ପୁରୀ ୧୩/୦୬: ଶ୍ରୀଜୀଉଙ୍କ ଅନବସରର ଆଜି ଦ୍ବିତୀୟ ଦିନ । ମହାପ୍ରଭୁଙ୍କର ଆଜିର ଦିନରେ କରାଯାଇଥାଏ ଓଦା ଲୁଗା ଲାଗି ନୀତି । ଆସନ୍ତାକାଲି ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ । ଜ୍ୟୋଷ୍ଠମାସ ପୂର୍ଣ୍ଣିମା ଠାରୁ ଆଷାଢ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ଅଣସର କୁହାଯାଏ । ଦଇତାପତିଙ୍କ ଦ୍ଵାରା ଅଣସର ଗୃହରେ ଗୁପ୍ତ ସେବା ଚାଲିଥିବା ବେଳେ ପଣା ଓ ଫଳମୂଳ ପଥି ମହାପ୍ରଭୁଙ୍କୁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଦିଆଯାଉଛି ।
ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଅଣସର ଗୃହରେ ଦଇତାପତିମାନେ ଏକ ବସ୍ତ୍ର ପରିଧାନ କରି ଏହି ଗୁପ୍ତ ଉପଚାର କରୁଛନ୍ତି । ସେପଟେ ବ୍ରହ୍ମଗିରି ଅଲାରନାଥ ଦେବଙ୍କ ପୀଠରେ ଭକ୍ତଙ୍କ ଗହଳି ଜମୁଛି । ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି, ତଡ଼ପ ଲାଗି , ଅବକାଶ, ଗୋପାଳ ବଲ୍ଲଭ ନୀତି ବଢିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।