ଆନ୍ଧ୍ରପ୍ରଦେଶ ବାଣ କାରଖାନାରେ ବିସ୍ଫୋରଣ, ୧୮ ମୃତ, ୭ଆହତ

NEWS7
akramana-in-binika

କାକିନାଡ଼ା ୨୮।୨: ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ଭେଟଲାପାଲମ ଗାଁରେ ଥିବା ସୂର୍ୟା ଫାୟାରୱାର୍କସ କାରଖାନାରେ ଶନିବାର ନିଆଁ ଲାଗିଯାଇଛି। ଫଳରେ ଭୀଷଣ ବିସ୍ଫୋରଣ ହୋଇଥିବା ବେଳେ ବାଣ ତିଆରି କାମରେ ନିୟୋଜିତ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କାକିନାଡ଼ା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସୂଚନା ରାଜ୍ୟ ଗୃହମନ୍ତ୍ରୀ ଭଙ୍ଗଲାପୁଡି ଅନିତା ଦେଇଛନ୍ତି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଲୋକଙ୍କ ଶବ ବାଣ କାରଖାନାରୁ ଛିଟକି ନିକଟରେ ଥିବା ଧାନ ବିଲରେ ପଡିଛି। ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ସୂର୍ୟା ଫାୟାର ୱାର୍କସ ରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିଛନ୍ତି। ନାୟଡୁ କହିଛନ୍ତି ଭେଟଲାପାଲମ ଗାଁ ବାଣ କାରଖାନା ଦୁର୍ଘଟଣା ମୋତେ ବାସ୍ତବିକ ଦୁଃଖିତ କରିଛି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ନାୟଡୁ କହିଛନ୍ତି ଯେ ପ୍ରସଙ୍ଗରେ ସେ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓ ମୃତାହତ ଲୋକଙ୍କୁ ତତ୍କାଳ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିସ୍ଫୋରଣ କାଳରେ କାରଖାନାରେ ୨୦ ଜଣ ଲୋକ କାମ କରୁଥିଲେ। ଏଥିରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଲୋକେ ବାଣ କାରଖାନାରୁ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଆହତ ହୋଇଛନ୍ତି। କାକିନାଡ଼ା ସରକାରୀ ହସ୍ପିଟଲ ଅଧିକ୍ଷକ କହିଛନ୍ତି ଯେ ଚିକିତ୍ସା ନିମନ୍ତେ ଅଣାଯାଇଥିବା ୭ ଜଣ ଲୋକଙ୍କ ଶରୀରର ୯୦ରୁ ୧୦୦ ପ୍ରତିଶତ ଜଳି ଯାଇଛି। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ଅଧିକ୍ଷକ କହିଛନ୍ତି। ପୋଲିସ ସୂଚନା ଅନୁସାରେ ବାଣ କାରଖାନାରେ ନିଆଁ କିପରି ଲାଗିଲା ତାହା ଜାଣିବା ଏବେ ନିତ୍ୟାନ୍ତ ଜରୁରି। ଏଣୁ ଦୁର୍ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଯାଇଛି।