ନୂଆଦିଲ୍ଲୀ ୨୫/୦୮: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଲାଗି ରହିଥିବା କଳ୍ପନାଜଳ୍ପନା ଉପରେ ଅମିତ ଶାହ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ସୋମବାର ବିରୋଧୀଙ୍କ ଚର୍ଚ୍ଚାରେ ପକାଇଛନ୍ତି ପୂର୍ଣ୍ଣଛେଦ । ବିରୋଧୀଙ୍କୁ ରୋକ୍ଠୋକ୍ ଶୁଣାଇ କହିଛନ୍ତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପଛର କାରଣ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା । ଅନ୍ୟ କିଛି କାରଣ ନାହିଁ । ଏହା ସହିତ, ଗୃହମନ୍ତ୍ରୀ ବିରୋଧୀଙ୍କ ଗୃହବନ୍ଦୀ ଦାବିକୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ସେ ।
ସେ କହିଛନ୍ତି ଯେ ଜଗଦୀପ ଧନଖଡ ଏକ ସାମ୍ବିଧାନିକ ପଦବୀରେ ଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସମ୍ବିଧାନ ଅନୁଯାୟୀ ଭଲ କାମ କରିଥିଲେ। ସେ ତାଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଇସ୍ତଫା ଦେଇଛନ୍ତି। କେହି ଏହାକୁ ଅଧିକ ଟାଣି କିଛି ଖୋଜିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ।
କେନ୍ଦ୍ର ଗୃହମନ୍ତ୍ରୀ ସମ୍ବାଦ ସରବରାହ ସଂସ୍ଥା ANI ସହିତ ଏକ ସାକ୍ଷାତକାରରେ ଏହି ବିବୃତ୍ତି ଦେଇଛନ୍ତି । ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନର କିଛି ଦିନ ପୂର୍ବରୁ ତାଙ୍କର ବିବୃତ୍ତି ଆସିଛି। ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ NDA ପ୍ରାର୍ଥୀ ଏବଂ ବିରୋଧୀ ଦଳ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛନ୍ତି।
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ ଗତ ମାସରେ ଇସ୍ତଫା ଦେଇଥିଲେ । ଯାହା ପରେ ସେ ଏହି ପଦକ୍ଷେପ ନେବାର କାରଣ କ'ଣ ଥିଲା ସେ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। କହିବାକୁ ଗଲେ ଗତ ସପ୍ତାହରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଧନଖଡଙ୍କ ପଦକ୍ଷେପ ଉପରେ ସରକାରଙ୍କୁ ଟାର୍ଗେଟ କରି ପଚାରିଥିଲେ ଯେ ପୁରୁଣା ଉପରାଷ୍ଟ୍ରପତି କେଉଁଠି ଗଲେ?