ମୁମ୍ବାଇ ୨।୨: ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ରବିବାର ଏକ ଅନିୟନ୍ତ୍ରିତ ମର୍ସିଡିଜ କାର ୫ ଜଣଙ୍କୁ ଧକ୍କା ଦେଇଛି। ଏଥିରେ ୨ ଜଣ ବିଦେଶୀ ମଧ୍ୟ ଅଛନ୍ତି, କାରଟି ଟର୍ମିନାଲ ୨କୁ ଜଣେ ପାସେଞ୍ଜର ଛାଡିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟାଇଛି। ଏୟାରପୋର୍ଟର ପାର୍କିଂ ଲଟରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲା, ଫଳରେ ଗାଡିଟି ଲୋକଙ୍କ ଉପରକୁ ମାଡ଼ିଯାଇଥିଲା।
ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭରକୁ ଚିହ୍ନଟ କରାଯାଇଛି। ତାର ନାମ ପର୍ଶୁରାମ ଚିଞ୍ଚୋଲପ୍ପା ଦାଦାନଭରେ ଓ ସେ ନଭି ମୁମ୍ବାଇର ବାସିନ୍ଦା ବୋଲି ପୋଲିସ କହିଛି। ଗିରଫ ଡ୍ରାଇଭରର ବୟସ ୩୪ ବର୍ଷ ଓ ପୋଲିସ ତାକୁ ରେସ୍ ଡ୍ରାଇଭିଂ ଓ ବେପରୁଆ ଗାଡ଼ି ଚାଳନା କରିବା ଅଭିଯୋଗରେ ଗିରଫ କରିଛି। ଦୁର୍ଘଟଣାରେ ଆହତ ଦୁଇ ବିଦେଶୀ ନାଗରିକଙ୍କୁ ନାନାଭତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୩ ଜଣ ବିମାନବନ୍ଦରର କର୍ମଚାରୀ ଓ ସେମାନେ କୁପର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ବିମାନବନ୍ଦର ମୁଖପାତ୍ର କହିଛନ୍ତି ଯେ ଟର୍ମିନାଲ-୨ର ଡିପାରେଚର ଲେନରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର କାର ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ସେଠାରେ ଥିବା ଲୋକଙ୍କ ଉପରକୁ କାର ମାଡ଼ି ଯାଇଥିଲା। ଫଳରେ ୫ ଜଣ ଆହତ ହୋଇଥିବା ବେଳେ ଏୟାରପୋର୍ଟ ମେଡିକାଲ ଟିମ୍ ପହଞ୍ଚି ଆହତମାନଙ୍କ ପ୍ରାଥମିକ ଚିକିତ୍ସା କରିଛନ୍ତି। ପରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଯାଇଛି। ଏୟାରପୋର୍ଟ ପ୍ରଶାସନ ପୋଲିସ ଓ ଅନ୍ୟ ଟିମ୍ ମାନଙ୍କ ସହିତ ମିଶି ଯାତ୍ରୀଙ୍କ ସୁରକ୍ଷା ଓ ଅପରେସନ ଜାରି ରଖିବା ପାଇଁ କାମ କରୁଛନ୍ତି।