ଯାତ୍ରୀଙ୍କ ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ: ନିୟମିତ ଯାଞ୍ଚ୍ ପାଇଁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ

NEWS7
anjali-swain-elected-ganjam-jilla-parisad

କଟକ/ଭୁବନେଶ୍ୱର: ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ଏହିକ୍ରମରେ, ବିଭିନ୍ନ ଆରଟିଓଙ୍କ ଦ୍ୱାରା ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବସ୍ ମାନଙ୍କରେ ଅଚାନକ ଯାଞ୍ଚ କରାଯାଇଛି। ଯାତ୍ରିବାହୀ ବସରେ ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ନେଇ ଅନେକ ସମୟରେ ଯାତ୍ରୀଙ୍କଠାରୁ ଅଭିଯୋଗ ଆସୁଛି। ତେଣୁ ଏହା ଉପରେ କଡ଼ା ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ କୁହାଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଆରଟିଓ ଟିମ୍ ବସ୍ ଯାଞ୍ଚ କରିଛନ୍ତି। ଯାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମଦିନରେ କଟକ ଆରଟିଓଙ୍କ ଏନଫୋର୍ସମେଣ୍ଟ ଟିମ୍ ନିୟମ ଉଲ୍ଲଙ୍ଘନ କରିଥିବା ପାଞ୍ଚଟି ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଟର ଯାନ ଆଇନର ଧାରା ୧୯୨(କ) ଅନୁଯାୟୀ ଉକ୍ତ ବସମାନଙ୍କ ବିରୋଧରେ ୧୦ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି।

ସରକାରଙ୍କ ଦ୍ୱାରା ବସ୍ ବର୍ଗ ଅନୁଯାୟୀ କିଲୋମିଟର ପିଛା ଭଡ଼ା ଧାର୍ଯ୍ୟ କରାଯାଇଛି। ଉଭୟ ଅଫଲାଇନ୍ ଓ ଅନଲାଇନ ଟିକଟ ପାଇଁ ଏହା ଲାଗୁ ହୋଇଥାଏ। ଏହାକୁ ପାଳନ କରିବାକୁ ସମସ୍ତ ବସ୍ ମାଲିକ ତଥା ପରିଚାଳକମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚାଇ ଦିଆଯାଇଛି। ନିୟମ ଅନୁଯାୟୀ ପ୍ରତ୍ୟେକ ବସରେ ଭଡ଼ା ବିବରଣୀ ପ୍ରଦର୍ଶିତ କରିବାକୁ ମଧ୍ୟ କୁହାଯାଇଛି।

ଯାତ୍ରୀଙ୍କ ସୁବିଧା ପାଇଁ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ। କୌଣସି ବସ୍ ଦ୍ୱାରା ବି ନିୟମ ଉଲ୍ଲଙ୍ଘନ ପରିଲକ୍ଷିତ ହେଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ କେବଳ ଅଧିକ ଭଡ଼ା ବିଷୟରେ ନୁହେଁ, ସଡ଼କ ସୁରକ୍ଷାର ସମସ୍ତ ନିୟମ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ଏନଫୋର୍ସମେଣ୍ଟରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।