ଚଳିତବର୍ଷ ୧୦ ଦିନ ପୂର୍ବରୁ ସମାପ୍ତ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କାହିଁକି?

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ ୩୦।୭: ଚଳିତବର୍ଷ ଅମରନାଥ ଯାତ୍ରା ୧୦ ଦିନ ପୂର୍ବରୁ ସମାପ୍ତ କରିଦିଆଯିବ। ପ୍ରଶାସନ ଅନୁସାରେ ଜମ୍ମୁ ଭଗବତୀ ନଗର କ୍ୟାମ୍ପରୁ ଜୁଲାଇ ୩୧ ତାରିଖ ପରେ ଯାତ୍ରୀଙ୍କ ଦଳ ଆଉ ବାହାରିବ ନାହିଁ। ଅମରନାଥ ଯାତ୍ରା ମାର୍ଗରେ ଖରାପ ପାଗ ପରିସ୍ଥିତିକୁ ଦେଖି ଅତ୍ୟାଧିକ ସାବଧାନତା ପୂର୍ବକ ଅମରନାଥ ଯାତ୍ରୀ ଦଳଙ୍କୁ ଜୁଲାଇ ୩୧ ତାରିଖରୁ ଭଗବତୀ ନଗରରୁ ଆଗକୁ ଯିବାକୁ ଦିଆଯିବ ନାହିଁ। 

ଜମ୍ମୁ ଡିଭିଜନାଲ କମିଶନର ରମେଶ କୁମାର କହିଛନ୍ତି ଯେ ଯାତ୍ରା ରାସ୍ତାରେ ଭୀଷଣ ବର୍ଷା ଯୋଗୁ ଆଧାର ଶିବିରମାନଙ୍କରୁ ତୀର୍ଥ ଯାତ୍ରୀଙ୍କ ଯାତାୟାତ ପ୍ରଭାବିତ ହୋଇଛି। ଏଣୁ ଜୁଲାଇ ୩୧ ତାରିଖ ପରେ ଜମ୍ମୁର ଭଗବତୀ ନଗରରୁ ବାଲଟାଲ ଓ ନୁନବାନ ଆଧାର ଶିବିର ଆଡକୁ କୌଣସି ଯାତ୍ରୀ ଦଳଙ୍କୁ ଯାତାୟାତ ଅନୁମତି ଦିଆଯିବ ନାହିଁ। ତେବେ ଅମରନାଥ ଯାତ୍ରା ନେଇ ତୀର୍ଥ ଯାତ୍ରୀଙ୍କୁ ସମୟସମୟରେ ଅବଗତ କରାଯିବ ବୋଲି ପ୍ରଶାସନ କହିଛି। 

ଶ୍ରୀଅମରନାଥ ଯାତ୍ରା ୨୦୨୫ରେ ଏପର୍ଯ୍ୟନ୍ତ ୩.୯୩୫ଲକ୍ଷରୁ ଅଧିକ ତୀର୍ଥ ଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କଲେଣି। ତେବେ ଜମ୍ମୁ-କାଶ୍ମୀରରେ ପାଗ ଏବେବି ଖରାପ ରହିଛି। ଏଣୁ ବୁଧବାର ପହଲଗାମ ଓ ବାଲଟାଲ ରାସ୍ତାରେ କୌଣସି ପର୍ଯ୍ୟଟକଙ୍କୁ ଅମରନାଥ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏହା ଛଡା ପ୍ରଶାସନ ଏବର୍ଷର ଯାତ୍ରାକୁ ସମୟ ପୂର୍ବରୁ ସ୍ଥଗିତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଜମ୍ମୁରୁ ଅମରନାଥ ଯାତ୍ରୀଙ୍କ ଶେଷ ଦଳ ଜୁଲାଇ ୩୦ ବୁଧବାର ବାହାରିଛି। 

ଏହି ଦଳ ଜୁଲାଇ ୩୧ତାରିଖରେ ଶ୍ରୀନଗରର ପହଲଗାମ ରାସ୍ତାରେ ବାବା ବର୍ଫାନୀଙ୍କ ଦର୍ଶନ ନିମନ୍ତେ ଯାତ୍ରା କରିବେ। ତେବେ ଜୁଲାଇ ୩୧ରୁ ଜମ୍ମୁରୁ କୌଣସି ଯାତ୍ରୀଙ୍କୁ ଶ୍ରୀନଗର ଯିବାକୁ ଦିଆଯିବନି। ଏହାର ଅର୍ଥ ୯ ଅଗଷ୍ଟରେ ଶେଷ ହେବାକୁ ଥିବା ଯାତ୍ରାକୁ ଜୁଲାଇ ୩୧ରେ ଶେଷ କରିଦିଆଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.