ରାଜ୍ୟବାସୀଙ୍କୁ ପୁଣି କଲବଲ କରିବ ବର୍ଷା, ଆସୁଛି ଆଉ ଏକ ଲଘୁଚାପ

Published By : Prameya-News7 Bureau | August 28, 2025 IST

ଭୁବନେଶ୍ୱର ୨୮।୦୮ : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇ ରହିଛି । ୨୪ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ୩ ତାରିଖରେ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହା ବିଶେଷ ବଳୁଆ ହେବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । 

ପ୍ରଫେସର ପଶୁପାଳକ କହିଛନ୍ତି, ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଥିବା ଲଘୁଚାପ ଶୁକ୍ରବାର ଛତିଶଗଡ଼ରେ ପହଞ୍ଚିପାରେ । ୨୮ ତାରିଖ କିଛି ସ୍ଥାନରେ ବର୍ଷା ହୋଇପାରେ। ୨୯ ତାରିଖ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ୩୦ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶା, ୩୧ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। କିଛି ସ୍ଥାନରେ ମଧ୍ୟମ ଧରଣର ( ୩୫  ମିମି ପର୍ଯ୍ୟନ୍ତ) ବର୍ଷା ସମ୍ଭାବନା ଅଛି । ୩୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ। ବୁଧବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। 

ଗୁରୁବାର ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ର ବିକ୍ଷିପ୍ତ ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।

 ପାରଳାଖେମୁଣ୍ଡିରେ ୧୮ମିମି, କୋରାପୁଟରେ ୧୦.୨  ଓ ଭୁବନେଶ୍ୱରରେ ୧୨.୪ ମିମି ବର୍ଷା ହୋଇଛି । ୨୪ ଘଣ୍ଟା ଭିତରେ କୋରାପୁଟରେ ୧୧୮.୪ ମିମି, ମାଲକାନଗିରିରେ ୯୦.୬, ନବରଙ୍ଗପୁରରେ ୬୪.୪, ଛତ୍ରପୁରରେ ୪୫.୪, ଦାରିଙ୍ଗିବାଡ଼ିରେ ୨୨ ଓ ରାୟଗଡ଼ାରେ ୧୭ ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.