ଯୁଦ୍ଧର କେନ୍ଦ୍ର ପାଲଟିଲା ହରମୁଜ ଷ୍ଟ୍ରେଟ୍, ଆମେରିକା ଆକ୍ରମଣରେ ୧୬ ଇରାନୀ ଜାହାଜ ଧ୍ୱଂସ୍ତ

NEWS7
air-india-express-lands-successfully-in-trichy-airport

  • ଇରାନ ଯୁଦ୍ଧ ଏବେ ହରମୁଜ ଷ୍ଟ୍ରେଟ୍ ଆଖପାଖରେ କେନ୍ଦ୍ରିତ ହୋଇଛି
  • ଏହି ଷ୍ଟ୍ରେଟ୍ କୁ ବାଧିତ କରିବା ପାଇଁ ଇରାନ ମାଇନ ବିଛାଇବାକୁ ଯୋଜନା କରୁଥିଲା
  • ଇରାନ ଧମକ ଦେଇଛି ଯେ ଆଗକୁ ବିଶ୍ୱରେ ତୈଳ ପ୍ରତି ବ୍ୟାରଲ ୨୦୦ ଡଲାରକୁ ପହଞ୍ଚିବ

ନୂଆଦିଲ୍ଲୀ ୧୧।୩: ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଓ ଇରାନ ଯୁଦ୍ଧ ଏବେ ହରମୁଜ ଷ୍ଟ୍ରେଟ୍ ଆଖପାଖରେ କେନ୍ଦ୍ରିତ ହୋଇଛି। ଏହି ଷ୍ଟ୍ରେଟ୍ ଦେଇ ବିଶ୍ୱର ୨୦% ତୈଳ ପରିବହନ ହୋଇଥାଏ। ଆମେରିକା ସେନା ଦାବି କରିଛି ଯେ ଏହି ଷ୍ଟ୍ରେଟ୍ କୁ ବାଧିତ କରିବା ପାଇଁ ଇରାନ ମାଇନ ବିଛାଇବାକୁ ଯୋଜନା କରୁଥିଲା। ଏହି କାମ କରୁଥିବା ଇରାନର ୧୬ଟି ଜାହାଜକୁ ନଷ୍ଟ କରିଦିଆଯାଇଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ହରମୁଜ ଷ୍ଟ୍ରେଟ୍ ରେ ମାଇନ ବିଛାଉଥିଲା ଏପରି କୌଣସି ଖବର ମିଳି ନାହିଁ।

ବିଶେଷଜ୍ଞଙ୍କ ଅନୁସାରେ ଯଦି ଇରାନ ଏହି ସାମୁଦ୍ରିକ ମାର୍ଗରେ ମାଇନ ବିଛାଇ ଦିଏ ତେବେ ଯୁଦ୍ଧ ସମାପ୍ତ ହେବାର ଅନେକ ଦିନ ପର୍ଯ୍ୟନ୍ତ ଏହି ଜଳମାର୍ଗ ଗମନାଗମନ ଉପଯୋଗୀ ହୋଇ ରହିବ ନାହିଁ। କାରଣ ମାଇନ ସଫା କରିବା ପାଇଁ ଦୀର୍ଘ ସମୟ ଲାଗିବ। ସେପଟେ ଇରାନ ଧମକ ଦେଇଛି ଯେ ଆଗକୁ ବିଶ୍ୱରେ ତୈଳ ପ୍ରତି ବ୍ୟାରଲ ୨୦୦ ଡଲାରକୁ ପହଞ୍ଚିବ। ବୁଧବାର ପୂ୍ର୍ବାହ୍ନରେ ତେହେରାନ ସ୍ଥିତ ବ୍ୟାଙ୍କ ସେପାହ ଉପରେ ଆକ୍ରମଣ ହେବା ପରେ ଆମେରିକା ଓ ଇସ୍ରାଏଲ ସହିତ କାରବାର କରୁଥିବା ଆର୍ଥିକ ସଂସ୍ଥାକୁ ଟାର୍ଗେଟ କରିବ ବୋଲି ଇରାନ ଧମକ ଦେଇଛି।

ଯଦି ଏପରି କିଛି ହୁଏ ୟୁଏଇ ସହିତ ସାଉଦୀ ଆରବ ଓ ବାହରିନ ବିପଦରେ ପଡିଯିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନ ବୁଧବାର ପାରସ୍ୟ ଉପସାଗରରେ ଆଉ ୩ଟି ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିଛି। ଫଳରେ ହରମୁଜ ଷ୍ଟ୍ରେଟ ଦେଇ ଜାହାଜ ଜାତାୟାତ ଠପ ହୋଇଯାଇଛି। ଏହାଛଡା ଆରବ ଦେଶମାନଙ୍କରେ ଅଏଲଫିଲ୍ଡ ଓ ରିଫାଇନାରୀ ଉପରେ ଇରାନ ଟାର୍ଗେଟ କରିଛି। ଇରାନ କହିଛି ଯେ ଯେଉଁ ପର୍ଯ୍ୟନ୍ତ ଆମେରିକା-ଇସ୍ରାଏଲର ଆକ୍ରମଣ ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଜଳ ମାର୍ଗ ଦେଇ ଜାହାଜ ଆବାଗମନ ଅନୁମତି ଦେବ ନାହିଁ କି କଥାବାର୍ତ୍ତା ବି କରିବ ନାହିଁ।

ସମୁଦ୍ର ସୁରକ୍ଷା ଉପରେ ନଜର ରଖୁଥିବା ଏଜେନ୍ସୀଙ୍କ ଅନୁସାରେ ଉପସାଗରରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧୪ଟି ଜାହାଜ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଏକ ଥାଇ ପତାକା ଲାଗିଥିବା ବଲ୍କ ଫ୍ରେଟର ଥିବା ବେଳେ ଗୋଟିଏ ଜାପାନୀ ପତାକା ଲାଗିଥିବା କଣ୍ଟୈନର ଜାହାଜ ଓ ଆଉ ଗୋଟିଏ ବଲ୍କ କ୍ୟାରିୟର ଅଛି। ଓମାନ ନୌସେନା ଥାଇଲ୍ୟାଣ୍ଡ ଜାହାଜରୁ ୨୦ ଜଣଙ୍କୁ ଜୀବିତ ଉଦ୍ଧାର କରିଛି। ଏଥିରେ ଚାଳକ ଦଳଙ୍କ ୩ ସଦସ୍ୟଙ୍କୁ ଖୋଜା ଯାଉଛି। ଏହି ଆକ୍ରମଣ ଇରାନ ନୌସେନା ଓ ବନ୍ଦର ଆବାସ ପୋର୍ଟ ଉପରେ ଆମେରିକାର ବିମାନ ଆକ୍ରମଣ ପରେ ହୋଇଛି। ଏକ ସୂଚନା ଅନୁସାରେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଇରାନ ଦୁଇଟି ଡ୍ରୋନ ଆକ୍ରମଣ କରିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି ତେବେ ବିମାନ ଚଳାଚଳ ଜାରି ରହିଛି।