ଅସୁରକ୍ଷିତ ଶ୍ରୀମନ୍ଦିର! ନୋ ଫ୍ଲାଇଂ ଜୋନ୍‌ରେ ପୁଣି ଉଡ଼ିଲା ଡ୍ରୋନ୍,

Published By : Prameya-News7 Bureau | August 28, 2025 IST

ପୁରୀ  ୨୮/୦୮: ବାରମ୍ୱାର । ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ୍ । ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ମାର୍କେଟ ଛକରୁ ଶ୍ରୀମନ୍ଦିର ନିକଟ, ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ମାରିଛି ପଇଁତରା । ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ କରାଯାଇଥିବା ଅନୁମାନ କରାଯାଉଛି । 

ବାରମ୍ୱାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ତେବେ ଏହା ପ୍ରଥମଥର କରି ନୁହେଁ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପାଖରେ ଡ୍ରୋନ୍ ଉଡ଼ାଯାଇଛି ଏବଂ କ୍ୟାମେରା ଚଷମା ଲଗାଇ ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି ଯୁବକ । ତେବେ ବାରମ୍ବାର ଏଭଳି କାହିଁକି ଘଟୁଛି ଏହାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପୁରୀବାସୀ । 

ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଏକ ଡ୍ରୋନ୍‌ ଉଡୁଥିବା ଦେଖାଯାଇଛି । ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ବିରୋଧରେ ସିଂହଦ୍ୱାର ଥାନା ପୋଲିସ ମାମଲା ରୁଜୁ କରିଥିବା ବେଳେ  ଡ୍ରୋନ୍‌ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ ଠାବ କରିପାରିନାହିଁ । କେହି ଡ୍ରୋନ୍‌ ଉଡାଇ ଏହାର ଭିଡିଓ କରିଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ଓ ପରିକ୍ରମା ମାର୍ଗ ଅଞ୍ଚଳ ସୁରକ୍ଷା ଦୃଷ୍ଟିରୁ ନୋ ଫ୍ଲାଇଂ ଜୋନ୍‌ କରାଯାଇଛି । ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ଶ୍ରୀମନ୍ଦିର ଉପରେ ଓ ଏହାର ଚାରିପାଖରେ ବାରମ୍ବାର ଡ୍ରୋନ୍‌ ଉଡ଼ୁଛି । 

ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଆଣ୍ଟି ଡ୍ରୋନ୍‌ ସିଷ୍ଟମ କରାଯିବ ବୋଲି କିଛି ଦିନ ତଳେ ଆଇନମନ୍ତ୍ରୀ କହିଥିଲେ । ହେଲେ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ । ସେପଟେ ପୋଲିସ ବିଭାଗର ରକ୍ଷକ ଯାନ, ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଫୋର୍ସ, ଜିଲ୍ଲା ପୁଲିସ ଫୋର୍ସ ପ୍ରଭୃତି  ମୁତୟନ କରିବା ସତ୍ତେ୍ୱ ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା କରାଯାଉଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.