ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟପ୍ରାଚରେ ଉତ୍ତେଜନାକୁ ଚରମରେ ପହଞ୍ଚାଇଛି। ଇସ୍ରାଏଲର ହମଲାର ଜବାବରେ ଇରାନ ଘନ ଘନ ମିସାଇଲ ମାଡ଼ କରିଛି। ଏହା ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଶନିବାର ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ହମଲା ଜାରି ରଖେ ତେବେ ଆମେ ତେହରାନକୁ ଜାଳି ଦେବୁ। ଇରାନର ହମଲାରେ ଶନିବାର ସକାଳେ ଅତି କମରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ଏକାଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ସେନାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ସହ ଏକ ସମୀକ୍ଷା ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ କ୍ୟାଟେଜ୍ କହିଛନ୍ତି ଇରାନକୁ ଇସ୍ରାଏଲ ନାଗରିକଙ୍କୁ କ୍ଷତି ପହଞ୍ଚାଇବାର ପରିଣାମ ଭୋଗିବାକୁ ପଡ଼ିବ।
Also read: ଷ୍ଟ୍ରେଟ୍ ଅଫ୍ ହରମୁଜ ଜଳପଥ ବନ୍ଦ କରିପାରିବନି ଇରାନ: ବିଶେଷଜ୍ଞ କହିଲେ, ଏଥିରେ ଅଧିକ କ୍ଷତି ତେହେରାନର
କ୍ୟାଟେଜ୍ କହିଛନ୍ତି, ଯଦି ଖାମନେଇ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ ଜାରି ରଖନ୍ତି ତେବେ ତେହରାନକୁ ଜାଳି ଦେବୁ। ଇରାନ ରାଜ୍ୟ ଟେଲିଭିନ ଅନୁଯାୟୀ ଖୁରମାବାଦ, କେରନାମଶାହ ଓ ତବରିଜ ସହରରୁ ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଇସ୍ରାଏଲ ହମଲା କରିବା ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଇସ୍ରାଏଲ ହମଲା ସମୟରେ ଲଢୁଅ ବିମାନ ବ୍ୟବହାର କରିଛି। ଇରାନର ମିଳିତ ଜାତିସଂଘ ରାଷ୍ଟ୍ରଦୂତ କହିଛନ୍ତି ଇସ୍ରାଏଲର ଆକ୍ରମଣରେ ୭୮ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୦ରୁ ଅଧିକ ଆହତ ହୋଇଛନ୍ତି। ଇରାନ ପାଲଟା ଜବାବ ଦେଇ ଇସ୍ରାଏଲ ଉପରେ ଡ୍ରୋନ ଓ ବାଲିଷ୍ଟିକ ମିସାଇଲ୍ ମାଡ଼ କରିଛି। ଏଥିରେ ଜେରୁସେଲମ ଓ ତେଲ ଅଭିଭର କୋଠାଗୁଡ଼ିକ ଦୋହଲି ଉଠିଛି। ନାଗରିକଙ୍କୁ ଦୀର୍ଘ ସମୟ ଧରି ଆଶ୍ରୟ ସ୍ଥଳରେ ରହିବାକୁ ଇସ୍ରାଏଲ ସେନା ଅପିଲ୍ କରିଛି।
ଇସ୍ରାଏଲ ଓ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିବେ ବୋଲି କହିଛନ୍ତି। ଫଳରେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆହୁରି ବଢିବାର ସମ୍ଭାବନା ରହିଛି। ଇସ୍ରାଏଲ ଶୁକ୍ରବାର ଭୋର ସକାଳେ ଇରାନର ଆଣବିକ କେନ୍ଦ୍ର ଓ ସୈନ୍ୟ ପରିସର ଉପରେ ହମଲା କରିବା ପାଇଁ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଛି । ଏହି ହମଲାରେ ଇରାନର ଅନେକ ସୈନ୍ୟ କମାଣ୍ଡର ଓ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି । ନେତନ୍ୟାହୁ କହିଛନ୍ତି, ଆମର ହମଲା ସଫଳ ରହିଛି । ଈଶ୍ୱରଙ୍କ ସାହାଯ୍ୟରେ ଆମେ ଆହୁରି ଅନେକ ଉପଲବ୍ଧି ହାସଲ କରିବାକୁ ଯାଉଛୁ ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ, ଆମେ ଇରାନର ଆଣିବକ କାର୍ଯ୍ୟକ୍ରମ କେନ୍ଦ୍ର ଉପରେ ହମଲା କରିଛୁ । ଏହି କେନ୍ଦ୍ରରେ ଆଣବିକ ପ୍ରକଳ୍ପରେ କାର୍ଯ୍ୟରତ ଇରାନର ପ୍ରମୁଖ ଆଣବିକ ବୈଜ୍ଞାନିକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଆମେ ଇରାନର ବାଲାଷ୍ଟିକ ମିସାଇଲ ପ୍ରକଳ୍ପ ଉପରେ ମଧ୍ୟ ହମଲା କରିଛୁ । ଏଥିରେ ଇରାନର ପରମାଣୁ ଓ ମିସାଇଲ କାର୍ଯ୍ୟକ୍ରମର ଅସ୍ଥିତ୍ୱକୁ ଦୋହଲାଇ ଦେଇଥିବା ନେତନ୍ୟାହୁ କହିଛନ୍ତି ।