ଆନନ୍ଦପୁର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚଙ୍କ ଦିଅରକୁ ମାରଣାନ୍ତକ ଆକ୍ରମଣ ଘଟଣା। ୪ ମାସ ପରେ ଧରାପଡ଼ିଲା ଜଣେ ଅଭିଯୁକ୍ତ। ଗତ ବର୍ଷ ଅକ୍ଟୋବର ମାସରେ ଘଷିପୁରା ବ୍ଲକ୍ ପୁରୁଣାବାନ୍ଦୋଗଡ଼ା ଗ୍ରାମରେ ଘଟିଥିଲା ଏହି ଘଟଣା। ଏଥିରେ ସମୁଦାୟ ତିନି ଜଣକ ସଂପୃକ୍ତି ଥିବାବେଳେ ଏବେବି ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଭୀମସେନ୍ ମାଝୀ। ଗତକାଲି ରାତିରେ ଭୀମସେନ ଘରକୁ ଆସିଥିବାବେଳେ, ଖବର ପାଇ ଅରାମଚନ୍ଦ୍ରପୁର ଥାନା ପୋଲିସ ତାକୁ ଗିରଫ କରିବା ସହ ସୋମବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ୨୦୨୪ ଅକ୍ଟୋବର ୨ ତାରିଖରେ ପୁରୁଣାବାନ୍ଦୋଗଡ଼ା ପଞ୍ଚାୟତରେ ଗ୍ରାମସଭା ଚାଲିଥିବାବେଳେ ସେଠାରେ ପହଞ୍ଚିଥିଲେ ଭିମସେନ୍ ମାଝୀ ଓ ତାଙ୍କ ପୁଅ ଆଶୁତୋଷ ମାଝୀ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହାପୁନ ଜୋନା। ପ୍ରଥମେ ସେମାନେ ସେଠାରେ ବିଶୃଙ୍ଖଳା କରିବା ସହ ପଞ୍ଚାୟତ ଫାଇଲ୍ ଚିରି ଦେଇଥିଲେ। ଆଉ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସରପଞ୍ଚଙ୍କ ଦିଅର ସୁଜିତ୍ କୁମାର ଧିରଙ୍କ ସହ ସେମାନଙ୍କର କଥା କଟାକଟି ମଧ୍ୟ ହୋଇଥିଲା। ଯାହାକୁ ନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଜିତ।
ହେଲେ ଥାନାରେ ଅଭିଯୋଗ କରିବାରୁ ପ୍ରତିଶୋଧ ପରାୟଣ ହୋଇ ସୁଜିତ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ ତିନି ଅଭିଯୁକ୍ତ। ଅଭିଯୁକ୍ତମାନେ ଠେଙ୍ଗା ଓ ଲୁହାରଡ୍ରେ ଆକ୍ରମଣ କରିବାରୁ ଗୁରୁତର ଆହତ ହୋଇଥିଲେ ସୁଜିତ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା।