ଭାରତକୁ ନେଇ ଆପଲ CEO ଟିମ୍ କୁକ୍‌ଙ୍କ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ ?

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ ୪।୮: ଆପଲ ସିଇଓ ଟିମ୍‌ କୁକ୍ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି, ଯାହାକୁ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଆରୋପର ଜବାବ ରୂପେ ଦେଖାଯାଉଛି। କୁକ୍ କହିଛନ୍ତି ଗତ ତ୍ରୈମାସିକ (କ୍ୟୁ-୨)ରେ ଆମେରିକାରେ ବିକ୍ରି ହୋଇଥିବା ଅଧିକାଂଶ ଆଇଫୋନ ଭାରତରେ ନିର୍ମିତ ହୋଇଛି। ଏହି ବୟାନ ଟ୍ରମ୍ପଙ୍କ ଭାରତରେ ଆପଲ ମେନୁଫେକ୍ଚରିଂ ନୀତିର ସମାଲୋଚନା ସତ୍ତ୍ୱେ ଆସିଛି। 

ଟିମ୍‌ କୁକ୍ ବିଶ୍ଲେଷକଙ୍କ ସହ ଆଲୋଚନାରେ କହିଛନ୍ତି ଯେ ପିଛିଲା ତ୍ରୈମାସିକ ଭଳି ଏଥର ମଧ୍ୟ ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆଇଫୋନ ଭାରତରେ ତିଆରି ହୋଇଛି। ସେ ସ୍ପଷ୍ଟ ରୂପେ କହିଛନ୍ତି ଆପଲ ତାର ମେନୁଫେକ୍ଚରିଂ ନୀତିରେ ବଡ଼ ପରିବର୍ତ୍ତନ କରିଛି। ଭାରତ ଏବେ ଆମେରିକୀୟ ବଜାର ନିମନ୍ତେ ଆଇଫୋନ ମେନୁଫେକ୍ଚରିଂର ପ୍ରମୁଖ କେନ୍ଦ୍ର ପାଲଟିଛି। ଏବେ ଚୀନ ଅଣ ଆମେରିକୀୟ ବଜାର ଉପରେ ଫୋକସ କରୁଛି। 

ଆପଲ ଏବେ ଭିଏତନାମରେ ମ୍ୟାକ୍ ବୁକ୍, ଆଇପ୍ୟାଡ ଓ ଆପଲ ୱାଚେସ୍ ଭଳି ଉତ୍ପାଦ ମେନୁଫେକ୍ଚରିଂ କରୁଛି। ଏହି ପରିବର୍ତ୍ତନ ଆପଲର ଚୀନ୍ ପ୍ଲସ୍ ୱାନ୍ ରଣନୀତିର ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ଚୀନ୍ ଉପରେ ନିର୍ଭରତା କମ କରିବା। ଡୋନାଲ୍ଡ ଟ୍ରମ୍ପ ଗତ ମେ ମାସରେ ଟିମ୍‌ କୁକ୍ ଙ୍କୁ ଭେଟିବା କାଳରେ ଭାରତରେ ଆପଲର ମେନୁଫେକ୍ଚିରିଂ ପାଇଁ ତାଙ୍କର ଅସହମତି ବ୍ୟକ୍ତ କରିଥିଲେ। ନିକଟରେ ଟ୍ରମ୍ପ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୨୫% ଟାରିଫ ଲଗାଇବାକୁ ଘୋଷଣା କରିଛନ୍ତି। 

ହେଲେ ସ୍ମାର୍ଟ ଫୋନ ଓ ଅନ୍ୟ ଇଲେକ୍ଟ୍ରିକ ଡିଭାଇସ ଏହି କଟକଣାରୁ ଏବେ ମୁକ୍ତ ରହିଛି। ତେବେ ବିଶେଷଜ୍ଞଙ୍କ ଅନୁସାରେ ଭବିଷ୍ୟତରେ ଏହି ସବୁ ଉତ୍ପାଦ ଉପରେବି ଟ୍ୟାକ୍ସ ଲାଗୁ ହୋଇପାରେ। ଟିମ୍ କୁକ୍ କହିଛନ୍ତି ଭାରତ ଆପଲ ନିମନ୍ତେ କେବଳ ଏକ ମେନୁଫେକ୍ଚରିଂ ହବ ନୁହେଁ ବରଂ ବିକଶିତ ହେଉଥିବା ଏକ ବଡ଼ ବଜାରରେ ମଧ୍ୟ ପରିଣତ ହୋଇଛି। ସେ କହିଛନ୍ତି ଯେ ଭାରତ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଏସିଆ ଓ ବ୍ରାଜିଲ ଭଳି ବଜାରରେ ଆଇଫୋନ ବିକ୍ରିରେ ଦୁଇ ଅଙ୍କର ଗ୍ରୋଥ ଦେଖା ଦେଇଛି।

ଜୁନ ତ୍ରୈମାସିକରେ ଭାରତ ସମେତ ୨୪ରୁ ଅଧିକ ଦେଶରେ କମ୍ପାନୀ ରେକର୍ଡ ରେଭିନ୍ୟୁ ଅର୍ଜନ କରିଛି। ଟିମ କୁକ୍ କହିଛନ୍ତି ଜୁନ ତ୍ରୈମାସିକରେ ଟାରିଫ ସମ୍ପର୍କିତ ଖର୍ଚ୍ଚ ପାଖାପାଖି ୮୦୦ ମିଲିୟନ ଡଲାରକୁ ପହଞ୍ଚିଛି। ଯଦି ବୈଶ୍ୱିକ ଟାରିଫ ନୀତିରେ କୌଣସି ପରିବର୍ତ୍ତନ ହୋଇ ନଥାନ୍ତା ତେବେ ସେପ୍ଟେମ୍ବର ତ୍ରୈମାସିକରେ ଏହି ପ୍ରଭାବ ୧.୧ ବିଲିୟନ ଡଲାର ହୋଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.