କାହିଁକି ଆଇପିଏଲ ଛାଡିଲେ ରସେଲ ? ପ୍ରଥମ ଥର ପାଇଁ କହିଲେ ନିଜ ସମସ୍ୟା

NEWS7
another-719-covid-patients-have-recovered-and-are-being-discharged-on-17-09-2021-in-odisha

ନୂଆଦିଲ୍ଲୀ, ୦୫ /୧୨: ଏଥର ଆଇପିଏଲରେ ନଜର ଆସିବେନି ଆଣ୍ଡ୍ରେ ରସେଲ । ସେ ଆଇପିଏଲରୁ ଅବସର ନେବାକୁ ଘୋଷଣା କରିଛନ୍ତି । ୨୦୨୬ ମିନି ଅକ୍ସନ ପୂର୍ବରୁ ତାଙ୍କୁ କୋଲକାତା ନାଇଟ ରାଇଡର୍ସ ରିଲିଜ୍ କରିଥିଲା । ଏହାପରେ ସେ ଟୁର୍ଣ୍ଣାମେଣ୍ଟରୁ ଅବସର ଘୋଷଣା କରିଥିଲେ । ତେବେ କାହିଁକି ଆଇପିଏଲ ଛାଡିଲେ ସେନେଇ ମୁହଁ ଖୋଲିଛନ୍ତି ୩୭ ବର୍ଷୀୟ ରସେଲ ।

ରସେଲ ଏବେ କେକେଆରର ପାଓ୍ୱାର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ସେ ବିଶ୍ୱର ଅନ୍ୟ ଟି୨୦ ଫର୍ମାଟ ଖେଳିବେ । ହେଲେ ଆଇପିଏଲ ନଖେଳିବାକୁ ନେଇ ସେ କହିଛନ୍ତି ଯେ, ଅଲରାଉଣ୍ଡର ଭାବେ ଟୁର୍ଣ୍ଣାମେଣ୍ଟ ଖେଳିବା ଚ୍ୟାଲେଞ୍ଜପୂର୍ଣ୍ଣ । ଅନେକ ମ୍ୟାଚ୍ ଖେଳିବାକୁ ହୁଏ । ବହୁତ ସ୍ଥାନକୁ ଯିବା ପାଇଁ ପଡିଥାଏ । କିନ୍ତୁ ବିଶ୍ରାମ ନେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଜିମ୍ ଯିବାଠୁ ଆରମ୍ଭ କରି ଅଭ୍ୟାସ କରିବା ଯାଏଁ ସବୁ ମ୍ୟାନେଜ୍ କରିବାକୁ ହୋଇଥାଏ । ଆଇପିଏଲ ହେଉଛି ଗୋଟିଏ ବଡ ଲିଗ୍ । ତେଣୁ ସଦାବେଳେ ଏଥିରେ ଭଲ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରହିଥାଏ ।

ସେ ଆହୁରି କହିଛନ୍ତି ଯେ, ସେ କେବେହେଲେ ଖାଲି ବ୍ୟାଟର ଭାବେ ମ୍ୟାଚ୍ ଖେଳିପାରିବେ ନାହିଁ । ଏହା ତାଙ୍କ ମାନସିକତା ନୁହେଁ । ସେ ଉଭୟ ବ୍ୟାଟ୍ ଏବଂ ବଲରେ ଭଲ ପ୍ରଦର୍ଶନ କରିବାକୁ ଚାହାଁନ୍ତି । ଗୋଟିଏ ମ୍ୟାଚରେ ସେ ଅତି କମରେ ୨ ଓଭର ବୋଲିଂ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ଯଦି ସେ ଭଲ ବୋଲିଂ କରିବେ ଆପେଆପେ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ । କ୍ୟାରିଅର ଆରମ୍ଭରେ ସେ ବ୍ୟାଟସମ୍ୟାନ୍ ଭାବେ ଖେଳ ଆରମ୍ଭ କରିଥିଲେ । ଏବେ ସେ ଆଇପିଏଲରେ କେବଳ ଇମପାକ୍ଟ୍ ପ୍ଲେୟାର କିମ୍ବା ଛକା ମାରିବାକୁ ଖେଳିବାକୁ ରାଜି ନାହାଁନ୍ତି । ଉଭୟ ବୋଲିଂ ଏବଂ ବ୍ୟାଟିଂରେ ସେ ପାରଦର୍ଶିତା ଦେଖାଇବାକୁ ପସନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି ଓ୍ୱେଷ୍ଟ ଇଣ୍ଡିଜର ଏହି ଖେଳାଳି ।

ଅଲରାଉଣ୍ଡର ଭାରେ ପରିଚିତ ରସେଲ ଆଇପିଏଲରେ ୧୪୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ବ୍ୟାଟରୁ ୨୬୫୧ ରନ୍ ବାହାରିଛି । ଆଇପିଏଲରେ ରସେଲଙ୍କ ଷ୍ଟ୍ରାଇକ୍ ରେଟ୍ ୧୭୪ରୁ ଅଧିକ ଥିବା ବେଳେ ୧୨ଟି ଅର୍ଧଶତକୀୟ ପାଳି ରହିଛି । ଖାଲି ଏତିକି ନୁହେଁ ସେ ୯.୫୧ ଆଭରେଜରେ ୧୨୩ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।