ଜାପାନ, ଇଣ୍ଡୋନେସିଆ ପରେ EU ସହ ଆମେରିକାର ଡିଲ୍‌, ଭାରତ ଉପରେ ପଡ଼ିବ କି’ ପ୍ରଭାବ ?

Published By : Prameya-News7 Bureau | July 28, 2025 IST

internet

ନୂଆଦିଲ୍ଲୀ: ଜାପାନ, ଇଣ୍ଡୋନେସିଆ ପରେ ଏବେ ୟୁରୋପୀୟ ୟୁନିୟନ ବା ଇୟୁ ସହ ବଡ଼ ଡିଲ୍ ଫାଇନାଲ କରିଛି ଆମେରିକା । ଏହି ଡିଲ୍‌ ଅନୁସାରେ ୟୁରୋପୀୟ ୟୁନିୟନରୁ ଆମେରିକାକୁ ଯାଉଥିବା ଉତ୍ପାଦ ଉପରେ ୧୫ ପ୍ରତିଶତ ଟାରିଫ୍‌ ଲାଗିବ। ସୋମବାର ଇୟୁ ଅଧ୍ୟ ଉର୍ସୁଲା ଭନ୍‌ ଡେର ଲେୟେନ ଏବଂ ଆମେରିକା ରାଷ୍ଟ୍ରପତି ଡାନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ପରେ ଏହି ଡିଲ୍‌ ଉପରେ ମୋହର ବାଜିଛି। 

ଡିଲ୍ ପରେ ୟୁରୋପୀୟ ୟୁନିୟନ ଅଧ୍ୟକ୍ଷ କହିଛନ୍ତି ଏହାଦ୍ବାରା ଦୁଇ ଦେଶର ବ୍ୟବସାୟରେ ବୃଦ୍ଧି ହେବ। ଇୟୁ ଆମେରିକାରେ ୬୦୦ ବିଲିୟନ ଡଲାରର ନିବେଶ ମଧ୍ୟ କରିବ। ସେହିଭଳି ଡିଲ୍‌କୁ ନେଇ ଟ୍ରମ୍ପ କହିଛନ୍ତି ‘ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ ଚୁକ୍ତି।’ ଚୁକ୍ତି ଅନୁସାରେ ୟୁରୋପୀୟ ସଂଘ ଆମେରିକାର ଶକ୍ତି ଏବଂ ସାମରିକ ଉପକରଣ ମଧ୍ୟ କିଣିବାକୁ ଯୋଜନା କରୁଥିବା କହିଛନ୍ତି ଟ୍ରମ୍ପ୍। ଟ୍ରମ୍ପ ଆହୁରି କହିଛନ୍ତି ଏହି ଶୁଳ୍କ ହାର ଅଟୋମୋବାଇଲ୍ ସହ ଅନ୍ୟ ସବୁ କିଛି ଉପରେ ଲାଗୁ ହେବ। ଇସ୍ପାତ ଏବଂ ଆଲୁମିନିୟମ ଉପରେ ୫୦% ଶୁଳ୍କ ଯେପରି ଅଛି ସେହିପରି ରହିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ୟୁନିୟନ ଉପରେ ୩୦ ପ୍ରତିଶତ ଟାରିଫ୍‌ ଲଗାଇବା ନିଷ୍ପତ୍ତି ନେଇଥିଲେ। ଯାହା ଅଗଷ୍ଟ ୧ ଠାରୁ ଲାଗୁ ହୋଇଥାନ୍ତା। ହେଲେ ଏହା ପୂର୍ବରୁ ଆମେରିକା ଓ ଇୟୁ ମଧ୍ୟର ଡିଲ୍‌ ଫାଇନାଲ ହୋଇଛି। ତେବେ ଏହା ପରେ ବି ୟୁରୋପର ଅନେକ ଦେଶ ଏହି ୧୫% ଶୁଳ୍କକୁ ଅଧିକ ବୋଲି ଦେଖୁଛନ୍ତି। କାରଣ ଏହି ଦେଶମାନେ ଶୂନ ଶୁଳ୍କ ଚୁକ୍ତି ନେଇ ଆଶା କରୁଥିଲେ। 

ଭାରତ ଉପରେ ଚାପ ରହିବ କି ?

ସୂଚନାଥାଉକି, ପୂର୍ବରୁ ବାଂଲାଦେଶ, ଜାପାନ ଭଳି ଏସୀୟ ଦେଶ ସହିତ ଚୁକ୍ତି କରି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି ଆମେରିକା। ବାଂଲାଦେଶ, ଆମେରିକାର ଗହମକୁ ଆମଦାନୀ ପାଇଁ ଅନୁମତି ଦେଇଥିବାବେଳେ ଜାପାନ ମଧ୍ୟ ଆମେରିକା ସହ ଡିଲ୍‌ କରିଛି। ଏପରି ସ୍ଥିତିରେ ଭାରତ ଉପରେ ଚାପ ପକାଇବାକୁ ଚାହୁଛି ଆମେରିକା।  ଆମେରିକା, ଭାରତୀୟ କୃଷି କ୍ଷେତ୍ରରେ ଏହାର ସ୍ଥିତି ଜାହିର କରିବାକୁ ଚାହୁଥିବାବେଳେ ଭାରତ ଏଥିରେ ଆମେରିକାର ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବାକୁ ଚାହୁଁନାହିଁ।

କାରଣ ଆମେରିକା ଏଥିରେ ତା’ର ସର୍ତ୍ତାବଳୀ ଲାଗୁ କରିବାକୁ ଚେଷ୍ଟା କରିବ। ବର୍ତ୍ତମାନ ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଯାହା ଅଗଷ୍ଟ ୧ରୁ ଲାଗୁ ହେବ। ଏମିତିରେ ଦୁଇ ଦେଶ ମଧ୍ୟରେ ୫ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ କୌଣସି ଚୁକ୍ତି ହୋଇପାରିନାହିଁ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଯିବା ଆଶଙ୍କା ଟଳିଯାଇପାରେ। ଖୁବଶୀଘ୍ର ଭାରତ ଆମେରିକା ମଧ୍ୟ ଡିଲ୍‌ ହୋଇପାରେ। ତଥାପି ଅଗଷ୍ଟ ୧ ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ଚୁକ୍ତି ସମ୍ଭାବନା କମ୍ ଥିବା ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.