ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନର ବୋଲନ ଜିଲ୍ଲାରେ ବିଦ୍ରୋହୀ ଦ୍ଵାରା ଅପହୃତ ଜାଫର ଏକ୍ସପ୍ରେସର ସମସ୍ତ ୩୪୬ ବନ୍ଧକକୁ ପାକିସ୍ତାନ ସେନା ସଫଳତାପୂର୍ବକ ଉଦ୍ଧାର କରିଛନ୍ତି। ଏହି ରେସ୍କ୍ୟୁ ଅପରେସନରେ ୩୩ ବିଦ୍ରୋହୀ ନିହତ ହୋଇଥିବା ବେଳେ ୨୮ ପାକିସ୍ତାନ ସୈନିକଙ୍କ ପ୍ରାଣହାନୀ ଘଟିଛି। ଯେଉଁଥିରେ ଏମିତି ୨୭ ସୈନିକ ସାମିଲ ଥିଲେ, ଯେଉଁମାନେ ସାଧାରଣ ଯାତ୍ରୀ ଭାବେ ଯାତ୍ରା କରୁଥିଲେ। ଜଣେ ସୈନିକଙ୍କ ମୃତ୍ୟୁ ଅପରେସନ ସମୟରେ ଘଟିଛି।
ପାକିସ୍ତାନୀ ସେନାର ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ ବୁଧବାର ଏହି ଅପରେସନ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅପରେସନରେ କୌଣସି ବି ଯାତ୍ରୀ ଆହତ ହୋଇ ନାହାନ୍ତି। ବିଦ୍ରୋହୀମାନେ ମହିଳା ଓ ଛୋଟ ଛୋଟ ପିଲାଙ୍କୁ ଢାଲ ଭାବେ ବ୍ୟବହାର କରିଥିଲେ। ସୁରକ୍ଷାବଳର ସ୍ନାଇପର୍ସ ବିଦ୍ରୋହୀ ଆକ୍ରମଣକାରୀଙ୍କୁ ଟାର୍ଗେଟ୍ କରି ନିପାତ କରିଥିଲେ।
Also read: BLA କବ୍ଜାରେ ୧୮୦ ଯବାନଙ୍କ ସହ ଅଛନ୍ତି ଜଣେ ବଡ଼ ଅଫିସର, ଟ୍ରେନ୍ ହାଇଜାକ୍ ଘଟଣାରେ ବଡ଼ ଖୁଲାସା
ଜେନେରାଲ ଚୌଧୁରୀ କହିଛନ୍ତି, ଆତଙ୍କବାଦୀଙ୍କ ସଂପର୍କ ଆଫଗାନିସ୍ତାନରେ ଉପସ୍ଥିତ ନିଜ ଗୋଷ୍ଠୀର ମୁଖ୍ୟଙ୍କ ସହ ରହିଥିଲା। ଏହି ଆକ୍ରମଣ ପାଇଁ ବଲୁଚ ଲିବେରେସନ ଆର୍ମି(ବିଏଲଏ) ନିଜକୁ ଦାୟୀ କରିଛନ୍ତି। ଏହାର ସଦସ୍ୟ ଦୀର୍ଘ ବର୍ଷ ଧରି ବଲୁଚିସ୍ତାନରେ ସୁରକ୍ଷାବଳ ଓ ବାହ୍ୟ ଅଞ୍ଚଳର ଲୋକଙ୍କୁ ଟାର୍ଗେଟ୍ କରି ଆସିଛନ୍ତି।
ରେଲଓ୍ଵେ ଅଧିକାରୀଙ୍କ ଅନୁଯାୟୀ, ଯେବେ ଟ୍ରେନରେ ଆାକ୍ରମଣ ହେଲା ସେହି ସମୟରେ ଟ୍ରେନରେ ୪୪୦ ଯାତ୍ରୀ ଥିଲେ। ଦୁର୍ଗମ ଅଞ୍ଚଳ ଓ ବନ୍ଧକମାନଙ୍କୁ ମାନବ ଢାଲ ବ୍ୟବହାର କରିଥିବା ଆତଙ୍କବାଦୀଙ୍କ ସତ୍ତ୍ଵେ ସୁରକ୍ଷାବଳ ଏକ ସୁବ୍ୟବସ୍ଥିତ ଓ ଉଦ୍ଧାର ଅଭିଯାନ ଚଳାଇ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।