ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନାବ ନଦୀ ଉପରେ ନିର୍ମିତ ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଓ ଦେଶର ପ୍ରଥମ କେବଲ-ଷ୍ଟେ ଅଞ୍ଜି ବ୍ରିଜ୍ ଉଦଘଟାନ୍ କରିଛନ୍ତି । ଏହି ବ୍ରିଜ୍ ଉପରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଧାନମନ୍ତ୍ରୀଙ୍କ ସବୁଜ ପତାକା ପରେ ଗଡ଼ିଛି । ଏହି ବ୍ରିଜ୍ ଜମ୍ମୁ କାଶ୍ମୀର ରିୟାସୀ ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଓ ଉଧମପୁର-ଶ୍ରୀନଗର ମଧ୍ୟରେ ରେଳ ଲିଙ୍କ (USBRL) ପ୍ରୋଜେକ୍ଟର ଅଂଶ । ତେବେ ଆସନ୍ତୁ ଜାଣିବା ଏହି ବ୍ରିଜର କିଛି ଗୁରୁତ୍ୱପୂର୍ଣ୍ଣ କଥା ।
ଚେନାବ ବ୍ରିଜ୍ ଏକ ଷ୍ଟିଲ୍ ଓ କଂକ୍ରିଟରେ ନିର୍ମିତ ପୋଲ । ଏହି ବ୍ରିଜ୍ ଚେନାବ ନଦୀ ଉପରେ ନିର୍ମିତ ଓ ଏହା ଭୂପୃଷ୍ଠରୁ ୩୫୯ ମିଟର (ପ୍ରାୟ ୧୧୭୮ ଫୁଟ) ଉଚ୍ଚରେ ରହିଛି । ଅର୍ଥାତ୍ ଏହା ପ୍ୟାରିସର ପ୍ରସିଦ୍ଧ ଏଫିଲ୍ ଟାୱାରରୁ ୩୫ ମିଟର ଓ ଦିଲ୍ଲୀର କୁତୁବ ମୀନାରଠାରୁ ପ୍ରାୟ ୫ ଗୁଣା ଅଧିକ ଉଚ୍ଚ । ଏହାର ମୋଟ ଲମ୍ୱ ୧୩୧୫ ମିଟର ବା ପ୍ରାୟ ୪୩୧୪ ଫୁଟ୍ । ଏହି କାରଣରୁ ଏହା ଦୁନିଆର ସବୁଠୁ ଉଚ୍ଚ ବ୍ରିଜ୍ ।
ଚେନାବ ବ୍ରିଜ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାସହ ଅନେକ ବୋଲ୍ଟ, ଷ୍ଟିଲ୍ ଓ କଂକ୍ରିଟ୍ ବ୍ୟବହାର କରାଯାଇଛି । ସୂଚନା ଅନୁସାରେ ଏହି ବ୍ରିଜକୁ ନିର୍ମାଣ କରିବାରେ ୨୮,୬୬୦ରୁ ୩୦,୦୦୦ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହାର କରାଯାଇଛି । ଏହାସହ ୪୬,୦୦୦ କ୍ୟୁବିକ୍ ମିଟର କଂକ୍ରିଟ୍ ବ୍ୟବହାର କରାଯାଇଛି । ସେହିପରି ୬ ଲକ୍ଷରୁ ଅଧିକ ବୋଲ୍ଡ ବ୍ୟବହାର କରାଯାଇଛି । ଏହି ବ୍ରିଜ୍ ନିର୍ମାଣ ବେଳେ ନଦୀର ପ୍ରବାହକୁ କୌଣସି ପ୍ରକାର କ୍ଷତି ପହଞ୍ଚା ଯାଇନି । ନଦୀରେ କୌଣସି ପିଲର ନାହିଁ, ବରଂ ଏହାକୁ ଆର୍କ ଟେକ୍ନୋଲଜି ବ୍ୟବହାର କରି କରାଯାଇଛି ।
सपने नहीं, हकीकत बुनते हैं… pic.twitter.com/5WtFQrpAYC
— Ashwini Vaishnaw (@AshwiniVaishnaw) June 6, 2025
ଉଧମପୁର-ଶ୍ରୀନଗର-ବାରମୁଳା ରେଳୱେ ଲିଙ୍କ୍ ପ୍ରକଳ୍ପର ଅଂଶବିଶେଷ ହେଉଛି ଚେନାବ ବ୍ରିଜ୍ । ଏହା ହିମାଳୟ କୋଳରେ ଅବସ୍ଥିତ ‘ନଦୀ-ଘାଟୀ’ ଉପରେ ନିର୍ମିତ । ଏହା ବିଭିନ୍ନ ପ୍ରାକୃତିକ ବିପଦକୁ ସହ୍ୟ କରିପାରିବ । ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଗରେ ପ୍ରବାହିତ ପବନର ଧକ୍କାକୁ ସମ୍ଭାଳିପାରିବ । ତୀବ୍ର ଭୂମିକମ୍ପର ଝଟ୍କାରେ ବି ତିଷ୍ଠି ରହିପାରିବ । ୪୦ଟନ୍ ଟିଏନଟି ବୋମା ବିସ୍ଫୋରଣ ଶକ୍ତିକୁ ବି ପ୍ରତିହତ କରିପାରିବ । ଏହା ଉପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ୍ ଦୌଡ଼ି ପାରିବ । ମାଇନସ୍ ୨୦ଡିଗ୍ରୀ ସେଲସିଅସ ଯାଏ ଶୀତଳତା ତଥା ୪୦ଡିଗ୍ରୀ ସେଣ୍ଟିଗ୍ରେଡ୍ ପରିବେଶୀୟ ଉତ୍ତାପକୁ ଏହା ସହ୍ୟ କରିପାରିବ । ଏହି ଆର୍କ ରେଳବ୍ରିଜର ଆୟୁଷ ମୋଟାମୋଟି ୧୨୦-୧୨୫ ବର୍ଷ ।
ଏହି ବ୍ରିଜ୍ ନିର୍ମାଣ ପାଇଁ ମୋଟ ଉପରେ ୧୪୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ବ୍ରିଜର ନିର୍ମାଣ ପାଇଁ ୨୦୦୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀ ଅନୁମତି ଦେଇଥିଲେ । ୨୦୦୪ରେ ଏହାର ନିର୍ମାଣ କାମ ଆରମ୍ଭ ହେଲା ସତ, କିନ୍ତୁ ଅନେକ ବାଧା ଯୋଗୁ ଏଥିରେ ବିଳମ୍ୱ ଘଟିଚାଲିଥିଲା । ୨୦୧୭ରେ ଏହାର ବେସ୍ କାମ ପୂରା ହୋଇଥିଲା ଓ ୨୦୨୧ ଏପ୍ରିଲରେ ମୁଖ୍ୟ ଆର୍କର ନିର୍ମାଣ ପୂରା ହୋଇଥିଲା । ୨୦୨୨ ଅଗଷ୍ଟରେ ବ୍ରିଜ ସମ୍ପୂର୍ଣ୍ଣ ତିଆରି ହୋଇଥିଲା ।