LIVE TV

‘ସେନାର ଯବାନଙ୍କ ଜାତି-ଧର୍ମ ପଚାରିବା ଉପରେ ଲାଜ ଲଗିବା ଦରକାର’, ବିହାରରେ ରାହୁଲଙ୍କ ଉପରେ ବର୍ଷିଲେ ଅମିତ୍ ଶାହ

NEWS7
air-raid-warning-sirens-to-be-sounded-across-the-country-centre-has-instructed

ପାଟନା: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ବିହାର ନିର୍ବାଚନୀ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜୋରଦାର ହମଲା କରିଛନ୍ତି । ସେ କହିଛନ୍ତି ଯେ ସେନାର ଯବାନଙ୍କ ଜାତି ଓ ଧର୍ମ ପଚାରିବା ଉପରେ ରାହୁଲ ଗାନ୍ଧୀଙ୍କୁ ଲଜ୍ଜା ଲାଗିବା ଦରକାର । ମଧୁବନୀ ରାଲିରେ ଶାହ କହିଛନ୍ତି, 'ରାହୁଲ ଗାନ୍ଧୀଙ୍କୁ ଲାଜ ଲାଗିବା ଦରକାର ଯେ ସେ ଆମ ସେନାର ଯବାନଙ୍କ ଜାତି ଓ ଧର୍ମ ପଚାରୁଛନ୍ତି । ସେନାରେ କାହାର ଜାତି କିମ୍ୱା ଧର୍ମ ଦେଖାଯାଏ ନାହିଁ । ଦେଶର ସୁରକ୍ଷାରେ ସମସ୍ତେ ସମାନ ।'

ମଧୁବନୀ, ପଶ୍ଚିମ ଚମ୍ପାରଣ ଓ ମୋତିହାରୀ ରାଲିରେ ଶାହ କହିଛନ୍ତି ଯେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ଦେଶର ସୁରକ୍ଷା ପାଇଁ ବିପଦ ଅଟନ୍ତି । ସେମାନେ ବିହାର ଓ ଦେଶର ଲୋକଙ୍କ ନିଯୁକ୍ତି ଛଡ଼ାଇ ନେଉଛନ୍ତି । ସେ କହିଛନ୍ତି ଯେ ଏହି ନିର୍ବାଚନ ବିହାରକୁ ଅନୁପ୍ରବେଶକାରୀ ମୁକ୍ତ କରିବା ପାଇଁ ଅଟେ ।

ଅମିତ୍ ଶାହ ଆରଜେଡିକୁ ଟାର୍ଗେଟ୍ କରି କହିଛନ୍ତି ଯେ ସେମାନଙ୍କ ଶାସନ କାଳରେ ହତ୍ୟା ଓ ବଳାତ୍କର ସାଧାରଣ କଥା ଥିଲା । ଏନଡିଏ ସରକାରରେ ବାହୁବଳୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେ କଟାକ୍ଷ କରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଖାନା ବୋର୍ଡ ଗଠନ କଲେ, କିନ୍ତୁ ଯଦି ଲାଲୁ ଯାଦବ ଓ ତାଙ୍କ ସାଥୀ ଫେରନ୍ତି ତେବେ ଅନୁପ୍ରବେଶକାରୀ ପାଇଁ ବୋର୍ଡ ଗଠନ କରିବେ ।'  

ଶାହ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାରଙ୍କ ଯୋଡ଼ି ହିଁ ଜଙ୍ଗଲରାଜରୁ ବିହାରକୁ ବଞ୍ଚାଇ ପାରିବେ । ଅନ୍ୟପଟେ ଲାଲୁ ଯାଦବ ଓ ରାହୁଲ ଗାନ୍ଧୀ ଅନୁପ୍ରବେଶକାରୀଙ୍କ ପାଇଁ ରାସ୍ତା ଖୋଲିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ଯଦି 'ଠଗବନ୍ଧନ'କୁ ସୁଯୋଗ ମିଳେ ତେବେ ଚମ୍ପାରଣ 'ମିନି ଚମ୍ୱଲ' ହୋଇଯିବ । ବିହାର ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ଓ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ କରିଥିଲା, କିନ୍ତୁ ଏବେ କଂଗ୍ରେସ ପୁଣି ଥରେ ଆରଜେଡି ସାହାରାରେ ରାଜ୍ୟରେ ଶାସନ କରିବାକୁ ଚାହୁଁଛି ।

ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଅଢେଇ ବର୍ଷରେ ସୀତାମଢୀରେ ଭବ୍ୟ ସୀତା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରାଯିବ । ସେ କହିଛନ୍ତି ଯେ ଏନଡିଏ ଫେରିବା ପରେ ଚମ୍ପାରଣରେ ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ, ବନ୍ଦ ପଡ଼ିଥିବା ଚିନି ମିଲକୁ ସମବାୟ ସମିତି ଜରିଆରେ ପୁଣି ଖୋଲାଯିବ ।