ପୁଣି ଯୌନ ନିର୍ଯାତନା ଘଟଣା, ଜଗତସିଂହପୁର ଅରୁପାନନ୍ଦ କଲେଜ୍ ଅଧ୍ୟକ୍ଷ ଓ ଅଧ୍ୟାପକ ସସପେଣ୍ଡ

Published By : Prameya-News7 Bureau | July 21, 2025 IST

ଜଗତସିଂହପୁର: ବାଲେଶ୍ବରରୁ ବଳଙ୍ଗା ଉଠୁଛି ପଡୁଛି। ଏତିକି ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି।  ଜଗତସିଂହପୁର ସ୍ବାମୀ ଅରୁପାନନ୍ଦ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା  ଅଭିଯୋଗ ଉପରେ  ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି। ଅଧ୍ୟକ୍ଷ ରମେଶ ସାହୁ, ଗଣିତ ଅଧ୍ୟାପକ ଶାଶ୍ଵତ ମହାନ୍ତି  ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଛାତ୍ରୀ ନିର୍ଯାତନା ଘଟଣାରେ ଜିଲ୍ଲାପାଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଆଣିଥିଲେ ଅଭିଯୋଗ। ଅଧ୍ୟକ୍ଷଙ୍କ କାରଣ ଦର୍ଶାଅ ରିପୋର୍ଟ ସନ୍ତୋଷଜନକ ନ ଥିବାରୁ ଏମିତି ପଦକ୍ଷେପ ନିଆଯାଇଛି। ଉପଜିଲ୍ଲାପାଳଙ୍କ ଜରିଆରେ ନିର୍ଦ୍ଦେଶନାମା ଜାରି ହୋଇଛି। ଜଗତସିଂହପୁର ଜିଲ୍ଲା କୁର୍ତ୍ତାଙ୍ଗସ୍ଥିତ ସ୍ବାମୀ ଅରୂପାନନ୍ଦ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଶାଶ୍ଵତ ମହାନ୍ତି ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ପରେ  ଘଟଣାର ତନାଘନା ଆରମ୍ଭ ହୋଇଛି।  ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଜଗତସିଂହପୁର ଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଘଟଣା ସଂପର୍କରେ ଅବଗତ ହେବା ପରେ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ମାଗିଥିଲା। ଫଳରେ ଜିଲ୍ଲାପାଳ  କଲେଜର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। 

ଏହି ଘଟଣାରେ ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ କରି କମ୍ପରମାଇଜ୍‌ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା। ବାଲେଶ୍ବର ଓ ବଳଙ୍ଗା ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଣି ଜଗତସିଂହପୁରରେ  ଛାତ୍ରୀ ନିର୍ଯାତନା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.