ନୂଆଦିଲ୍ଲୀ ୧୦।୮: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ ଙ୍କ ରକ୍ଷଣାବେକ୍ଷଣାକୁ ନେଇ ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏଭିଏସନ କମ୍ପାନୀଙ୍କୁ ଅନେକ କଡ଼ା ଆଦେଶ ଦେଇଛନ୍ତି। ଏଥି ମଧ୍ୟରେ ଏୟାର ଇଣ୍ଡିଆ କମ୍ପାନୀ ବିମାନ ନବୀକରଣ ନିମନ୍ତେ ୪୦୦ମିଲିୟନ ଡଲାର ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି। ଏଥିରେ ୱାଇଡବଡି ଓ ନ୍ୟାରୋବଡି ବିମାନଙ୍କୁ ଉନ୍ନତ ଡିଜାଇନ ସହିତ ନବୀକରଣ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ୨୬ଟି ବୋଇଂ ୭୮୭-୮ ବିମାନ ମଧ୍ୟରୁ ପ୍ରଥମ ବିମାନ ନବୀକରଣ ପାଇ୍ଁ କାଲିଫର୍ଣ୍ଣିୟା ସ୍ଥିତ ବୋଇଂ କମ୍ପାନୀକୁ ପହଞ୍ଚି ସାରିଛି। ଦ୍ୱିତୀୟ ବିମାନ ଅକ୍ଟୋବରରେ ଆମେରିକା ଯିବ। ଏହି ବିମାନ ସବୁରେ ନୂଆ ଇଣ୍ଟେରିୟର ଓ ଅତ୍ୟାଧୁନିକ ପ୍ରଣାଳୀ ଲାଗିବ। ପ୍ରତ୍ୟେକ କ୍ୟାବିନରେ ନୂଆ ସିଟ୍, ଉନ୍ନତ ଇନ-ଫ୍ଲାଇଟ୍ ମନୋରଞ୍ଜନ, ନୂଆ କାର୍ପେଟ, ପର୍ଦ୍ଦା ଓ ଆସବାବପତ୍ର ଲାଗିବ। କମ୍ପାନୀର ଉଦ୍ଦେଶ୍ୟ ଯାତ୍ରୀଙ୍କୁ ଉନ୍ନତମାନର ସେବା ଉପଲବ୍ଧ କରିବା।
ଏହା ପୂର୍ବରୁ ଏୟାର ଇଣ୍ଡିଆ ପାଇଲଟଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଥିଲା। ଏୟାର ଇଣ୍ଡିଆ ପାଇଲଟଙ୍କ ରିଟାୟରମେଣ୍ଟ ଆୟୁ ୬୫ ବର୍ଷ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଅଣ ଉଡାଣ କର୍ମଚାରୀଙ୍କ ଅବସର ବୟସ ବଢାଇ ୬୦ ବର୍ଷ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ ଓ ଅଣ ଉଡାଣ କର୍ମଚାରୀଙ୍କ ଅବସର ବୟସ ୫୮ ବର୍ଷ ରହିଛି।