LIVE TV

ଅଗ୍ନିକୂଲ କସମସ୍ ର ଅଗ୍ନିବାଣ ରକେଟ ପରୀକ୍ଷଣ ସଫଳ, ISRO କହିଲେ – ଏକ ବଡ଼ ଉପଲବ୍ଧି

NEWS7

ତିରୁପତି ୩୦।୫: ଚେନ୍ନାଇର ମହାକାଶ ଷ୍ଟାର୍ଟ-ଅପ୍ ‘ଅଗ୍ନିକୂଲ କସମସ୍’ ଗୁରୁବାର ଶ୍ରୀହରିକୋଟ୍ଟାସ୍ଥିତ ପ୍ରକ୍ଷେପଣ ସ୍ଥଳରୁ ନିଜର ସ୍ୱଦେଶ ନିର୍ମିତ ଥ୍ରୀ-ଡି ପ୍ରିଣ୍ଟେଡ ସେମି କ୍ରାୟୋଜେନିକ ରକେଟ୍ ‘ଅଗ୍ନିବାଣ’ର ସଫଳ ସବ୍-ଅର୍ବିଟାଲ ଟେଷ୍ଟିଂ କରିଛି।  ଏହି ସଫଳ ପରୀକ୍ଷଣ ସହିତ ଅଗ୍ନିକୂଲ କସମସ୍ ଭାରତର ଦ୍ୱିତୀୟ ପ୍ରାଇଭେଟ୍‌ ୟୁନିଟ୍‌ରେ ପରିଣତ ହୋଇଛି। 

୪ ଥରର ଅସଫଳ ପ୍ରୟାସ ପରେ ଗୁରୂବାର ପରୀକ୍ଷଣ ବିନା କୌଣସି ଲାଇଭ୍ ଷ୍ଟ୍ରିମିଂରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରେ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କରାଯାଇଛି। ଏହି ସଫଳତା ପାଇଁ ଅଗ୍ନିକୂଲ କସମସ୍‌କୁ ଇସ୍ରୋ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏ ନେଇ ଇସ୍ରୋ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ‘ଅଗ୍ନିବାଣ ସର୍ଟେଡ୍-୦୧ ମିସନର ପ୍ରକ୍ଷେପଣ ସ୍ଥଳରୁ ସଫଳ ପ୍ରକ୍ଷେପଣ ଲାଗି ଅଗ୍ନିକୂଲ କସମସ୍‌କୁ ଶୁଭେଚ୍ଛା ଓ ଏହା ଏକ ବଡ ଉପଲବ୍ଧି’ ବୋଲି ଉଲ୍ଲେଖ କରିଛନ୍ତି।  

ଇଣ୍ଡିଆନ ନ୍ୟାସନାଲ ସ୍ପେସ୍ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର (ଆଇଏନ-ସ୍ପେସ୍) ଅଧ୍ୟକ୍ଷ ପବନ ଗୋୟଙ୍କା ସୋସିଆଲ ମିଡିଆ ମଞ୍ଚ ଏକ୍ସ ରେ ‘ଅଗ୍ନିକୂଲ କସମସ ଦ୍ୱାରା ଅଗ୍ନିବାଣ ଏସଓଆରଟିଡିର ସଫଳ ପ୍ରକ୍ଷେପଣକୁ ନେଇ ବେଶ୍ ଖୁସି’ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଏହା ଭାରତର ମହାକାଶ କ୍ଷେତ୍ର ନିମନ୍ତେ ଏକ ଐତିହାସିକ କ୍ଷଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସଫଳ ପରୀକ୍ଷଣ ପାଇଁ ଅଗ୍ନିକୂଲ କସମସକୁ ଶୁଭେଚ୍ଛା ଜଣାଇଛନ୍ତି। 


ଅଗ୍ନିକୂଲ ଦ୍ୱାରା ଅଗ୍ନିବାଣ ସବ-ଅର୍ବିଟାଲ ଟେକ୍ନୋଲଜି ଡେମନଷ୍ଟ୍ରେଟର (ଏସଓଆରଟିଡି) ପ୍ରକ୍ଷେପିତ କରିବା ଲାଗି ମାର୍ଚ୍ଚ ୨୨ ତାରିଖରୁ ଏହା ପଞ୍ଚମ ପ୍ରୟାସ ଥିଲା। ଭାରତୀୟ ମହାକାଶ ସଂଘ (ଆଇଏସପିଏ)ଙ୍କ ମାହନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଏ.କେ.ଭଟ୍ଟ (ଅବସରପ୍ରାପ୍ତ) କହିଛନ୍ତି ଯେ ଏହା ଭାରତର ମହାକାଶ ଉଦ୍ୟୋଗ ନିମନ୍ତେ ବହୁତବଡ଼ ପ୍ରୋତ୍ସାହନ ଓ ଗର୍ବର କ୍ଷଣ। 


କମ୍ପାନୀ ଅନୁସାରେ ଅଗ୍ନିବାଣ ଏକ କଷ୍ଟମାଇଜେବଲ ଟୁ-ଷ୍ଟେଜ୍ ଲଞ୍ଚ ଭେଇକ୍ଲ। ଯାହା ୩୦୦ କେଜି ଓଜନର ପେ ଲୋଡକୁ ୭୦୦ କିଲୋମିଟରର କକ୍ଷକୁ ନେଇଯାଇ ପାରିବ। ଏହି ରକେଟ୍ ମିକ୍ସଚର ଅଫ ଲିକ୍ୱିଡ ଗ୍ୟାସ୍ ପ୍ରୋପେଲାଣ୍ଟ ସହିତ ଅର୍ଦ୍ଧ କ୍ରାୟୋଜେନିକ ଇଞ୍ଜିନର ଉପଯୋଗ କରୁଛି। ଏହା ଏକ ଏପରି କୌଶଳ ଯାହା ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଦ୍ୱାରା ଏପର୍ଯ୍ୟନ୍ତ କୌଣସି ରକେଟରେ ପ୍ରଦର୍ଶିତ କରାଯାଇ ନାହିଁ।