ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ

Published By : Prameya-News7 Bureau | August 24, 2025 IST

ଭୁବନେଶ୍ୱର ୨୪।୦୮ : ୨୯ ଓ ୩୦ ତାରିଖରୁ ପୁଣି ବର୍ଷା ବଢ଼ିବ । ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ହେବ । ୩୧ ତାରିଖରେ ଲଘୁଚାପ ସୃଷ୍ଟି ସହ ଏହା ଅଧିକ ଘନୀଭୂତ ହୋଇପାରେ । ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି।

ପ୍ରଫେସର ପଶୁପାଳକ କହିଛନ୍ତି ଯେ, ୨୫ ଓ ୨୬ ତାରିଖରେ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ରହିବ । ୨୫ରୁ ୨୭ ଭିତରେ ଉତ୍ତର ବଙ୍ଗୋପସାଗରରେ ପ୍ରତିଦିନ କିଛି ଘଣ୍ଟା ପାଇଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଓ ଏହା ପୁଣି ବିଲୀନ ହୋଇଯିବ । ୨୫ ଓ ୨୬ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ । କିଛି ସ୍ଥାନରେ ଭାରୀ ବର୍ଷା ଆଶଙ୍କା ଅଛି । ୨୭ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ବହୁ ସ୍ଥାନରେ ବର୍ଷା ଜାରି ରହିଥିବାରୁ ଜମିରେ ସାର ପକାଇବାରେ ସମସ୍ୟା ହେଉଛି । କେନ୍ଦ୍ରୀୟ ଓଡ଼ିଶାରେ ୨୮ ତାରିଖ ପରେ ଓ ବାକି ଜିଲ୍ଲାରେ ୩୦ ତାରିଖ ପରେ ସାର ପକାଇବାକୁ ସେ ପରାମର୍ଶ ଦେଇଛନ୍ତି । ୩୧ ତାରିଖରୁ ସେପ୍ଟେମ୍ବର ୩ ତାରିଖ ଯାଏ ରାଜ୍ୟର କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।

ସେହିପରି ପାଣିପାଗ ବିଭାଗ କହିଛି ଯେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଲଘୁଚାପ ସମାନ ସ୍ଥାନରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ପଶ୍ଚିମ ମୁହାଁ ହୋଇ ଝାଡ଼ଖଣ୍ଡ ଆଡ଼କୁ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବ । ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ୨୫ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ୨୭ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ଶନିବାର ସୁନ୍ଦରଗଡ଼ରେ ୪୦.୨ ମିମି ବର୍ଷା ହୋଇଛି । ଝାରସୁଗୁଡ଼ାରେ ୩୦.୪, ତାଳଚେରରେ ୧୫.୪, କେନ୍ଦୁଝରରେ ୧୪.୫, ରାଉରକେଲାରେ ୭.୮, ଦେବଗଡ଼ରେ ୫.୪ମିମି ବର୍ଷା ହୋଇଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.