LIVE TV

ଆଫଗାନିସ୍ତାନ ସମର୍ଥନରେ ବାହାରିଲା ଚୀନ୍, ପାକ୍ କୁ ଝଟକା

NEWS7
akramana-in-binika

ବେଜିଂ  ୧୫।୧୦: କାନ୍ଧାର ସୀମାରେ ଚାଲିଥିବା ସଂଘର୍ଷ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଥିବା ତିକ୍ତତାକୁ ଅଧିକ ଜଟିଳ କରିଛି। ବୁଧବାର ସକାଳେ ଦୁଇ ଦେଶ ସୀମାରେ ହୋଇଥିବା ଗୁଳି ବିନିମୟରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଚୀନ୍‌ ର ଆଭିମୁଖ୍ୟ ଅନ୍ତର୍ଜାତୀୟ ସମୂଦାୟକୁ ଚକିତ କରିଛି। ପାକିସ୍ତାନ ବିରୋଧରେ ଯାଇ ଚୀନ୍ ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ସମର୍ଥନ କରିଛି। ଏହି ଘଟଣା ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ କୁଟନୈତିକ ଦୃଢତା ଦେଇଛି। ତେବେ ଏହା ପାକିସ୍ତାନ ବିଦେଶ ନୀତିର ବଡ଼ ପରାୟଜ ବୋଲି କୁହାଯାଉଛି।

ବେଜିଂ ବୁଧବାର ଏକ ଅପ୍ରତ୍ୟାସିତ ବୟାନରେ କହିଛି ଯେ ସେ ‘ଆଫଗାନିସ୍ତାନର ସାର୍ବଭୌମତା ଓ କ୍ଷେତ୍ରିୟ ଅଖଣ୍ଡତାକୁ ସ୍ୱୀକାର କରୁଛି’। ଏହି ବୟାନ ଠିକ୍ ସେତିକି ବେଳେ ଆସିଥିଲା ଯେତେବେଳେ ପାକିସ୍ତାନ ସେନା କାନ୍ଧାର ପ୍ରାନ୍ତର ସ୍ପିନ ବୋଲଦକ ଓ ଶୋରାବକ ଅଞ୍ଚଳର ଆଫଗାନ ଟାର୍ଗେଟ ଉପରେ ଆକ୍ରମଣ କରୁଥିଲେ। ଆଫଗାନ ଉପବିଦେଶମନ୍ତ୍ରୀ ମହମ୍ମଦ ନଈମ ଚୀନ୍ ରାଜଦୂତ ଝାଓ ଜିଙ୍ଗଙ୍କୁ ଭେଟି ଏହି ପ୍ରସଙ୍ଗ ଉଠାଇଥିଲେ। ଏଥିରେ ଆଫଗାନ ପକ୍ଷ ସ୍ପଷ୍ଟ ରୂପେ କହିଥିଲେ ପାକିସ୍ତାନର ଏପରି ଆକ୍ରମଣ ‘ମନବୀୟ ଓ ଇସ୍ଲାମ ମୂଲ୍ୟର ଉଲ୍ଲଂଘନ’।

ଏଥିରେ ଝାଓ ଜିଙ୍ଗ ଆଫଗାନିସ୍ତାନର ଜବାବୀ କାର୍ଯ୍ୟାନୁଷ୍ଠାନକୁ ନା କେବଳ ଉଚ୍ଚ ପ୍ରଶଂସା କରିଛନ୍ତି ବରଂ ବେଜିଂ ପକ୍ଷରୁ ଆଫଗାନ ସାର୍ବଭୌମତ୍ୱର ସମ୍ମାନକୁ ମଧ୍ୟ ପୁଷ୍ଟି କରିଛନ୍ତି। ଏଥିରୁ ବିଶେଷଜ୍ଞଙ୍କ ଆକଳନ ଚୀନ୍‌ର ଏପରି ଆଭିମୁଖ୍ୟ ପାକିସ୍ତାନକୁ ଅସହଜ କରିପାରେ। କାରଣ ଏପର୍ଯ୍ୟନ୍ତ ବେଜିଂ ଇସ୍ଲାମାବାଦର ମୁଖ୍ୟ ରଣନୈତିକ ସହଯୋଗୀ ହୋଇ ରହିଛି। ଆଫଗାନୀ ଅଧିକାରୀଙ୍କ ଅନୁସାରେ ପାକିସ୍ତାନ ସକାଳେ ହାଲୁକା ଓ ଭାରି ଅସ୍ତ୍ରରେ ଆକ୍ରମଣ କରିଥିଲା। ଏଥିରେ ୧୨ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।

ଏଥିରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ଦ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସେନା ବିନା ଉକସାଇବାରେ ମଧ୍ୟ ଆକ୍ରମଣ କରୁଛନ୍ତି। ଆଫଗାନ ସୂତ୍ର ଅନୁସାରେ ପାକିସ୍ତାନ ସ୍ପିନ ବୋଲଦକ ଓ ଶୋରାବକ ମଧ୍ୟବର୍ତ୍ତି ସ୍ଥାନ ଉପରେ ବିମାନ ଆକ୍ରମଣ ମଧ୍ୟ କରିଥିଲା। ଏହା ଦ୍ୱାରା ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ୧୦ରୁ ୧୫ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ଦାବି କରିଛି।

ଏଥିରେ ବିଶ୍ଲେଷକ କହିଛନ୍ତି ପାକିସ୍ତାନକୁ ଚୀନ ଦୂରେଇବା ଓ ଆଫଗାନିସ୍ତାନର ଆଭିମୁଖ୍ୟ ବଦଳିବା ଦକ୍ଷିଣ ଏସିଆରେ ଶକ୍ତି ସନ୍ତୁଳନ ଛବିକୁ ପ୍ରଭାବିତ କରିପାରେ। ତେବେ ଉପୁଜିଥିବା ପରିସ୍ଥିତିରେ ଆଫଗାନିସ୍ତାନ ସଂକେତ ଦେଇଛି ଯେ ସେ ଯେ କୌଣସି ପ୍ରକାରେ ନିଜର ସୀମାବର୍ତ୍ତି କ୍ଷେତ୍ରକୁ ରକ୍ଷା କରିବ। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ଏ ପର୍ଯ୍ୟନ୍ତ ଚୀନର ଏହି ବୟାନ ଉପରେ କୌଣସି ଔପଚାରିକ ପ୍ରତିକ୍ରିୟା ଆସି ନାହିଁ।