହେବା ଏବଂ ମାମଲାକୁ ନେଇଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା। ରାମପୁର ପୋଲିସ ଅଶୋକ ସିଂହଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୪, ୭୫(୨), ୭୯, ୨୯୬(୧), ଏବଂ ୩୫୧(୩) ସମେତ ବହୁ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ପୋଲିସ ବିଳମ୍ବିତ ରାତିରେ ଅଭିଯୁକ୍ତକୁ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଅଭିଯୁକ୍ତଙ୍କ ପ୍ରଭାବ ହେଲେ ବି ମାମଲାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।