ଛତିଶଗଡ଼ ଧମତରୀରେ ୯ ନକ୍ସଲଙ୍କ ଆତ୍ମସମର୍ପଣ, ରାୟପୁର ରେଞ୍ଜ ହେଲା ନକ୍ସଲ ମୁକ୍ତ

NEWS7
amid-security-alert-delhi-govt-seals-secretariat

ଉମରକୋଟ ୨୩।୧: ନକ୍ସଲ ବିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଧମତରୀ ଜିଲ୍ଲାରେ ୯ ଜଣ ସକ୍ରିୟ ନକ୍ସଲ ହିଂସାର ପଥ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି । ଏହି ବଡ଼ ଧରଣର ଆତ୍ମସମର୍ପଣ ପରେ ଏବେ ସମ୍ପୂର୍ଣ୍ଣ ରାୟପୁର ସମ୍ଭାଗକୁ 'ନକ୍ସଲ ମୁକ୍ତ' ଘୋଷଣା କରାଯାଇଛି । ରାୟପୁର ରେଞ୍ଜ୍ ଆଇଜି ଅମରେଶ ମିଶ୍ରଙ୍କ ଉପସ୍ଥିତିରେ ଧମତରୀ ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି ନକ୍ସଲମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ଏହି ୯ ଜଣ ନକ୍ସଲଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ୨ ଜଣ ପୁରୁଷ କ୍ୟାଡର ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଧମତରୀ-ଗରିଆବନ୍ଦ-ନୂଆପଡ଼ା (DGN) ଡିଭିଜନରେ ସକ୍ରିୟ ଥିଲେ । ସରକାରଙ୍କ ପକ୍ଷରୁ ଏହି ନକ୍ସଲମାନଙ୍କ ମୁଣ୍ଡ ଉପରେ ମୋଟ୍ ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସରକାରଙ୍କ ପୁନର୍ବାସ ନୀତିରେ ଅନୁପ୍ରାଣିତ ହୋଇ ଏହି ମାଓବାଦୀ ମାନେ ଜଙ୍ଗଲ ଜୀବନ ଓ ହିଂସାକାଣ୍ଡ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାୟପୁର ରେଞ୍ଜ ଆଇଜିଙ୍କ ସୂଚନା ଅନୁଯାୟୀ, ରାୟପୁର ସମ୍ଭାଗର ଧମତରୀ ଏବଂ ଗରିଆବନ୍ଦ ଜିଲ୍ଲାରେ ଏବେ ଆଉ କୌଣସି ସୂଚୀବଦ୍ଧ ନକ୍ସଲ ସକ୍ରିୟ ନାହାନ୍ତି । ଫଳରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳକୁ ଏବେ 'ନକ୍ସଲ ମୁକ୍ତ' ଘୋଷଣା କରାଯାଇଛି । ସେମାନଙ୍କ ପାଖରୁ ଇନସାସ୍ (INSAS) ଏବଂ SLR ରାଇଫଲ୍ ଭଳି ମାରାତ୍ମକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ପୋଲିସର ଏହି ସଫଳତା ପରେ ନକ୍ସଲ ସଂଗଠନକୁ ଏକ ବଡ଼ ଝଟକା ଲାଗିଛି । ସେପଟେ ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ସରକାରୀ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।