‘ବିମାନ ଓ ଏହାର ଇଞ୍ଜିନରେ ଉଡାଣ ପୂର୍ବରୁ କୌଣସି ସମସ୍ୟା ନଥିଲା’, ଦୁର୍ଘଟଣା ଉପରେ କହିଲେ ଏୟାର ଇଣ୍ଡିଆ ସିଇଓ

Published By : Prameya-News7 Bureau | June 19, 2025 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନ୍ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ ନିଜ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ବିମାନର ରକ୍ଷଣବେକ୍ଷଣ ଠିକ୍ ଭାବେ କରାଯାଇଥିଲା । ୨୦୨୩ ଜୁନରେ ଏହାର ଫୁଲ୍ ବଡି ଯାଞ୍ଚ ହୋଇଥିଲା ଓ ୨୦୨୫ ଡିସେମ୍ୱରରେ ପରବର୍ତ୍ତୀ ଯାଞ୍ଚ ହୋଇଥାନ୍ତା । ଏହାର ଡାହାଣ ଇଞ୍ଜିନକୁ ୨୦୨୫ ମାର୍ଚ୍ଚରେ ମରାମତି କରାଯାଇଥିଲା ଓ ବାମ ଇଞ୍ଜିନକୁ ୨୦୨୫ ଏପ୍ରିଲ୍ ଯାଞ୍ଚ କରାଯାଇଥିଲା । ବିମାନ ଓ ଇଞ୍ଜିନ ଉଭୟର ନିୟମିତ ଯାଞ୍ଚ କରାଯାଉଥିଲା । ଆମେ ପୂରା ବିମାନ ଉଦ୍ୟୋଗ ସହ ସରକାରୀ ତଦନ୍ତ ରିପୋର୍ଟର ଅପେକ୍ଷା କରୁଛୁ ।

ଏକ ବିବୃତ୍ତି ଜାରି କରି ସେ କହିଛନ୍ତି ଯେ ଜୁନ୍ ୧୪ରେ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ, ଆମେ ଆମର ୩୩ ବୋଇଂ ୭୮୭ ବିମାନର ପୂରା ଯାଞ୍ଚ କରୁଛୁ । ଏବେ ସୁଦ୍ଧା ୨୬ ବିମାନର ନୀରିକ୍ଷଣ ଶେଷ ହୋଇଛି ଓ ପରିଚାଳନା ପାଇଁ ମଞ୍ଜୁରି ଦିଆଯାଇଛି । ଅନ୍ୟ ବିମାନଗୁଡ଼ିକର ଅତିରିକ୍ତ ଯାଞ୍ଚ କରାଯାଉଛି । ସେ ଏହା ବି କହିଛନ୍ତି ଯେ ସବୁର ସମୀକ୍ଷା ପରେ ଆମର ବୋଇଁ ୭୮୭ ଓ ରକ୍ଷଣାବେକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସୁରକ୍ଷା ମାନଦଣ୍ଡକୁ ପୂରଣ କରୁଥିବା ଡିଜିସିଏ ସ୍ପଷ୍ଟ କରିଛି ।

ବିମାନର ବ୍ଲାକ୍ ବକ୍ସ (ଡିଏଫଡିଆର ଓ ବିଭିଆର) ଦୁଇଟି ଭାଗରେ ମିଳିଛି । ଏହାର ପ୍ରଥମ ସେଟ୍ ଜୁନ୍ ୧୩ରେ ମିଳିଥିଲା । ଅନ୍ୟପଟେ ଦ୍ୱିତୀୟ ସେଟ୍ ଜୁନ୍ ୧୬ରେ ମିଳିଥିଲା । ଏହା ବିମାନ ମଡେଲରେ ଦୁଇଟି ବ୍ଲାକ୍ ବକ୍ସ ରହିଥାଏ, ତେଣୁ ଅଧିକ ସୂଚନା ମିଳିବା ନେଇ ଆଶା କରାଯାଉଛି । କିଛି ମିଡିଆ ରିପୋର୍ଟରେ ବ୍ଲାକ୍ ବକ୍ସକୁ ବିଦେଶ ପଠାଯାଉଥିବା ଦାବି କରାଯାଇଛି । ଏହା ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ବି ଦେଇଛି । ମନ୍ତ୍ରଣାଳୟ ଅନୁସାରେ, ବ୍ଲାକ୍ ବକ୍ସର ଡିକୋଡିଂ ଭାରତରେ ହେବ ନାଁ ବିଦେଶରେ ହେବ ତାର ନିଷ୍ପତ୍ତି AAIB ନେବ । ଏହା ନିଷ୍ପତ୍ତି ବୈଷୟିକ, ସୁରକ୍ଷା ଓ ଗୋପନୀୟତା ସହ ଜଡ଼ିତ ସବୁ ଦିଗକୁ ଦେଖି ନିଆଯିବ ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ଏଏଆଇବିର ଏକ ଅନୁଶାସିତ ଟିମ୍ ଦ୍ୱାରା କରାଯାଉଛି । ଜୁନ୍ ୧୨ରୁ ଏହି ଟିମ୍ ସକ୍ରିୟ ଅଛି । ଏଥିରେ ଆମେରିକାର ଏନ୍‌ଟିଏସବି ଓ ବିମାନ ନିର୍ମାତା କମ୍ପାନି (ଓଇଏମ୍) ଟିମ୍ ମଧ୍ୟ ଆଇସିଏଓ ନିୟମ ଅଧିନରେ ତଦନ୍ତରେ ସହଯୋଗ କରୁଛି । ଏଥିରେ ସ୍ଥାନୀୟ ପ୍ରଶାସନ ଓ ଏଜେନ୍ସିର ସମ୍ପୂର୍ଣ୍ଣ ସହଯୋଗ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.