ନୂଆଦିଲ୍ଲୀ ୨୮।୦୫; ଋଣ ଭାର ଯୋଗୁଁ ପୁଣି ଉଜୁଡ଼ି ଗଲା ସୁନା ସଂସାର । ଅସହ୍ୟ ଋଣ ପାଇଁ ଜୀବନ ହାରୁଛନ୍ତି ପରିବାର । ଗତକାଲି ହରିୟାଣା ପରେ ଆଜି କେରଳରେ ଋଣ ଚିନ୍ତାରେ ଆଉ ଏକ ପରିବାର ଜୀବନ ହାରିଛନ୍ତି । ଋଣଗ୍ରସ୍ତ ହୋଇ ପୁରା ପରିବାର ଜୀବନ ଶେଷ କରିଥିବା ସନ୍ଦେହ କରାଯାଉଛି । କେରଳର ଭକ୍କମରେ ଗୋଟିଏ ପରିବାରର ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ହରିୟାଣାର ପଞ୍ଚକୁଲା ସେକ୍ଟର ୭ରେ ଗୋଟିଏ ପରିବାର ବିଷ ପିଇ ଆତ୍ମହତ୍ୟା କରିଥିଲେ । ଦୁଇ ଦିନରେ ଅକାଳରେ ୧୧ ଜଣଙ୍କର ଜୀବନ ଚାଲି ଯାଇଛି ।
କେରଳ ଭକ୍କମରେ ବନ୍ଦ ଘରୁ ୪ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବାପାମାଆ ଓ ଦୁଇ ପୁଅ ଜୀବନ ହାରିଛନ୍ତି। ସେମାନେ ହେଲେ ୫୫ ବର୍ଷୀୟ ଅନୀଲ କୁମାର, ୫୦ ବର୍ଷୀୟ ପତ୍ନୀ ଶିଜା ଏବଂ ସେମାନଙ୍କ ଦୁଇ ପୁଅ । ଏନେଇ ପଡ଼ୋଶୀଙ୍କ କହିବା ଅନୁସାରେ ମୃତ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଘରର କେହି ବାହାରକୁ ନ ଆସିବାରୁ ପଡୋଶୀ ଘର ଭିତରକୁ ଯିବାରୁ ଘଟଣା ବିଷୟରେ ଜଣାପଡ଼ିଥିଲା । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପରିବାର ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘରୁ କୌଣସି ସୁଇସାଇଟ୍ ନୋଟ ଜବତ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କହିବାକୁ ଗଲେ, ଗତକାଲି ହରିୟାଣାର ପଞ୍ଚକୁଲାରେ ଜଣେ ବ୍ୟବସାୟୀ ପରିବାର ସମୂହ ଆତ୍ମହତ୍ୟା କରିଥିଲେ । ମୃତ ପରିବାର ଉତ୍ତରାଖଣ୍ଡର ପ୍ରବୀଣ ମିତ୍ତଲ, ତାଙ୍କ ପତ୍ନୀ, ବାପାମାଆ ଓ ୩ ପିଲା । ଋଣ ପରିଶୋଧ କରିନ ପାରି ଶେଷରେ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ।