ଅନିଶ ଦୟାଲ ସିଂହ ହେଲେ ଡେପୁଟି NSA, ମଜଭୁତ ହେଲା ଅଜିତ ଡୋଭାଲଙ୍କ ଟିମ୍

Published By : Prameya-News7 Bureau | August 24, 2025 IST

ନୂଆଦିଲ୍ଲୀ ୨୪।୮: ସିଆରପିଏଫ ଓ ଆଇଟିବିପିର ପୂର୍ବତନ ମହାନିର୍ଦ୍ଦେଶକ (ଡିଜି) ଅନିଶ ଦୟାଲ ସିଂହଙ୍କୁ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା (ଡେପୁଟି ଏନଏସଏ) ନିଯୁକ୍ତ କରାଯାଇଛି। ତାଙ୍କୁ ଅନ୍ତରୀଣ ବ୍ୟାପାର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମଣିପୁର କ୍ୟାଡର ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ସିଂହ ୩୧ ଡିସେମ୍ବର ୨୦୨୪ରେ ସିଆରପିଏଫ ଡିଜି ପଦରେ ଅବସର ଗ୍ରହଣ କରିଥିଲେ। ଏହି ନିଯୁକ୍ତିକୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଟିମକୁ ଅଧିକ ମଜଭୁତ କରାଯିବା ଦିଗରେ ପଦକ୍ଷେପ ମନେ କରାଯାଉଛି। 

ଉତ୍ତରପ୍ରଦେଶ ପ୍ରୟାଗରାଜରେ ୧୯୬୪ରେ ଜନ୍ମିତ ଅନିଶ ଦୟାଲ ସିଂହ ତାଙ୍କ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ଓ ଜାତୀୟ ସୁରକ୍ଷା କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖନୀୟ ରହିଛି। ଏହା ପୂର୍ବରୁ ସେ ଆଇଟିବିପି ଓ ସଶସ୍ତ୍ର ସୀମା ବଳ (ଏସଏସବି) ମହାନିର୍ଦ୍ଦେଶକ ଭାବେ ତାଙ୍କ ସେବା ଦେଇଛନ୍ତି। ତେବେ ସିଆରପିଏଫ ଡିଜି ଭାବେ ଜମ୍ମୁ-କାଶ୍ମୀରରେ ଅବସ୍ଥାପିତ ଥିବା ବେଳେ ଆତଙ୍କବାଦ ବିରୋଧୀ ଅଭିଯାନମାନଙ୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। 

ଏହାଛଡା ଅଗଷ୍ଟ ୨୦୨୪ରେ ତାଙ୍କୁ ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି) ଓ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ଅନିଶ ଦୟାଲ ତାଙ୍କ କ୍ୟାରିୟରର ପ୍ରାରମ୍ଭ ମଣିପୁର କ୍ୟାଡର ଆଇପିଏସ ଅଧିକାରୀ ଭାବେ ଆରମ୍ଭ କରିଥିଲେ। ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ (ଆଇବି)ରେ ବିଶେଷ ନିର୍ଦ୍ଦେଶକ ରୂପେ କାମ କରିଥିଲେ, ଯେଉଁଠି ସେ ଅନେକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅପରେସନର ନେତୃତ୍ୱ ନେଇଥିଲେ। 

ତାଙ୍କର ବିଶେଷଜ୍ଞତା ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଡେପୁଟି ଏନଏସଏ ରୂପେ ନିଯୁକ୍ତ କରାଯିବା ଜାତୀୟ ସୁରକ୍ଷା ସମ୍ପର୍କିତ ମାମଲାରେ ଭାରତର ରଣନୀତିକୁ ଆହୁରି ପ୍ରଭାବୀ କରିବାରେ ସହାୟକ ହେବ। ଏନଏସଏ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଡେପୁଟି ଏନଏସଏ ରୂପେ ଅନିଶ ଦୟାଲ ଆତଙ୍କବାଦ, ସାଇବର ସୁରକ୍ଷା ଓ ଅନ୍ତରୀଣ ବିପଦ ଭଳି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବେ। ତାଙ୍କ ନିଯୁକ୍ତି ଜାତୀୟ ସୁରକ୍ଷା ପରିଷଦ (ଏନଏସସି) ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.