ତ୍ରିଚି ୧୧।୧୦: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ତିରୁଚିରାପଲ୍ଲୀରୁ ସାରଜାହ ଯାଉଥିବା ଫ୍ଲାଇଟ୍ର ଶୁକ୍ରବାର ସଂନ୍ଧ୍ୟାରେ ଏମାର୍ଜେନ୍ସୀ ଲ୍ୟାଣ୍ଡି ହୋଇଛି। ଏହି ବିମାନଟି ଅପରାହ୍ନ ୫ଟା ୪୦ ମିନିଟରେ ସାରଜାହ ଯିବା ଲାଗି ଟେକଅଫ୍ କରିଥିଲା। ତେବେ ଟେକଅଫ୍ ପରେ ପରେ ପ୍ଲେନର ଲ୍ୟାଣ୍ଡିଂ ଗିୟର ସହ ସମ୍ପୃକ୍ତ ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖା ଦେଇଥିଲା। ଏହା ପରଠାରୁ ବିମାନଟି ଆକାଶରେ ୩ ଘଣ୍ଟା ଧରି ଚକ୍କର କାଟୁଥିଲା। ପରେ ରାତି ପ୍ରାୟ ୮ଟା ୧୫ ମିନିଟ୍ରେ ବିମାନଟି ସୁରକ୍ଷିତ ଅବତରଣ କରିଛି।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ଫ୍ଲାଇଟ ନମ୍ବର ଏଏକ୍ସବି ୬୧୩ରେ ଚାଳକଦଳଙ୍କୁ ମିସାଇ ୧୪୧ ଜଣ ଯାତ୍ରୀ ଥିଲେ। ବିମାନର ତ୍ରୁଟି ସମ୍ପର୍କରେ ପାଇଲଟ ସୂଚିତ କରିବାମାତ୍ରେ ଏୟାରପୋର୍ଟରେ ଏମାର୍ଜେନ୍ସୀ ଘୋଷଣା କରାଯାଇଥିଲା। ସୂଚନା ଅନୁସାରେ ପାଇଲଟ ବିମାନର ଇନ୍ଧନ କମ କରିବା ପାଇଁ ଆକାଶରେ ଚକ୍କର କାଟୁଥିଲେ। ସେପଟେ ପାଇଲଟଙ୍କ ପକ୍ଷରୁ ଏମାର୍ଜେନ୍ସୀ ମ୍ୟାସେଜ ମିଳିବାମାତ୍ରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଦମକଳ ଓ ଆମ୍ବୁଲାନ୍ସ ମୁତୟନ କରିଦେଇଥିଲେ।
ବିମାନର ଜରୁରି ଅବତରଣ ପାଇଁ ବିମାନବନ୍ଦର ପକ୍ଷରୁ ଏୟାରପୋର୍ଟ ଷ୍ଟାଫଙ୍କୁ ଆଲର୍ଟରେ ରଖାଯାଇଥିଲା। ଏହା ସହିତ ଏମାର୍ଜେନ୍ସୀ ରେସ୍କ୍ୟୁ ଟିମ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଲ୍ୟାଣ୍ଡିଂ ଘୋଷଣା କରିବା ମାତ୍ରେ ଧାର୍ଯ୍ୟ ପ୍ରକ୍ରିୟା ମୁତାବକ ବିମାନକୁ ଲ୍ୟାଣ୍ଡିଂ କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛନ୍ତି ଯେ ତ୍ରିଚିରୁ ସାରଜାହ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ସ୍ୱଭାବିକ ଏୟାରପୋର୍ଟରେ ଅବତରଣ କରିଛି।