ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ନଜରରେ କେନ୍ଦ୍ର କୃଷି ମନ୍ତ୍ରୀ, ଆହୁରି ବଢ଼ିଲା ସୁରକ୍ଷା

NEWS7
an-american-couple-adopted-an-odia-girl

ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏମପି ଡିଜିପିଙ୍କୁ ଏନେଇ ଏକ ଚିଠି ପଠାଇଛି । ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ ଅଛନ୍ତି । ଆଇଏସଆଇ ଚୌହାନଙ୍କ ସହ ଜଡିତ ସୂଚନା ସଂଗ୍ରହ କରୁଛି ।

ଭୋପାଳର ୭୪ ବଙ୍ଗଳାରେ ଶିବରାଜଙ୍କ ବି-୮ ବାସଭବନ ଚାରିପାଖରେ ପୋଲିସ ଅତିରିକ୍ତ ବ୍ୟାରିକେଡ୍ ନିର୍ମାଣ କରିଛି । ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି । ଆଇଏସଆଇ ଶିବରାଜ ଚୌହାନଙ୍କ ପ୍ରତି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ତାଙ୍କର ପୂର୍ବରୁ Z+ ସୁରକ୍ଷା ଥିଲା , କିନ୍ତୁ ଏହି ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି।

ଇନପୁଟ୍ ପାଇବା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଭୟ ସହରରେ ଚୌହାନଙ୍କ ସୁରକ୍ଷା ବଳୟକୁ ସୁଦୃଢ଼ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଭୋପାଳ ବଙ୍ଗଳା ବାହାରେ ସୁରକ୍ଷା ବଢ଼ାଯାଇଥିବା ଦେଖିବାକୁ ମିଳିଥିଲା।

ଗୃହ ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସି ଏବଂ ମଧ୍ୟପ୍ରଦେଶ ଡିଜିପିଙ୍କୁ ସୁରକ୍ଷାରେ ଯେମିତି କୌଣସି ତ୍ରୁଟି ନହୁଏ, ସେଥିପ୍ରତି ସତର୍କ ରହିବାକୁ କହିଛି । ମଧ୍ୟପ୍ରଦେଶର ମୁଖ୍ୟ ସଚିବଙ୍କୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର (ସୁରକ୍ଷା)ଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।

ସୁରକ୍ଷା ବୃଦ୍ଧି ସମ୍ପର୍କରେ ଗୃହ ମନ୍ତ୍ରଣାଳୟର ଚିଠି ଅନୁଯାୟୀ, ଆଇଏସଆଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିଷୟରେ ସୂଚନା ପାଇବା ପାଇଁ ଆଗ୍ରହ ପ୍ରକାଶ କରିଛି । କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସହିତ ପରାମର୍ଶ କରି କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଉପଯୁକ୍ତ ଭାବରେ ସଜାଡ଼ିବାକୁ ଚିଠିରେ କୁହାଯାଇଛି ।

ଶିବରାଜ ସିଂହ ଚୌହାନ ପାଇଁ Z+ ବର୍ଗର ସୁରକ୍ଷା ଦିଆଯାଉଛି । ଏହାକୁ ଦେଶର ସର୍ବୋଚ୍ଚ ସ୍ତରର ସୁରକ୍ଷା ବୋଲି ବିବେଚନା କରାଯାଏ। ଏଜେନ୍ସି ଇନପୁଟ୍ ପରେ, ତାଙ୍କ ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତଥାପି, Z+ ସୁରକ୍ଷାରେ ସାଧାରଣତଃ NSG କମାଣ୍ଡୋ ସମେତ ପ୍ରାୟ ୫୫ ଜଣ ପ୍ରଶିକ୍ଷିତ ସୁରକ୍ଷା କର୍ମୀଙ୍କ ଥାଆନ୍ତି।