ଦଲାଇଲାମାଙ୍କ ପରଲୋକ ପରେ ବଛାଯିବେ ଉତ୍ତରାଧିକାରୀ, ଚୀନର ରହିବନି ଭୂମିକା, ଜାଣନ୍ତୁ କ’ଣ କହିଲେ ମାଓ ନିଙ୍ଗ?

Published By : Prameya-News7 Bureau | July 02, 2025 IST

ବେଜିଂ ୨।୭: ତୀବ୍ବତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଚତୁର୍ଦ୍ଦଶ(୧୪) ଦଲାଇ ଲାମା  ତେନଜିନ ଗ୍ୟାତସୋ ତାଙ୍କ ଉତ୍ତରାଧିକାରୀ ଚୟନ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ପରଲୋକ ପରେ ଉତ୍ତରାଧିକାରୀ ଚୟନ ତୀବ୍ବତୀୟ ବୌଦ୍ଧ ପରମ୍ପରା ଅନୁସାରେ ହେବ ଓ ଏହି ପ୍ରକ୍ରିୟାରେ ଚୀନର କୌଣସି ଭୂମିକା ରହିବ ନାହିଁ। ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଚୟନର ଦାୟିତ୍ୱ ‘ଗାଦେନ ଫୋଡରଙ୍ଗ ଟ୍ରଷ୍ଟ’ ଉପରେ ନ୍ୟସ୍ତ କରିଛନ୍ତି। 

ଦଲାଇଲାମା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସଂସ୍ଥା ଅର୍ଥାତ ‘ଦଲାଇ ଲାମାଙ୍କ ସଂସ୍ଥାନ’ ଭବିଷ୍ୟତରେ ମଧ୍ୟ ଜାରି ରହିବ। ଦଲାଇ ଲାମା ଏକ ଅଧିକାରୀକ ବୟାନରେ ଏ କଥା କହିଛନ୍ତି। ତେବେ ଚୀନ୍ ଦଲାଇ ଲାମାଙ୍କ ଏହି ବୟାନକୁ ତୁରନ୍ତ ଖାରଜ କରିଦେଇଛି। ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ ‘ଦଲାଇ ଲାମା ରାଜନୈତିକ ନିର୍ବାସିତ ଓ ତିବ୍ବତୀୟ ଲୋକଙ୍କ ପ୍ରତିନିଧିତ୍ୱ କରିବା ପାଇଁ ତାଙ୍କର କୌଣସି ଅଧିକାର ନାହିଁ’। 


ନିଙ୍ଗ କହିଛନ୍ତି ଯେ ଜୀବିତ ବୁଦ୍ଧଙ୍କ ବଂଶାବଳୀ ଚୀନ୍‌ ର ତୀବ୍ବତରେ ବିକାଶିତ ହୋଇଛି ଓ ଉତ୍ତରାଧିକାରୀ ଚୟନ ଚୀନ୍ ଆଇନ ଓ ପରମ୍ପରା ଅନୁସାରେ ହେବ। ଚୀନ୍‌ ର ଏହା ଦାବି ଯେ ୧୭୯୩ ମସିହାରେ କିଙ୍ଗ ରାଜବଂଶ ଦ୍ୱାରା ଆରମ୍ଭ କରାଯାଇଥିବା ‘ଗୋଲ୍ଡେନ ଅର୍ଣ୍ଣ’ ପ୍ରକ୍ରିୟା ଅନୁସାରେ ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ମଞ୍ଜୁରୀ ଦେବାର ଅଧିକାର କେବଳ ଚୀନ୍‌ର ରହିଛି। ତେବେ ଏହା ପୂର୍ବରୁ ଦଲାଇ ଲାମା ତାଙ୍କ ଅନୁଗାମୀଙ୍କୁ ଏପରି କୌଣସି ବ୍ୟକ୍ତିକୁ ସ୍ୱୀକାର ନ କରିବାକୁ କହିଛନ୍ତି ଯାହାଙ୍କୁ ଚୀନ୍ ନିଯୁକ୍ତ କରିବ, କାରଣ ଏହା ତୀବ୍ବତୀୟ ଧାର୍ମିକ ସ୍ୱାୟତ୍ତତାର ବିପରୀତ ହେବ। 

ଆଗାମୀ ଦଲାଇ ଲାମାଙ୍କ ଚିହ୍ନଟ  ପୁନର୍ଜନ୍ମ ପ୍ରକ୍ରିୟା ଆଧାରିତ, ଯାହାକୁ ତୀବ୍ବତୀୟ ବୌଦ୍ଧ ଧର୍ମର ଲୋକେ ‘ତୁଲ୍କୁ ପ୍ରଣାଳୀ’ କହନ୍ତି। ଏହା ଏକ ବିଶେଷ ପରମ୍ପରା, ଯେଉଁଥିରେ ପିଛିଲା ଦଲାଇ ଲାମାଙ୍କ ମୃତ୍ୟୁ ପରେ ତାଙ୍କ ପୁନର୍ଜନ୍ମ (ନୂଆ ଦଲାଇ ଲାମା)ଙ୍କ ସନ୍ଧାନ କରାଯାଏ। ତେବେ ୬ ଜୁଲାଇରେ ନିଜର ୯୦ତମ ଜନ୍ମଦିବସ ପାଳନ କରିବାକୁ ଯାଉଥିବା ଦଲାଇ ଲାମା ତାଙ୍କ ପୁସ୍ତକ ‘ଭୟେସ ଫର ଦି ଭୟେସଲେସ୍’ (ମାର୍ଚ୍ଚ ୨୦୨୫)ରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଆଗାମୀ ଅବତାର (ପୁନର୍ଜନ୍ମ) ଚୀନ୍ ବାହାରେ ‘ସ୍ୱାଧୀନ ଦେଶ’ରେ ହେବ। ସମ୍ଭବତଃ ଭାରତ କିମ୍ବା କୌଣସି ଅନ୍ୟ ଦେଶରେ ବୋଲି ସେ ସୂଚାଇ ଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.