ଏୟାର ଇଣ୍ଡିଆର AI171 ବିମାନ ଦୁର୍ଘଟଣାରେ ପୀଡ଼ିତ ପରିବାରକୁ କ୍ଷତିପୂରଣ ରାଶି ଜାରି କଲା କମ୍ପାନୀ

Published By : Prameya-News7 Bureau | July 26, 2025 IST

indiatoday

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର AI171 ବିମାନ ଦୁର୍ଘଟଣାରେ ପୀଡ଼ିତ ପରିବାରକୁ କ୍ଷତିପୂରଣ ରାଶି ଜାରି କଲା ଏୟାର ଇଣ୍ଡିଆ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪୭ ଜଣ ଯାତ୍ରୀଙ୍କ ପରିବାରକୁ ଏବଂ ଦୁର୍ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ୧୯ ଜଣଙ୍କ ପରିବାରକୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରିଛି କମ୍ପାନୀ। ପ୍ରତ୍ୟେକ ପ୍ରଭାବିତ ପରିବାରକୁ ତୁରନ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ୨୫ ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦିଆଯାଇଛି। ଏନେଇ ଶନିବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। 

କମ୍ପାନୀ ପକ୍ଷପରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି " AI171 ବିମାନ ଦୁର୍ଘଟଣାରେ ପ୍ରଭାବିତ ପରିବାର ଏବଂ ଲୋକଙ୍କ ସହ ଏୟାର ଇଣ୍ଡିଆ ଏକ ହୋଇ ଠିଆ ହୋଇଛି। ଆମେ ସେମାନଙ୍କ କ୍ଷତି ପାଇଁ ଶୋକ ପ୍ରକାଶ କରୁଥିବୁ ଏବଂ ଏହି ବିପତ୍ତି ସମୟରେ ସମର୍ଥନ ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛୁ।"

ଗତ ମାସ ଠାରୁ ଏୟାର ଇଣ୍ଡିଆ ଧୀରେ ଧୀରେ କ୍ରମାନ୍ୱୟରେ କ୍ଷତିପୂରଣ ପ୍ରଦାନ କରିବା ଜାରି ରଖିଛି। ଆହୁରି ୫୨ ଜଣ ମୃତ ଯାତ୍ରୀଙ୍କ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯାଇଛି ଏବଂ ସେମାନଙ୍କ ପରିବାରକୁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ, ବିବୃତ୍ତିରେ ଉଲ୍ଲେଖ କରାଯାଇଛି। 

ଟାଟା ଗ୍ରୁପ୍ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସ୍ମୃତିରେ 'ଦି ଏଆଇ-୧୭୧ ମେମୋରିଆଲ୍ ଆଣ୍ଡ୍ ୱେଲଫେୟାର ଟ୍ରଷ୍ଟ' ମଧ୍ୟ ପ୍ରତିଷ୍ଠା କରିଛି। ଟ୍ରଷ୍ଟ ପ୍ରତ୍ୟେକ ମୃତ ଯାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବିଜେ ମେଡିକାଲ୍ କଲେଜ ହଷ୍ଟେଲର ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ମଧ୍ୟ ଏହା ହାତକୁ ନେଇଛି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.