LIVE TV

ବିବାହ କରି କାହିଁକି ଏକାଠି ରହିନଥିଲେ ଧର୍ମେନ୍ଦ୍ର-ହେମା…କଣ ଥିଲା ପୁରା କାହାଣୀ

NEWS7
air-india-expresss-special-valentines-day-offer

ମୁମ୍ବାଇ୨୪/୧୧: ବଲିଉଡର ଆଇକନ ଧର୍ମେନ୍ଦ୍ର ଓ ହେମାମାଳିନୀ । ପରଦା ଉପରେ ଓ ପରଦା ବାହାରେ ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଜଣେ । ୧୯୮୦ ମସିହାରେ ବିବାହ କରିଥିବା ଏ କପଲଙ୍କ ପ୍ରେମ କାହାଣୀ ସବୁଠାରୁ ନିଆରା । ଧର୍ମେନ୍ଦ୍ରଙ୍କ ପ୍ରେମରେ ହେମାମାଳିନୀ ପ୍ରଥମେ ପଡିବା ଓ ତା ପରେ ୪ଟି ପିଲା ଥିବା ଜଣେ ବିବାହିତ ପୁରୁଷକୁ ବିବାହ କରିବା ଘଟଣା ସେହି ସମୟରେ ବେଶ ଚର୍ଚ୍ଚିତ ଓ ଆଲୋଚନାର ଟପିକ ଥିଲା । କିନ୍ତୁ ହେମାମାଳିନୀ ସାରା ଜୀବନ ତାଙ୍କ ମର୍ଯ୍ୟାଦା ଏବଂ ଭାବପ୍ରବଣ ପରିପକ୍ବତା ବଜାୟ ରଖିଥିଲେ । ଅନେକ ଇଣ୍ଟରଭିୟୁରେ ହି ମ୍ୟାନ ଧର୍ମେନ୍ଦ୍ର କହିଛନ୍ତି ଡ୍ରିମ ଗାର୍ଲ ହେମାମାଳିନୀଙ୍କୁ ବିବାହ କରି ପୃଥିବୀର ସବୁଠାରୁ ସୌଭାଗ୍ୟଶାଳୀ ପୁରୁଷ ମନେ କରେ ।

କେମିତି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ ?

୧୯୭୦ ଦଶକରେ ଫିଲ୍ମ ତୁ ହସିନ୍ ମୈଁ ଜବାନ ସେଟ୍‌ରେ ପ୍ରଥମ ସାକ୍ଷାତ ହୋଇଥିଲା ।ପରେ ଏହି ଯୋଡି ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଦେଇଥିଲେ । ଉଭୟ  ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଧର୍ମେନ୍ଦ୍ର ପ୍ରଥମରୁ ହିଁ ଲୋକପ୍ରିୟ ଚେହେରା ଥିଲେ ଯିଏ ନିଜର ସୁନ୍ଦର ରୂପ ଓ ଦମ୍‌ଦାର ଅଭିନୟ ପାଇଁ ଜଣାଶୁଣା ଥିଲେ । ସେ ବିବାହିତ ଥିଲେ । ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ଯେଉଁଠି ହେମାମା|ଳିନୀ ନୂଆ ନୂଆ ଇଣ୍ଡଷ୍ଟ୍ରିକୁ ଆସିଥିବା ଜଣେ ସୁନ୍ଦରୀ ତରୁଣୀ ଥିଲେ । ଧର୍ମେନ୍ଦ୍ରଙ୍କ ଠାରୁ ୧୦ ବର୍ଷ ସାନ ଥିଲେ । ତେବେ ପରଦା ଉପରେ ଅଭିନୟ କରୁ କରୁ କେତେବେଳେ ଉଭୟ ସତସତିକା ପ୍ରେମରେ ପଡିଯାଇଥିଲେ ଜାଣିପାରିନଥିଲେ । ଖୁବ ଶୀଘ୍ର ତାଙ୍କ ଲଭ କେମେଷ୍ଟ୍ରି ବଲିଉଡରେ ଚର୍ଚ୍ଚାର ବିଷୟ ପାଲଟିଗଲା ।

ପ୍ରେମ ସଂପର୍କରେ ଆସିଥିଲା ଅନେକ ବାଧା

ହେମା ମାଳିନୀଙ୍କ ଜୀବନୀ ‘ବିୟଣ୍ଡ ଦି ଡ୍ରିମ୍ ଗାର୍ଲ’ରେ ପ୍ରକାଶିତ ହୋଇଥିଲା , ମାଆ ଜୟା ଚକ୍ରବର୍ତ୍ତୀ ତାଙ୍କୁ ଧର୍ମେନ୍ଦ୍ରଙ୍କ ବଦଳରେ ଅଭିନେତା ଜିତେନ୍ଦ୍ରଙ୍କୁ ବିବାହ ପାଇଁ ରାଜି କରାଇବାକୁ ଚେଷ୍ଟା କରିଥିଲେ । କାହିଁକି ନା ସେତେବେଳର ସୁପରଷ୍ଟାର ଜିତେନ୍ଦ୍ର ଓ ସଂଜୀବ କୁମାର ହେମା ମାଳିନୀଙ୍କୁ ପସନ୍ଦ କରୁଥିଲେ ଓ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ପ୍ରତି ହେମା ମାଳିନୀଙ୍କ ପ୍ରେମ ଅଟଳ ରହିଲା ।ଧର୍ମେନ୍ଦ୍ର ତାଙ୍କର ମନ ଜିତି ନେଇଥିଲେ । ତେବେ ୧୯୮୦ ମସିହାରେ ଯେତେବେଳେ ଧର୍ମେନ୍ଦ୍ର ତାଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଛାଡପତ୍ର ନ ଦେଇ ହେମା ମାଳିନୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, ଏ କଥା ସମସ୍ତଙ୍କୁ ଆଚମ୍ବିତ କରିଥିଲା।

ବିବାହ ସତ୍ତ୍ବେ କାହିଁକି ଏକାଠି ରହିପାରିନଥିଲେ ?

ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଛାଡପତ୍ର ନଦେଇ ହେମାମାଳିନୀଙ୍କୁ ଦ୍ବିତୀୟ ବିବାହ କରିବା ନିଷ୍ପତ୍ତିର ଅର୍ଥ ଥିଲା ପାରମ୍ପରିକ ମାନଦଣ୍ଡ ଅନୁସାରେ ହେମାମାଳିନୀକୁ କେବେ ପତ୍ନୀର ମାନ୍ୟତା ଦିଆଯିବ ନାହିଁ । ହେମା ଏ ବିଷୟରେ ସଂପୂର୍ଣ୍ଣ ଅବଗତ ଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ପ୍ରତି ତାଙ୍କ ଗଭୀର ଭଲପାଇବା ଏସବୁ ପ୍ରତିବନ୍ଧକକୁ ଅତିକ୍ରମ କରିଗଲା । ବାହାରୁ ଉଭୟଙ୍କ ପ୍ରେମ କାହାଣୀ ବଲିଉଡର ୨ ସ୍ବପ୍ନ ତାରକାଙ୍କ ମିଳନ ପରି ମନେ ହୁଏ କିନ୍ତୁ ବାସ୍ତବରେ ଥିଲା ପରସ୍ପର ପ୍ରତି ସମ୍ମାନ ଓ ନିରବ ତ୍ୟାଗର ପରିଭାଷା । ଧର୍ମେଦ୍ରଙ୍କୁ ବିବାହ ପରେ ଅଲଗା ରହିବେ ବୋଲି ବୁଝାମଣା କରିଦେଇଥିଲେ ହେମା । ବିବାହ କରିବାକୁ ନିଜର ଧର୍ମ ବଦଳାଇ ଦେଇଥିଲେ । ଧର୍ମ ପରିବର୍ତ୍ତନ ସମୟରେ ହେମା ତାଙ୍କ ନାଁ ଆୟେଶା ଓ ଧର୍ମେନ୍ଦ୍ର ରଖିଥିଲେ ଦିଲାୱର ଖାନ ।ଧର୍ମେନ୍ଦ୍ର ଜୁହୁରେ ତାଙ୍କ ପ୍ରଥମ ପତ୍ନୀ ଓ ୪ ପିଲାଙ୍କ ସହ ରହୁଥିଲେ । ହେମା ତାଙ୍କ ପାଖରେ ଘର କରି ଝିଅ ଇଶା ଓ ଆହାନା ଦେଓଲଙ୍କ ସହ ରହିଥିଲେ । ଏ ସଂପର୍କରେ ହେମାମାଳିନୀଙ୍କ ମନ୍ତବ୍ୟ ବେଶ ଚକିତ କରେ । ସେ କୁହନ୍ତି ମୁଁ କାହାକୁ ଅସୁବିଧାରେ ପକାଇବାକୁ ଚାହୁଁନଥିଲି । ଧରମ ଜୀ ମୋ ପାଇଁ ଓ ମୋ ପିଲାମାନଙ୍କ ପାଇଁ ଯାହା କରିଛନ୍ତି ସେଥିରେ ମୁଁ ଖୁସି । ସେ ଜଣେ ପିତାଙ୍କ ଧର୍ମ ଠିକ ଭାବରେ ନିର୍ବାହ କରିଥିବାରୁ ମୁଁ ଖୁସି । ହେମା ଆହୁରି କହିଥିଲେ ମୁଁ ଏଥିପାଇଁ କେବେ ଖରାପ ଅନୁଭବ କରିନି କିମ୍ବା ଦୁଃଖୀ ହୋଇନି । ମୋର ୨ଟି ପିଲା ଅଛନ୍ତି ଓ ମୁଁ ସେମାନଙ୍କୁ ଭଲ ଭାବରେ ପାଳନ କରିପାରିଛି । ଏଥିରେ ନିଶ୍ଚିତ ଭାବରେ ଧର୍ମେନ୍ଦ୍ର ମୋ ସହ ଥିଲେ । କୌଣସି ସ୍ବାମୀ-ସ୍ତ୍ରୀ ଅଲଗା ରହିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କେତେକ ସମୟରେ ଏପରି ପରିସ୍ଥିତି ହୋଇଥାଏ ଜଣେ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥାଏ ।

ହେମା ମାଳିନୀ ପ୍ରକାଶ କୌରଙ୍କୁ ଭେଟିଥିଲେ

ଅଭିନେତା ଧର୍ମେନ୍ଦ୍ରଙ୍କୁ ବିବାହ ପୂର୍ବରୁ କିଛି ଫିଲ୍ମ ଇଭେଣ୍ଟରେ ଧର୍ମେନ୍ଦ୍ରଙ୍କ ପତ୍ନୀ ପ୍ରକାଶ କୌରଙ୍କୁ ଭେଟିଥିଲେ ହେମା ମାଳିନୀ କିନ୍ତୁ ପରେ କେବେ ନୁହେଁ । ଏକ ଇଣ୍ଟରଭିୟ୍ରେ ଏକଥାର ଖୁଲାସା କରିଥିଲେ ହେମା । ସେ ଜୁହୁରେ ଦେଓଲ ପରିବାର ଘର ନିକଟରେ ରହୁଥିବା ବେଳେ, ସେ କେବେ ତାଙ୍କ ଘରକୁ ଯାଇ ନଥିଲେ।

ପରଲୋକରେ ଧର୍ମେନ୍ଦ୍ର

ସୋମବାର ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କର ପରଲୋକ ହୋଇଛି । ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଆଖି ବୁଜିଲେ ଧର୍ମେନ୍ଦ୍ର ।ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ଅନେକ ସେଲିବ୍ରିଟି ପହଞ୍ଚିଥିଲେ । ମୁମ୍ବାଇର ଭିଲେ ପାର୍ଲେରେ ଧର୍ମେନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ବିଗ ବି ଅମିତାଭ ବଚ୍ଚନ ଲୁହ ଭରା ଆଖିରେ ଧର୍ମେନ୍ଦ୍ରଙ୍କୁ ବିଦାୟ ଦେଇଥିଲେ ।