ନୂଆଦିଲ୍ଲୀ ୨୨।୦୮: ବୟସ ମାତ୍ର ୨୨ ବର୍ଷ । କିନ୍ତୁ ମୁଣ୍ଡ ଉପରେ ରହିଛି ବହୁତ ବଡ ଦାୟିତ୍ବ । ସମ୍ଭାଳିବେ ୨୧ ହଜାର କୋଟିର କାରବାର । ଏନେଇ କର୍ପୋରେଟ ଜଗତରେ ରହିଛନ୍ତି ଖୁବ ଚର୍ଚ୍ଚାରେ । ଏହି ଯୁବତୀ ଜଣକ ହେଉଛନ୍ତି ଆନନ୍ଦମୟୀ ବଜାଜ । ସେ ବଜାଜ ଗ୍ରୁପର ୫ ପିଢୀ । ଆନନ୍ଦମୟୀ ବଜାଜ୍ ହେଉଛନ୍ତି ବଜାଜ୍ ଗ୍ରୁପ୍ ଅଧ୍ୟକ୍ଷ କୁଶାଗ୍ର ବଜାଜ୍ଙ୍କ ଝିଅ। ଏବେ ସେ ନିଜ ପାରିବାରିକ ବ୍ୟବସାୟରେ ସାମିଲ ହୋଇଛନ୍ତି । ସେ ଜେନେରାଲ୍ ମ୍ୟାନେଜର ଭାବେ ଜଏନ୍ କରିଛନ୍ତି ।
ବଜାଜ୍ ଗ୍ରୁପର ପରିଚାଳନାରେ ତାଙ୍କର ଏଣ୍ଟ୍ରି କମ୍ପାନୀରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ପ୍ରତିଫଳିତ କରେ । ବିଶେଷ କଥା ହେଉଛି ଆନନ୍ଦମୟୀଙ୍କ ମାଆ ବାସବାଦତ୍ତା ବଜାଜ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲାଙ୍କ ଭଉଣୀ। ପାରିବାରିକ ବ୍ୟବସାୟରେ ଦାୟିତ୍ୱ ଗ୍ରହଣ କରିବା ପରେ ଆନନ୍ଦମୟୀ ଗ୍ରୁପର ବିଭିନ୍ନ ବ୍ୟବସାୟର ନେତୃତ୍ୱ ଦଳ ସହିତ କାମ କରିବେ । ଏହାପରେ କମ୍ପାନୀ ବୋର୍ଡରେ ଯୋଗଦେବେ ।
ତେବେ ଆନନ୍ଦମୟୀ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଜୁନ୍ ମାସରେ ଆର୍ଥିକ ଅର୍ଥନୀତି ଏବଂ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି । ଆନନ୍ଦମୟୀ ପଶୁପକ୍ଷୀମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି । ଏହାବ୍ୟତୀତ ସେ ମହିଳା ସଶକ୍ତିକରଣ ପ୍ରତି ମଧ୍ୟ ବହୁତ ସଚେତନ । ତାଙ୍କର ଦୁଇ ଭାଇ ଅଛନ୍ତି - ଯୁଗାଦିକୃତ (୨୦) ଏବଂ ବିଶ୍ୱରୂପ (୧୭)। ଯୁଗାଦିକୃତ ବର୍ତ୍ତମାନ ପାଠ ପଢ଼ୁଛନ୍ତି ଏବଂ ସେ ମଧ୍ୟ ଆଗାମୀ ଦୁଇ ବର୍ଷ ମଧ୍ୟରେ କମ୍ପାନୀର ବୋର୍ଡରେ ଯୋଗଦେବେ ।
ଯେତେବେଳେ କି ବିଶ୍ୱରୂପ HR କଲେଜର ଛାତ୍ର ଏବଂ ସେ ଜଣେ ପୋଲୋ ଚାମ୍ପିଅନ୍ ମଧ୍ୟ। ତେବେ କୁଶାଗ୍ର ବଜାଜଙ୍କ ମାଲିକାନାରେ ଥିବା ବଜାଜ ଗ୍ରୁପ୍ ଚିନି, ଇଥାନଲ୍, ବିଦ୍ୟୁତ୍ ଏବଂ ପର୍ସନାଲ୍ କେୟାର ବ୍ୟବସାୟରେ ସକ୍ରିୟ । ସାରା ଦେଶରେ ୧୨ହଜାର ଲୋକଙ୍କୁ ନିଯୁକ୍ତି ଦେଇଛି କମ୍ପାନୀ । ଏହା ମୂଳତଃ ୨୦୦୮ରେ ବିଭାଜନ ପରେ ବଜାଜ ଗ୍ରୁପ୍ ଠାରୁ ପୃଥକ ହୋଇଥିଲା।
ବଜାଜ ଗ୍ରୁପ୍ ୧୯୩୦ ମସିହାରେ ଜମନାଲାଲ ବଜାଜଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ବର୍ତ୍ତମାନ କୁଶାଗ୍ର ବଜାଜ, ରାଜୀବ ବଜାଜ ଏବଂ ସଞ୍ଜିବ ବଜାଜଙ୍କ ନେତୃତ୍ୱରେ ଚାଲିଛି । ରାଜୀବ ବଜାଜଙ୍କ ପୁଅ ରିଷଭ ବଜାଜ, ବଜାଜ ଅଟୋରେ ଡିଭିଜନାଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛନ୍ତି । ଯେତେବେଳେ କି ତାଙ୍କ ଝିଅ ସଞ୍ଜଳୀ, ବଜାଜ ଫିନସର୍ଭ ସହିତ ଜଡିତ । ତେବେ ଆନନ୍ଦମୟୀ ବଜାଜଙ୍କୁ କମ୍ପାନୀରେ ଏହି ପଦ ବଡ ଦାୟିତ୍ୱ ଭାବରେ ମିଳିଛି ।
ତେଣୁ ୧୦୦ ବର୍ଷ ପୁରୁଣା ପାରିବାରିକ ବ୍ୟବସାୟକୁ ଆଗକୁ ନେବାର ଦାୟିତ୍ୱ ଆନନ୍ଦମୟୀଙ୍କ କାନ୍ଧରେ ରହିଛି । ବ୍ୟବସାୟରେ ତାଙ୍କର ଏଣ୍ଟ୍ରି କେବଳ ପରିବାର ପାଇଁ ନୁହେଁ ବରଂ ପୁରା ବ୍ୟବସାୟିକ ସମ୍ପ୍ରଦାୟ ପାଇଁ ଏକ ବଡ଼ ପଦକ୍ଷେପ। ତାଙ୍କର ଶିକ୍ଷା ଏବଂ ନୂଆ ଚିନ୍ତାଧାରା ଗ୍ରୁପକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ । ଏହାସହିତ ମହିଳା ଏବଂ ପଶୁମାନଙ୍କ ପାଇଁ କାମ କରିବା ପ୍ରତି ତାଙ୍କର ଆଗ୍ରହ ତାଙ୍କ କାମକୁ ଏକ ନୂଆ ଦିଗ ଦେଇପାରେ ।