ନୂଆଦିଲ୍ଲୀ ୨୨।୬: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ସମସ୍ୟା ଥମିବାର ନାଁ ନେଉନି। ଏୟାର ଇଣ୍ଡିଆର ଉଡାଣ କ୍ୟାନସଲ ହେଉଛି, ବୈଷୟିକ ତ୍ରୁଟି ଯୋଗୁ ଉଡାଣ ରିସିଡ୍ୟୁଲ ହେଉଛି। ଏଣୁ ଏୟାର ଇଣ୍ଡିଆ ଏବେ ଅପରେସନାଲ ପ୍ରଶ୍ନରେ ଘେରି ଯାଇଛି। ଏଥିରେ ଏବେ ଡାଇରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଏଭିଏସନ (ଡିଜିସିଏ) ଏୟାର ଇଣ୍ଡିଆକୁ ସବୁଠୁ ବଡ଼ ଚେତାବନୀ ଜାରି କରିଛନ୍ତି।
ଡିଜିସିଏ ଏୟାର ଇଣ୍ଡିଆକୁ ଚେତାବନୀ ଜାରି କରି କହିଛନ୍ତି ଯେ ଯଦି ଫ୍ଲାଇଟ ଅପରେସନରେ ଏପରି ଗଡ଼ବଡ଼ ଜାରି ରହିଲା ତେବେ ଆଗକୁ ଏୟାର ଲାଇନ୍ସ ର ଲାଇସେନ୍ସ ସସପେଣ୍ଡ କରାଯାଇ ପାରେ। ନିୟାମକଙ୍କଠୁ ମିଳିଥିବା ଏହି ଚେତାବନୀ ଏୟାରଲାଇନ୍ସ ର ଭବିଷ୍ୟତକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛି। ନିକଟରେ ଏୟାର ଇଣ୍ଡିଆ ୩ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇଛନ୍ତି। ଏଥିରେ ଏୟାର ଇଣ୍ଡିଆର ଡିଭିଜନାଲ ଭାଇସ୍ ପ୍ରେସିଡେଣ୍ଟ,କ୍ରୁ ସିଡ୍ୟୁଲିଂ ମ୍ୟାନେଜର ଓ କ୍ରୁ ସିଡ୍ୟୁଲିଂ ପ୍ଲାନିଂ ଅଫିସରଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି।
ରିପୋର୍ଟ ଅନୁସାରେ ଏୟାର ଇଣ୍ଡିଆ ପାଇଲଟ ଡ୍ୟୁଟି ସିଡ୍ୟୁଲିଂ ଓ ଦେଖରେଖରେ ଲଗାତାର ଏବଂ ଗମ୍ଭୀର ଉଲ୍ଲଂଘନ ଜଣା ପଡିବା ପରେ ଡିଜିସିଏ ଏପରି କାର୍ଯ୍ୟାନୁଷ୍ଠାନ କରିଛନ୍ତି। ବିମାନ ନିୟାମକ ସ୍ପଷ୍ଟ କରିଦେଇଛନ୍ତି ଯେ ଫ୍ଲାଇଟ୍ ସିଡ୍ୟୁଲିଂ ଅଥବା ଫ୍ଲାଇଟ୍ ସମୟ ସମ୍ପର୍କିତ କୌଣସି ନିୟମ ଉଲ୍ଲଂଘନ ମାମଲାରେ ଏବେ ଏୟାର ଇଣ୍ଡିଆ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହି କାର୍ଯ୍ୟାନୁଷ୍ଠାନ ଅପରେଟର ପରମିସନ କ୍ୟାନସଲ ବି ହୋଇପାରେ।
କେବଳ ଏତିକି ନୁହେଁ ଡିଜିସିଏ ଏୟାର ଇଣ୍ଡିଆକୁ ୨୦୨୪ ବର୍ଷରେ କରାଯାଇଥିବା ସବୁ ଇନସ୍ପେକ୍ସନ ଓ ଅଡିଟ ବିବରଣୀ ତୁରନ୍ତ ପ୍ରଦାନ କରିବାକୁ କହିଛନ୍ତି। ସେହିପରି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଡିଜିସିଏ ଦେଶର ପୁରା ଏଭିଏସନ ପ୍ରଣାଳୀର ୩୬୦ ଡିଗ୍ରି ସ୍କାନିଂ ଆଦେଶ ଦେଇଛନ୍ତି। ଏଥିରେ ଫ୍ଲାଇଟ୍ ସଞ୍ଚାଳନ, ରକ୍ଷଣାବେକ୍ଷଣା, ଲାଇସେନସିଂ, ସୁରକ୍ଷା ପ୍ରବନ୍ଧନ, ପ୍ରଶିକ୍ଷଣ ସଂସ୍ଥାନ, ଏମଆରଓରୁ ଆରମ୍ଭ କରି ଏଟିସି ପର୍ଯ୍ୟନ୍ତ ପୁରା ଯାଞ୍ଚ ହେବ।