ଉଦଳା: ସାମ୍ନାକୁ ଆସିଲା ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର । ରୋଗୀ ନେଇ ଯାଉଥିବାବେଳେ ଫାଟିଲା ଟାୟାର। ଫଳରେ ପ୍ରାୟ ୧ ଘଣ୍ଟା ଯାଏ ଅଧା ରାସ୍ତାରେ ଅଟକି ରହିଲେ ରୋଗୀ। ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରଯାଇଥିବାବେଳେ ଏବେବି ଅଟକି ରହିଛି ଆମ୍ବୁଲାନ୍ସ। ଘଟଣା ଦେଖିବାକୁ ମିଳିଛି ବାରିପଦା ରାଜ୍ୟ ରାଜପଥର ମଧୁପୁର ଛକରେ।
ସୂଚନା ଅନୁସାରେ, ପୁରୁଣା ବାରିପଦା ଅଞ୍ଚଳରୁ ଏକ ଫୋନ୍ ଆସିବା ପରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ରୋଗୀଙ୍କୁ ଧରି ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ବାହାରିଥିଲା। ହେଲେ ମଧୁପୁର ଛକ ନିକଟରେ ହଠାତ୍ ଆମ୍ବୁଲାନ୍ସ ଗାଡ଼ିର ଆଗ ଟାୟାର ଫାଟିଯାଇଥିଲା।
ଫଳରେ ଅଧାବାଟରେ ଅଟକିଥିଲା ଆମ୍ବୁଲାନ୍ସ। ଏମିତିରେ ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଫାର୍ମାସିଷ୍ଟ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ଆଉ ପ୍ରାୟ ଏକ ଘଣ୍ଟା ପରେ ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା। ଖାଲି ସେତିକି ନୁହେଁ ଗାଡ଼ିର ଷ୍ଟେପିନ୍ ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଆମ୍ବୁଲାନ୍ସ ପ୍ରାୟ ୬ ଘଣ୍ଟା ହେବ ସେହି ସ୍ଥାନରେ ଛିଡ଼ା ହୋଇଛି।