ଜର୍ଜଟାଉନ ୨୨।୮: ଅଷ୍ଟ୍ରେଲିଆରେ ଏକ ଛୋଟ ବିମାନ ନିଖୋଜ ହୋଇଯାଇଛି। ଏହି ବିମାନରେ ୨ ଜଣ ଯାତ୍ରୀଙ୍କ ସହ ସେମାନଙ୍କ ପୋଷାକ କୁକୁର ଥିଲା। ବିମାନ ୨ ଅଗଷ୍ଟରେ ନିଖୋଜ ହେବାର ୨୦ ଦିନ ପରେ ତାର କୌଣସି ଖୋଜ ଖବର ମିଳୁନାହିଁ। ବିମାନ ଦୁର୍ଘଟଣାର ଶିକାର ହୋଇଥିବାର କୌଣସି ପ୍ରମାଣ ନାହିଁ, ଏପରିକି ପାଇଲଟ ମେ ଡେ ସିଗ୍ନାଲ ମଧ୍ୟ ଦେଇ ନଥିଲେ। ଏହି ଘଟଣା ୮ ମାର୍ଚ୍ଚ ୨୦୧୪ର ମାଲେସିଆ ଯାତ୍ରାବାହୀ ବିମାନ ଏମଏଚ-୩୭୦ ଘଟଣାକୁ ମନେ ପକାଇ ଦେଉଛି।
ଏମଏଚ-୩୭୦ ବିମାନଟି କୁଆଲାଲଂପୁର ବିମାନ ବନ୍ଦରରୁ ୨୩୯ ଜଣ ଯାତ୍ରୀଙ୍କୁ ନେଇ ଉଡାଣ କରିଥିଲା। ବିମାନଟି ଦକ୍ଷିଣ ଚୀନ ସାଗର ଉପରେ ଉଡୁଥିବା ବେଳେ ଅଚାନକ ନିଖୋଜ ହୋଇଯାଇଥିଲା। ବିମାନର ପାଇଲଟ କୌଣସି ମେ ଡେ ସିଗ୍ନାଲ ଦେଇ ନଥିଲେ କି କୌଣସି ପ୍ରକାରର ସମ୍ପର୍କ କରିନଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏମଏଚ-୩୭୦ ବିମାନର ଧ୍ୱଂସାବଶେଷ ମଧ୍ୟ ମିଳି ନାହିଁ। ଅଷ୍ଟ୍ରେଲିଆରେ ଏହି ଛୋଟ ବିମାନ ନିଖୋଜ ଘଟଣା ମଧ୍ୟ ସେହିଭଳି ଲାଗୁଛି।
‘ଡେଲି ଷ୍ଟାର’ ରିପୋର୍ଟ ଅନୁସାରେ ଏହି ଜାହାଜ୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ କରିଥିଲା। ଏହି ଯାତ୍ରୀ ଦୁଇ ଜଣଙ୍କ ସହ ସେମାନଙ୍କ ପୋଷା କୁକୁର ମଧ୍ୟ ଥିଲା। ବିମାନଟି ଅଗଷ୍ଟ ୨ ତାରିଖ ଦିନ ତାସମେନିଆରୁ ନ୍ୟୁ ସାଉଥୱେଲସ୍ (ଏନଏସଡବ୍ଲୁ) ଅଭିମୁଖେ ଉଡାଣ କରିଥିଲା ଓ ବାସ୍ ଷ୍ଟ୍ରେଟ୍ ଉପରେ ଉଡୁଥିଲା। ବିମାନରେ ୭୨ ବର୍ଷ ବୟଷ୍କ ଗ୍ରେଗରୀ ଭନ ଓ ତାଙ୍କ ସହିତ ୬୬ ବର୍ଷ ବୟଷ୍କ କିମ୍ ୱାର୍ଣ୍ଣର ଓ ତାଙ୍କର କୁକୁର ମୌଲୀ ମଧ୍ୟ ଥିଲା। ବିମାନଟି ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ଜର୍ଜ ଟାଉନ ଏୟାରପୋର୍ଟରୁ ଟେକଅଫ କରିବା ପରେ ଭିକ୍ଟୋରିଆରେ ଅଟକିବାର ଥିଲା। ହେଲେ ଭିକ୍ଟୋରିଆ ପହଞ୍ଚି ନାହିଁ।
ଏବେ ବିମାନକୁ ଖୋଜିବା ଲାଗି ଅନେକ ଏଜେନ୍ସୀ ଉଦ୍ୟମ ଚଳାଇଛନ୍ତି। ଅଷ୍ଟ୍ରେଲିୟାନ ମେରିଟାଇମ ସେଫ୍ଟି ଅଥରିଟି (ଏଏମଏସଏ) ନର୍ଥସ୍ମାନିୟା, ବାସ୍ ଷ୍ଟ୍ରେଟ୍ ଓ ସାଉଥ ଭିକ୍ଟୋରିଆରେ ସେମାନଙ୍କ ସନ୍ଧାନ ନିମନ୍ତେ ପୋଲିସ ବୋଟ ଓ ଏକ ହେଲିକପ୍ଟର ସହିତ ଅଭିଯାନ ଆରମ୍ଭ କରିଛି। ଜର୍ଜ ଟାଉନ ଫ୍ଲାଇଟ୍ ଇନଷ୍ଟ୍ରକ୍ଟର ୟୁଜିନ ରିଡ କହିଛନ୍ତି ଯଦି ବିମାନ କୌଣସି ଦୁର୍ଘଟଣାର ଶିକାର ହୁଏ ତେବେ ଏମାର୍ଜେନ୍ସୀ ସାଟେଲାଇଟ୍ ବିକନ ଚାଲୁ ହୋଇଯିବା କଥା। ହେଲେ ଏପରି କିଛି ବି ହୋଇନି।
ତାସ୍ମାନିଆ ପୋଲିସ ଇନିସପେକ୍ଟର ନିକ୍ କ୍ଲାର୍କ କହିଛନ୍ତି ଯେ ପାଇଲଟ ସ୍ଥାନୀୟ ଫ୍ଲାଇଂ କ୍ଲବର ଜଣେ ଅଭିଜ୍ଞ ତଥା ପ୍ରମୁଖ ସଦସ୍ୟ ଥିଲେ ଓ ସେ ଯେଉଁ ବିମାନକୁ ଉଡାଉଥିଲେ ତାହାକୁ ସେ ୪ ମାସ ପୂର୍ବରୁ କିଣିଥିଲେ। ତେବେ ବିମାନର କଣ ହୋଇଛି ସେ ନେଇ ୨୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁ ନାହିଁ। ବିମାନର ମାର୍ଗରେ ଧ୍ୱଂସାବଶେଷ ମଧ୍ୟ ମିଳି ନାହିଁ। ସମୁଦ୍ରରେ ଖସିପଡିଥିବାର ଆଶଙ୍କା କରାଯାଉଥିଲେ ବି ଏହର ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳୁ ନାହିଁ।