AIକୁ ନେଇ ବିଲଗେଟସ୍ ଙ୍କ ଚେତାବନୀ, କହିଲେ-ବିପଦରେ ହ୍ୱାଇଟ କଲର Jobs

NEWS7
after-decission-driver-strike-called-of

ନୂଆଦିଲ୍ଲୀ ୨୧।୧: ଆଗାମୀ କିଛି ବର୍ଷରେ ନିଯୁକ୍ତି ଦୁନିଆରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲଗେଟସ୍ ଚେତାବନୀ ଦେଇଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ହେଉଥିବା ଦ୍ରୁତ ଉପଯୋଗ ଯୋଗୁ ଖାସ କରି ହ୍ୱାଇଟ କଲର ଚାକିରୀ ବିପଦରେ ପଡିବ। ତାଙ୍କ କହିବା କଥା ହେଉଛି ସରକାରମାନେ ଏବେ ଏହି ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନାହାନ୍ତି ଓ ହାତରେ ଖୁବ୍ କମ ସମୟ ଅଛି ।

ଦାଭୋସରେ ଅନୁଷ୍ଠିତ ହେଉଥିବା ୱାର୍ଲଡ ଇକୋନମିକ ଫୋରମ(ଡବ୍ଲୁଇଏଫ)ରେ ଗେଟସ୍ କହିଛନ୍ତି ଯେ ଆଗାମୀ ୪-୫ବର୍ଷରେ ଏଆଇର ପ୍ରଭାବ କେବଳ ହ୍ୱାଇଟ କଲର ନୁହେଁ ବ୍ଲୁ କଲର ନିଯୁକ୍ତିରେ ବି ସ୍ପଷ୍ଟ ଦେଖିବାକୁ ମିଳିବ। ଗେଟସ୍ କହିଛନ୍ତି ଯେ ସରକାରମାନଙ୍କୁ ଏବେ ସମ୍ପର୍କିତ ପ୍ରସଙ୍ଗ ଉପରେ ସମାନତାର ସହ ପଦକ୍ଷେପ ନେବାକୁ ପଡିବ। ଗେଟସ୍ ଙ୍କ ଅନୁସାରେ ବର୍ତ୍ତମାନର ସବୁଠୁ ବଡ଼ ପ୍ରଶ୍ନ ହେଉଛି କଣ ଲୋକଙ୍କୁ ନୂଆ ସ୍କିଲସ୍ ଶିଖାଇବାକୁ ପଡିବ, ନା ଟ୍ୟାକ୍ସ ସିଷ୍ଟମରେ ପରିବର୍ତ୍ତନ ଅଣାଯିବ? ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଏଆଇର ପ୍ରଭାବ ସୀମିତ ଅନୁଭୂତ ହେଉଛି। ହେଲେ ଅଧିକ ସମୟ ପର୍ଯ୍ୟନ୍ତ ଏହି ସ୍ଥିତି ରହିବନି ଓ ଦ୍ରୁତ ପରିବର୍ତ୍ତନ ହେବ।

ତାଙ୍କ ବାର୍ଷିକ ରିପୋର୍ଟ ‘ଏ ଇୟର ଏହେଡ’ରେ ମଧ୍ୟ ଗେଟସ୍ କହିଛନ୍ତି ଯେ ଏଆଇ ସବୁ ପିଛିଲା ଟେକ୍ନିକାଲ କ୍ରାନ୍ତି ଠାରୁ ଅଧିକ ଦ୍ରୁତ ଓ ଗଭୀର ଭାବେ ପ୍ରଭାବ ପକାଇବ। ସେ କହିଛନ୍ତି ଯେ ଏଆଇ ପୂର୍ବରୁ ସଫ୍ଟୱେର ଡେଭଲପମେଣ୍ଟରେ କାମର ବେଗ ବଢାଇଛି। ସେହିପରି ଲଜିଷ୍ଟିକ୍ ଓ କଲ ସେଣ୍ଟର ଭଳି କ୍ଷେତ୍ରର କମ୍ ସ୍କିଲର କାମ କୁ ସମାପ୍ତ କରୁଛି। ଯଦି ଏହି ପରିବର୍ତ୍ତନକୁ ଉଚିତ ରୂପେ ନିୟନ୍ତ୍ରିତ ନ କରାଗଲାତେବେ ଧନୀ ଓ ଗରୀବଙ୍କ ମଧ୍ୟରେ ଦୂରତା ଆହୁରି ବଢିଯିବ।

ବିଲ ଗେଟସ୍ କହିଛନ୍ତି ଏବେକା ବୈଶ୍ୱିକ ଉତ୍ତେଜନା ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ଏକ ମଜଭୁତ ଆଧାର ହୋଇପାରେ। ଗେଟସ୍ ଙ୍କ ଅନୁସାରେ ଭାରତର ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚର ଓ ଏଆଇକୁ ଦ୍ରୁତ ଆପଣାଇବାର କ୍ଷମତା ତାକୁ ଆଗକୁ ବଢିବାରେ ସହଯୋଗ କରିବ। ତେବେ ଭାରତ-ଆମେରିକା ମଜଭୁତ ସମ୍ପର୍କ ନେଇ ଗେଟସ୍ ବେଶ୍ ଆଶାବାଦୀ ଥିବା ତାଙ୍କ ଭାଷଣରୁ ଜଣାପଡିଛି।